‘ସହାୟ’ ଉପରେ ରୋଗୀଙ୍କ ଭରସା ପାଉନି !

ଘରୋଇ ସଂସ୍ଥା ପାଇଁ କାମ କରୁଛନ୍ତି ସରକାରୀ ଡାକ୍ତର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମାଗଣା ଡାଏଲିସିସ୍ ସେବା ‘ସହାୟ’ ଉପରେ ରୋଗୀଙ୍କ ଭରସା ପାଉନି। ଯଦିଓ ‌ରୋଗୀମାନେ ସେଠାରେ ଡାଏଲିସିସ୍ କରୁଛନ୍ତି ହେଲେ ଅନ୍ୟାନ୍ୟ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲର ଡାକ୍ତର କରୁଛନ୍ତି। କିଛି ରୋଗୀ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ତେବେ ସରକାରଙ୍କଠାରୁ ଦରମା ନେଇ ଘରୋଇ ସଂସ୍ଥା ପାଇଁ କାର୍ଯ୍ୟ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ଡାଏଲିସିସ୍ ହେଉଥିଲେ ହେଁ ଆବଶ୍ୟକ ଡାକ୍ତରଙ୍କ ଅଭାବ ଯୋଗୁଁ ତାହା ବନ୍ଦ ହୋଇଯାଇଥିଲା। ପରବର୍ତୀ ସମୟରେ ପିପିପି ମୋଡ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ସହାୟ’ ସେବା ଆରମ୍ଭ ହୋଇଛି। ବୁଝାମଣା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ମେସିନ୍ କିଣା ଯାଇଥିବା ବେଳେ ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ସଂପୃକ୍ତ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯିବା କଥା। କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟି ମେସିନ୍ କିଣାଯାଇଥିବା ବେଳେ ୩ଟି ପର୍ଯ୍ୟାୟରେ ୩୬ଜଣ କିଡ୍‌ନି ଆକ୍ରାନ୍ତ ଡାଏଲିସିସ୍ କରୁଛନ୍ତି। ଘରୋଇ ସଂସ୍ଥା ପକ୍ଷରୁ ଏଥିପାଇଁ ଜଣେ ମାତ୍ର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ କ୍ୟାପିଟାଲ ହସ୍ପିଟାଲର ୨ଜଣ ଡାକ୍ତର ଏଥିରେ ସହାୟତା କରୁଛନ୍ତି। ହସ୍ପିଟାଲର ଏହି ଦୁଇ ଡାକ୍ତରଙ୍କୁ ଅନ୍ୟତ୍ର ଡ୍ୟୁଟି ଥିଲେ ରୋଗୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଡାଏଲିସିସ୍ ୟୁନିଟ୍‌ରେ ଡ୍ୟୁଟି କରିବାକୁ ପଡ଼ୁଛି। ହସ୍ପିଟାଲ କର୍ତୃପକ୍ଷ ଏ ସଂପର୍କରେ ଜାଣି ମଧ୍ୟ ଚୁପ୍ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘରୋଇ ସଂସ୍ଥା ପକ୍ଷରୁ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ କିଛି ମାସ ପୂର୍ବରୁ ରୋଗୀମାନେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ନେଇ ଘରୋଇ ସଂସ୍ଥାର ଡାକ୍ତରଙ୍କ ବଦଳରେ ହସ୍ପିଟାଲ ଡାକ୍ତରଙ୍କୁ ସେମାନଙ୍କ ଦେଖାରଖା କରିବା ପାଇଁ ଅନୁରୋଧ କରିଥିଲେ। ଦୁଇ ଡାକ୍ତର ମେଡିସିନ୍ ‌ବିଶେଷଜ୍ଞ ସହିତ ନେଫ୍ରୋଲୋଜିରେ ଦକ୍ଷତା ରହିଛି। ତେଣୁ ରୋଗୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହସ୍ପିଟାଲର ଦୁଇ ଜଣ ଡାକ୍ତର ସେଠାରେ କାର୍ଯ୍ୟ କରୁଛନ୍ତି। ଖୁବଶୀଘ୍ର ଏ ସଂପର୍କରେ ସଂପୃକ୍ତ ସଂସ୍ଥା ସହିତ ଆଲୋଚନା କରାଯିବ ବୋଲି ଅଧିକାରୀ ମତ ଦେଇଛନ୍ତି। କେବଳ ଯେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅଭିଯୋଗ ଆସିଛି ତା ନୁହେଁ, ଏହା ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସହାୟ’କୁ ନେଇ ଅଭିଯୋଗ ଆସୁଛି। କେଉଁଠାରେ ଆବଶ୍ୟକ ତାଲିମ୍‌ ନେଇ ନଥିବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ତ ଆଉ କେଉଁଠି ଡାଏଲିସିସ୍ ରୋଗୀଙ୍କୁ ଆବଶ୍ୟକ ଇଞ୍ଜେକସନ୍ ଯୋଗାଇ ଦିଆଯାଉ ନାହିଁ। ସେହିପରି କେତେକ ସ୍ଥାନରେ କିଡ୍‌ନି ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ହିମୋଗ୍ଲୋବିନ୍‌ ଇଂଜେକ୍ସନ୍‌ ଦିଆଯାଉନାହିଁ। ଏହାସହ ରୋଗୀଙ୍କ ପାଇଁ ଆବଶ୍ୟକ ସୋଡିୟମ୍‌ ଓ ପୋଟାସିୟମ୍‌ ପରୀକ୍ଷା ହେଉନଥିବା ଅଭିଯୋଗ ହେଉଛି। ମାସ ମାସ ଧରି ଏଭଳି ଅବ୍ୟବସ୍ଥା ଚାଲିଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଉନାହିଁ।

ସମ୍ବନ୍ଧିତ ଖବର