କଣ୍ଟ ପୂରିଲା କାଟୁ କରୁନି କଟକଣା, ଯେଉଁଠି ଆଖି ପଡ଼ୁଛି ସେଇଠି ପଲିଥିନ୍

ଲୋକ ବି ସଚେତନ ହେଉନାହାନ୍ତି, ବ୍ୟବସାୟୀଙ୍କର ପଲିଥିନ୍ ମୋହ ଛାଡ଼ୁନି

0 580

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ୫ ମହାନଗର ନିଗମ ସମେତ ପୁରୀ ସହରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ବନ୍ଦ ହେବ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଲା। ସେପ୍ଟମ୍ବର ୨୭ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗର ଏ ନେଇ ବିଜ୍ଞପ୍ତି ଜାରି କଲା। ବ୍ୟବସାୟୀମାନଙ୍କ ପାଖରେ ଆଗରୁ ଗଚ୍ଛିତ ଥିବା ପଲିଥିନ୍‌କୁ ଯଥାଶୀଘ୍ର ସାରିବାକୁ ‌ଗୋଟିଏ ମାସ ଅର୍ଥାତ ଅକ୍ଟୋବର ୨୬ ତାରିଖ ଯାଏଁ ଅନୁମତି ଦିଆଗଲା। ଉଦ୍ଦେଶ୍ୟ ଥିଲା, ଏହି ମାସକ ଭିତରେ ଧୀରେ ଧୀରେ ପଲିଥିନ୍‌ର ବ୍ୟବାହର ନେଇ ଲୋକମାନେ ସଚେତନ ହେବେ। ବଜାରରେ ଆଉ ପଲିଥିନ୍ ମିଳିବନି। କିନ୍ତୁ ବାସ୍ତବତା ଭିନ୍ନ କିଛି ସୂଚାଉଛି। ଅନ୍ୟ ୫ଟି ସହର କଥା ଭିନ୍ନ। ଖୋଦ୍ ରାଜଧାନୀରେ ପଲିଥିନ୍ ବ୍ୟବହାର ସେମିତି ଚାଲିଛି। ଆମିଷ ବଜାରଠାରୁ ଆରମ୍ଭ କରି ପରିବା ହାଟ ଯାଏ, ତେଜରାତି ଦୋକାନଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଯାଏ, ସ୍ଥିତି ଯଥା ପୂର୍ବଂ ତଥା ପରଂ। କିଛି କିଛି ଲୋକ ସଚେତନ ହୋଇଛନ୍ତି ସତ। କପଡ଼ା ବ୍ୟାଗ୍‌ରେ ସାମଗ୍ରୀ କିଣାବିକା କରୁଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା ଏତେ ନଗଣ୍ୟ ଯେ ନିକଟ ଭବିଷ୍ୟତରେ ସହରରରୁ ପଲିଥିନ୍ ପୂରା ହଟିଯିବ, ତାହା ଚିନ୍ତା କରିହେଉନି। ପଲିଥିନ୍‌ ଯୋଗୁଁ ପରିବେଶ ପ୍ରଦୂଷଣ, ମାଟିର ଉର୍ବରତା ନଷ୍ଟ ଓ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହେଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏଥିପାଇଁ ଚିନ୍ତା ପ୍ରକଟ କରିବା ସହ ପ୍ଲାଷ୍ଟିକ, ଥର୍ମୋକୁଲ ଓ ପଲିଥିନ୍‌ର ବ୍ୟବହାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା କେତେଦୂର କାର୍ଯ୍ୟକାରୀ ହୋଇଛି, ତାହା ପରଖିବାକୁ ଆମେ ରାଜଧାନୀର ବିଭିନ୍ନ ହାଟ ଓ ବଜାର ବୁଲିଥିଲୁ। ଆମିଷ ହେଉ କି ପରିବା, ଛତୁ ହେଉ କି ପ୍ରସାଧନ ସାମଗ୍ରୀ, ସେ ବିରିୟାନି ପ୍ୟାକିଂ ହେଉ କି ପାଣି ପାଉଚ୍‌ ବିକ୍ରି ବଜାରରେ କିଛି କମିନାହିଁ। ସବୁଠି ବେଧଡ଼କ ପଲିଥିନ୍ ବ୍ୟବହାର ହେଉଛି।

ଆଜି ରବିବାରରେ ସମସ୍ତେ ଥିଲେ ଆମିଷ ବଜାର ମୁହାଁ। ୟୁନିଟ୍‌-୪ ମାଛ ମାର୍କେଟରେ ଥିଲା ହାଉଯାଉ ଭିଡ଼। ସେ ମଟନ୍‌ ହେଉ କି ମାଛ, ଚିକେନ୍‌ ‌ବ୍ୟବସାୟୀମାନେ ବିନା ସଂକୋଚରେ କଳା ପଲିଥିନ୍‌ରେ ଏସବୁ ପ୍ୟାକିଂ କରି ବଢ଼ାଇ ଦେଉଥିଲେ। ଲୋକେ ବି ବିନା ଦ୍ବିଧାରେ ନେଉଥିଲେ। ଏନେଇ ଯୁନିଟ୍‌-୪ ମାଛ ବ୍ୟବସାୟୀ ନିରୁପମା ବେହେରାଙ୍କୁ ପଚାରିବାରୁ ସେ କହି‌ଲେ, ମାଛ ପଲିଥିନ୍‌ରେ ନ ଦେଇ କପଡ଼ା ବ୍ୟାଗ୍‌ରେ ଦେଲେ ଆମିଷ ପାଣି ବାହାରକୁ ବାହାରିଯିବ। ଲୋକମାନେ ନେବାକୁ ଅମଙ୍ଗ ହେଉଛନ୍ତି। ଆମିଷ ପ୍ୟାକିଂରେ ପଲିଥିନ୍‌ର ବିକଳ୍ପ କପଡ଼ା ବ୍ୟାଗ୍‌ ନୁହେଁ। ତେଣୁ ଗ୍ରାହକ ପଲିଥିନ୍‌ ମାଗୁଥିବାରୁ ଆମେ ଦେଇଦେଉଛୁ। ପଲିଥିନ୍‌ରେ ମାଛ ନେଉଥିବା ଜଣେ ଗ୍ରାହକଙ୍କୁ ପଚାରିବାରୁ ସେ କହିଲେ, ଦୋକାନୀମାନେ ପଲିଥିନ୍‌ରେ ଦେଉଛନ୍ତି। ସେମାନଙ୍କ ପାଖେ କପଡ଼ା ବ୍ୟାଗ୍‌ ନାହିଁ। ଆମେ କ’ଣ କରିପାରିବୁ। ସହରର ଅନ୍ୟ ହାଟ ବଜାରର ଅବସ୍ଥା ମଧ୍ୟ ସମାନ। ଏକ ନମ୍ବର, ଆଠ ନମ୍ବର, ସହିଦ ନଗର, ନୂଆପଲ୍ଲୀ, ରସୁଲଗଡ଼ କୋଚିଲେଇ ହାଟ ସବୁଠି ସମାନ ପରିସ୍ଥିତି। କପଡ଼ା ବ୍ୟାଗ୍ ପିଛା ୨/୩ ଟଙ୍କା ଦେବାକୁ ଲୋକଙ୍କ ମଧ୍ୟରେ ମାନସିକତା ଆସିବା ଦରକାର ବୋଲି ବହୁ ଦୋକାନୀ କହିଛନ୍ତି। ବଜାରରେ କିଛି ବ୍ୟବସାୟୀ କପଡ଼ା ବ୍ୟାଗ୍‌ର ବ୍ୟବହାର କରୁଛନ୍ତି। ଯେଉଁ ଗ୍ରାହକମାନେ ମଟନ୍‌ କିମ୍ବା ଚିକେନ୍‌ ନେଉଛନ୍ତି, ସେମାନେ କପଡ଼ା ବ୍ୟାଗ୍‌ ପିଛା ୨/୩ ଟଙ୍କା ତ’ ଦେଉଛନ୍ତି। କିନ୍ତୁ ପରିବା କିମ୍ବା ଫଳ କିଣି ଆସୁଥିବା ଲୋକମାନେ କପଡ଼ା ବ୍ୟାଗ୍ ପିଛା ଆଉ ୨/୩ ଟଙ୍କା ଦେବାକୁ ଜମା ବି ମଙ୍ଗୁ ନାହାନ୍ତି। ଏନେଇ ଭୌମନଗର ହାଟର ଫଳ ବ୍ୟବସାୟୀ ହୃଷୀକେଶ ଲେଙ୍କା କହିଛନ୍ତି, ଗତ ୨୬ ତାରିଖରୁ ଆମେ କପଡ଼ା ବ୍ୟାଗ୍‌ ବ୍ୟବହାର କରୁଛୁ। ୧୦୦ ଖଣ୍ଡ ୧୧/୧୪ କପଡ଼ା ବ୍ୟାଗ୍‌କୁ ୧୨୦ ଟଙ୍କାରେ କିଣୁଥିବା ବେଳେ ଗ୍ରାହକଙ୍କୁ ୨ଟଙ୍କା ଲେଖାଏଁ ଦରରେ ବିକୁଛୁ। କିନ୍ତୁ ଗ୍ରାହକ ବ୍ୟାଗ୍‌ ନଦେଇ ପଲିଥିନ୍‌ ଦେବାକୁ କହୁଛନ୍ତି। ଆମ ପାଖରେ ପଲିଥିନ୍‌ ନାହିଁ କହିଲେ ଅନ୍ୟ ଦୋକାନୀ ପାଖରେ ଅଛି କହି ଏଠାରୁ ପଳାଉଛନ୍ତି। ଭୌମନଗର ହାଟ ପରିଚାଳନା କମିଟିର ସାଧାରଣ ସଂପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି, ଆମେ ବଡ଼ ବଡ଼ ମଲ୍‌କୁ ଗଲେ ୫/୧୦ ଟଙ୍କା ଦେଇ ବ୍ୟାଗ୍‌ କିଣୁଛୁ। କିନ୍ତୁ ହାଟରେ ୨/୩ ଟଙ୍କା ଦେଇ କିଏ ବ୍ୟାଗ୍‌ କିଣିବ ବୋଲି ପ୍ରଶ୍ନ ଉଠୁଛି। ପରିବେଶ ସୁରକ୍ଷାରେ ଆମେ ସମସ୍ତେ ଉତ୍ତରଦାୟୀ ହୋଇଥିବାରୁ ଏନେଇ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ଏହାଛଡ଼ା ସରକାର ଏହି କ୍ଷୁଦ୍ର ବ୍ୟବସାୟୀଙ୍କଠାରେ ଜୋର୍‌ ନ ଦେଖାଇ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ପ୍ରସ୍ତୁତକାରୀ ସଂସ୍ଥାଙ୍କ ଉପରେ ଚଢ଼ଉ କରି ଏହାର ଉତ୍ପାଦନ ବନ୍ଦ କରାନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ବଜାରରେ ପଲିଥିନ୍‌ ଉପରେ ନିଷିଦ୍ଧାଦେଶ କଳାବଜାରୀଙ୍କୁ ବେଶ୍ ସୁହାଇଛି। ଆଗରୁ ପଲିଥିନ୍‌ କିଲୋ ପିଛା ୧୧୦ ଟଙ୍କା ଥିବା ବେଳେ ଏବେ ତାହା ବଢ଼ି ୧୭୦ ଟଙ୍କାରେ ପହଞ୍ଚିଲାଣି ବୋଲି କହିଛନ୍ତି ପରିବା ବେପାରୀ ଗଗନ ସାହୁ। ଗ୍ରାହକ ମାଗୁଥିବାରୁ ଆମେ ପଲିଥିନ୍‌ କିଣୁଥିଲୁ। କିନ୍ତୁ ଏବେ ଆଉ ଏତେ ଟଙ୍କା ଦେଇ ପଲିଥିନ୍‌ ବି କିଣି ପାରିବୁନି ବୋଲି ସେ କହିଛନ୍ତି। ଏହି କଟକଣା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଛନ୍ତି, କଟକଣା ଜାରି କରାଯାଇଥିବା ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆମେ ଚିଠି ଲେଖିଛୁ। ଖୁବ୍‌ ଶୀଘ୍ର ଏନେଇ ଏକ ବୈଠକ ଆୟୋଜିତ ହେବ। ପୁଣି ନିଷେଧ ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର କରୁଥିବା ବ୍ୟବସାୟୀ ବା ନିୟମ ଉଲ୍ଲଂଘନକାରୀ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଆଦାୟ ହେବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ପଲିଥିନ୍‌ ଓ ପ୍ଲାଷ୍ଟିକ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକର ଲା‌ଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ବେ ଏସବୁର ଉତ୍ପାଦନ ଜାରି ରହିଲେ ନିୟମିତ ଭାବେ ଚଢ଼ଉ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.