କିଣା ପାଣି ଭରସା, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌: ଗୋଟିଏ ଟ୍ୟାପ୍‌, ଶହ ଶହ ଯାତ୍ରୀ

ଭୁବନେଶ୍ବର: ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗଛି। ପୂର୍ବାହ୍ନ ୧୦ଟାରେ ବି ଘରୁ ବାହାରିବାକୁ ଡର ଲାଗୁଛି। ଦୁଇ ପାଦ ଚାଲିଲେ ତଣ୍ଟି ଶୁଖିଯାଉଛି। ଏପରି କ୍ଷେତ୍ରରେ ରାଜଧାନୀର ଗୁରୁତ୍ବପୂର୍ଣ୍ଣ ଓ ଜନବହୁଳ ସ୍ଥାନମାନଙ୍କରେ ପାଣି ମୁନ୍ଦେ ଖୋଜିଲେ ମିଳୁ ନାହିଁ। ରାଜଧାନୀର କୌଣସି ବସ୍‌ଷ୍ଟାଣ୍ଡ କି ଅଟୋଷ୍ଟାଣ୍ଡ୍‌ରେ ପାଣି ସୁବିଧା ନାହିଁ। ପ୍ରତିଦିନ ରାଜଧାନୀକୁ ହଜାର ହଜାର ଯାତ୍ରୀ ବସ୍‌, ଟ୍ରେନ୍‌ରେ ଆସୁଥିବା ବେଳେ ଶୋଷ ମେଣ୍ଟାଇବାକୁ କିଣା ପାଣି ଉପରେ ନିର୍ଭର କରୁଛନ୍ତି। ସହରର ପ୍ରବେଶପଥ ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ଉଦୟଗିରି ବସ୍‌ପାର୍କିଂ, ମାଷ୍ଟର କ୍ୟାଣ୍ଟିନ ସିଟି ବସ୍‌ ଷ୍ଟାଣ୍ଡ୍‌ ଓ ସହରର ଯେ କୌଣସି ଅଟୋଷ୍ଟାଣ୍ଡ୍‌ କେଉଁଠି ବି ପିଇବା ପାଣି ସୁବିଧା ନାହିଁ। ବିଭାଗୀୟ ଅଧିକାରୀ ଓ ବିଏମ୍‌ସି ହାତ ଟେକି ଦେଇଛି। ‌େଲାକଙ୍କ ସମସ୍ୟା ଯେପରି କାହା ପାଇଁ ଗୁରୁତ୍ବ ରଖୁନି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌: ଗୋଟିଏ ଟ୍ୟାପ୍‌, ଶହ ଶହ ଯାତ୍ରୀ
ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ରାଜ୍ୟର ଅନ୍ୟତମ ପ୍ରମୁଖ ବସ୍‌ଷ୍ଟାଣ୍ଡ୍‌। ପ୍ରତିଦିନ ଶତାଧିକ ଗାଡ଼ି ଏଠି ଲାଗୁଥିବା ବେଳେ ହଜାର ହଜାର ଲୋକ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ କରନ୍ତି। ଏତେ ସଂଖ୍ୟକ ଲୋକ ପ୍ରତିଦିନ ଯା’ ଆସ କରୁଥି‌ଲେ ମଧ୍ୟ ଯାତ୍ରୀଙ୍କୁ ସ୍ବଚ୍ଛ ପାନୀୟ ଜଳ ପରି ମୌଳିକ ସୁବିଧା ଏ ଯାଏ ଦିଆଯାଇପାରିନି। ୧୯୯୨ ମସିହାରେ ଏହି ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ସମୟରେ ଏକ ଆକ୍ବାଗାର୍ଡ ଓ ୪ଟି ଟ୍ୟାପ୍‌ ଲାଗିଥିଲା। ସମୟ କ୍ରମେ ଏହି ଟ୍ୟାପ୍‌ରୁ ୩ଟି ଭାଙ୍ଗିଯାଇଛି। ଗୋଟିଏ ଟ୍ୟାପ୍‌ ଉପରେ ହିଁ ସମସ୍ତ ଯାତ୍ରୀ ଓ ବ୍ୟବସାୟୀ ନିର୍ଭର କରୁଛନ୍ତି। ସେଠାରେ ବ୍ୟବସାୟ କରୁଥିବା ଅଲେଖ ବେଉରା କହିଛନ୍ତି, ୭/୮ ମାସ ହେବ ଏହି ଟ୍ୟାପ୍‌ ସବୁ ଖରାପ ହେଲାଣି। ‌କିନ୍ତୁ କେହି ବି ସଜାଡ଼ିବାକୁ ତତ୍ପରତା ଦେଖାଉନାହାନ୍ତି। ଯେଉଁ ଗୋଟିଏରେ ପାଣି ଆସୁଛି, ତାହା ବି ଅଧିଂକାଶ ସମୟରେ କାମ କରୁନି। ସବୁବେଳେ ସେଠାରେ ଯାତ୍ରୀଙ୍କ ଲମ୍ବା ଲାଇନ୍‌। ଏହାବ୍ୟତୀତ ଟ୍ୟାପ୍‌ ବେସିନ୍‌ ଦୀର୍ଘଦିନ ଧରି ଅପରିଷ୍କାର ରହୁଛି। ଏହାକୁ ଦେଖିଲେ ଲାଗୁଛି ଯେମିତି ସ୍ବଚ୍ଛତା ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ଛୁଇଁନି।

ଉଦୟଗିରି ପାର୍କିଂ: ଶୌଚାଳୟରୁ ପାଣି ପିଉଛନ୍ତି ପର୍ଯ୍ୟଟକ
ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଖଣ୍ଡଗିରି ଓ ଉଦୟଗିରି ଆସୁଛନ୍ତି। ସେମାନଙ୍କ ବସ୍‌ ଉଦୟଗିରି ନିକଟରେ ପାର୍କିଂ ସ୍ଥାନରେ ରହୁଥିବା ବେଳେ ବସ୍‌ରୁ ଓହ୍ଲାଇ ‌ପର୍ଯ୍ୟଟକମାନେ ପ୍ରଥମେ ପାଣି ଖୋଜନ୍ତି। ନିର୍ମାଣ ସମୟରେ ପର୍ଯ୍ୟଟକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସେଠାରେ ୩ଟି ଟାଙ୍କି ବ୍ୟବସ୍ଥା ହୋଇଥିଲା। ପ୍ରତି ଟାଙ୍କିରେ ୪ଟି ଲେଖାଏଁ ଟ୍ୟାପ୍‌ ଲାଗିଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଟ୍ୟାପ୍ ଏବେ ଅଚଳ। ପିଇବା ପାଣି ପାଇଁ ‌ଶୌଚାଳୟ ହିଁ ଏକ ମାତ୍ର ଭରସା। ବେଳେ ବେଳେ ଏହାକୁ ବି ବନ୍ଦ କରି ଦିଆଯାଉଥିବାରୁ ଲୋକ ହଇରାଣ ହୁଅନ୍ତି। ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିବା ଗୌରୀ ପ୍ରାମାଣିକ୍‌ କହିଛନ୍ତି, ଆମେ ଓଡ଼ିଶା ବୁଲି ଆସିଛୁ। ସାଙ୍ଗରେ ଯେତେ ପାଣି ଆଣିଥିଲୁ ସବୁ ସରିଲାଣି। ଏଠାରେ ପାଣି ସୁବିଧା ବି ନାହିଁ। ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ କେତେ କିଣିକି ପିଇବୁ ତାହା ଜାଣି ହେଉନି।

ରାଜମହଲ ଅଟୋଷ୍ଟାଣ୍ଡ ଟ୍ୟାପ୍‌ ଅଛି, ଟାଙ୍କି ନାହିଁ
ରାଜମହଲ ଅଟୋଷ୍ଟାଣ୍ଡ୍‌ରେ ପୂର୍ବରୁ ପାଣି ଏଟିଏମ୍‌ ଥିଲା। ହକି ବିଶ୍ବ କପ୍‌ ପାଇଁ ଏହାକୁ ଭଙ୍ଗା ଯ‌ାଇ ରାସ୍ତା ଚଉଡ଼ା କରାଗଲା। ଭାଙ୍ଗି ଦେବା ପରେ ଗଢ଼ିବାକୁ ଭୁଲିଗଲେ। ଏବେ ଟ୍ୟାପ୍‌ ଲାଗିଛି କିନ୍ତୁ ଟାଙ୍କି ନାହିଁ। ପୂର୍ବରୁ ପାଣି ଏଟିଏମ୍‌ ଦ୍ବାରା ଉପକୃତ ହେଉଥିବା‌ ବହୁ ଯାତ୍ରୀ, ସ୍ଥାନୀୟ ବ୍ୟବସା‌ୟୀ ଏବେ ହଇରାଣ ହେଉଥିବା ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। କେବଳ ରାଜମହଲ ଛକ ନୁହେଁ, ସହରର ବହୁ ଅଟୋଷ୍ଟାଣ୍ଡ୍‌ରେ ପିଇବା ପାଣି ପାଇଁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି।

ମାଷ୍ଟର୍‌କ୍ୟାଣ୍ଟିନ୍ ସିଟି ବସ୍‌ଷ୍ଟାଣ୍ଡ୍‌ରେ ବି ଯାତ୍ରୀ ହନ୍ତସନ୍ତ
ମାଷ୍ଟର କ୍ୟାଣ୍ଟିନ୍‌ ସିଟି ବସ୍‌ ଷ୍ଟାଣ୍ଡରେ ପ୍ରତିଦିନ ଶତାଧିକ ସିଟି ବସ୍‌ ଲାଗେ। ବହୁ ସଂଖ୍ୟାରେ ଯାତ୍ରୀ ଏହା ଉପରେ ନିର୍ଭରଶୀଳ। କିନ୍ତୁ ଯାତ୍ରୀଙ୍କ ଶୋଷ ମେଣ୍ଟାଇବାକୁ ଏଠାରେ ପାଣି ଟିକେ ମିଳୁନି। ‘ମୋ ବସ୍‌’ର କ୍ୟାପ୍‌ଟେନ୍‌ ସତ୍ୟପ୍ରକାଶ ସ୍ବାଇଁ କୁହନ୍ତି, ଏଠାରେ ଯାତ୍ରୀ ବା ବସ୍‌ ଚାଳକ ଓ ସହାୟକମାନଙ୍କ ପାଇଁ ସ୍ଥାୟୀ ପାଣି ସୁବିଧା ନାହିଁ। କ୍ୟାପିଟାଲ ରିଜିଓନାଲ୍‌ ଅର୍ବାନ୍ ଟ୍ରାନ୍‌ସ୍ପୋର୍ଟ (କ୍ରୁଟ୍‌) ସିଟି ବସ୍‌ ସେବା ନିଜ ହାତକୁ ନେବା ପରେ ଏହା ଅଧୀନରେ କାର୍ଯ୍ୟରତ ‘ଟ୍ରାଭେଲ୍‌ ଟାଇମ୍‌’ ଓ ‘ନର୍ମଦା ଟ୍ରାନ୍ସପୋର୍ଟ’ ପକ୍ଷରୁ ପିଇବା ପାଣି ପାଇଁ ବାହାରୁ ଟାଙ୍କି ମଗାଯାଉଛି। ଏହି ଟାଙ୍କି ଦିନକୁ ୨ ଥର ଅର୍ଥାତ ପୂର୍ବାହ୍ନ ୧୦ଟା ଓ ଅପରାହ୍‌ଣ ୩ଟାରୁ ଆସି ବସ୍‌ କମ୍ପାନିର କର୍ମଚାରୀମାନଙ୍କୁ ପାଣି ଦେଇଯାଉଛି। କିନ୍ତୁ ଯାତ୍ରୀମାନଙ୍କ ପାଇଁ ଏଠାରେ କୌଣସି ସୁବିଧା ନାହିଁ। ପୂର୍ବରୁ ଆମେ ଡିଟିଏସ୍‌ରେ କାମ କଲା ବେଳେ ଯାତ୍ରୀମାନଙ୍କ ଭଳି ଆମେ ବି ପାଣି ଟୋପେ ପାଉ ନଥିଲୁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଏଠାରୁ ନିୟମିତ ବସ୍‌ରେ ଯା’ଆସ କରୁଥିବା ଜଣେ ଯାତ୍ରୀ ଲକ୍ଷ୍ମୀ ନାରାୟଣ ସାହୁଙ୍କ ପଚାରିବାରୁ ସେ କହିଲେ, ସରକାର ଏତେ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏତେ ବଡ଼ ବସ୍‌ଷ୍ଟାଣ୍ଡ୍‌ରେ ପାଣି ସୁବିଧା ଟିକେ ନାହିଁ। ପାଣି ପାଇଁ ଆମକୁ ବୋତଲ କିଣିବାକୁ ପଡ଼ୁଛି। ନ ହେଲେ ନିକଟସ୍ଥ ଆହାର କେନ୍ଦ୍ରରୁ ଅନୁରୋଧ କରି ପାଣି ଟିକେ ଆଣି ପିଉଛୁ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର