କରୋନା ପ୍ରଭାବ: ସଚେତନ ହେଉ ନାହାନ୍ତି ଲୋକେ

ବେଗୁନିଆ: ଲକ୍‌ ଡାଉନ ଘୋଷଣା ପରେ ବେଗୁନିଆ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅଯଥା ଗହଳି ସୃଷ୍ଟି ନକରିବା ପାଇଁ ବିଭିନ୍ନ ଗଣମାଧ୍ୟମ ଓ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ା ଗତ ମଙ୍ଗଳବାର ଦିନ ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମରେ ଚାଲିଥିବା ସାପ୍ତାହିକ ହାଟରେ ପହଞ୍ଚି ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରାଙ୍କ ସହ ମିଶି ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏହା ସତ୍ତ୍ବେ ଲୋକେ ସଚେତତନ ହେଉ ନାହାନ୍ତି। ହାଟରେ ସ୍ଥାନୀୟ ଜନସାଧାରଣଙ୍କ ଗହଳି ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ ଲୋକମାନେ ଯଦି ନିଜେ ସଚେତନ ନ ରହିବେ ତେବେ ଆମେ କ’ଣ କରିପାରିବୁ ବୋଲି କହିଥିଲେ।

ସେହିପରି ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ଡାଳତୋଳା ସାପ୍ତାହିକ ହାଟରେ ପ୍ରବଳ ଗହଳି ହୋଇଥିବାରୁ ପୋଲିସ ପହଞ୍ଚି ଲୋକମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ। ବେପାରୀମାନେ ନିଜ ପସରାକୁ ଧରି ଧାଁ ଧପଡ଼ କରିଥିଲେ। ରାଜ୍ୟ ସରକାର କରିଥିବା ଲକ୍‌ ଡାଉନ୍‌ ଘୋଷଣାରେ ବେଗୁନିଆ ସମେତ ୨୧ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ କେତେକ ଦୋକାନ ଖୋଲିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରିବାକୁ ଉଦ୍ୟମ କରାଯାଉଛି। ଏପରିକି ଯାତ୍ରୀବାହୀ ବସ, ଭାରୀଯାନ, ହାଲୁକା ଯାନ ଚଳାଚଳ ବନ୍ଦ ରହିଥିବାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଓ ବାଘମାରି ଓ କଣ୍ଟିଲୋ ୪୮ ନମ୍ବର ରାଜପଥ ଏକ ରକମ ଜନଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର