ସୁପ୍ରିମ୍‌କୋର୍ଟ ନିର୍ଦେଶକୁ ମାନିଲେନି, ୧୦ କୋଟି ଧୂ

ଭୁବନେଶ୍ବର: ରାତି ୮ଟା ପୂର୍ବରୁ କି ୧୦ଟା ପରେ ବାଣ ଫୁଟିବ ନାହିଁ। ଫୁଟେଇଲେ ଧରାହେବେ। ଜରିମାନା ଦେବେ। ଦଣ୍ଡ ପାଇବେ। ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏଇ କଟକଣା ଶୁଣି ମନ ମରିଗଲା। ବାଣ ଫୁଟାଇବାକୁ ବର୍ଷର ଏହି ଦିନଟିକୁ ଚାହିଁ ରହିଥିବା ରାଜଧାନୀବାସୀ କିନ୍ତୁ ସନ୍ଧ୍ୟା ହେଉଣୁ ସମ୍ଭାଳି ପାରିଲେ ନାହିଁ। ସାଢ଼େ ୫ଟାରୁ ସଂଜ ନଇଁବା ମାତ୍ରେ ଆରମ୍ଭ ହୋଇଯାଇଥିଲା ଢୋ ଢା..। ପ୍ରଶାସନ ମୁଖ୍ୟ ରାସ୍ତାକଡ଼ରେ ଆଉ ଛକ ଜାଗାରେ ଯେତେ ଜଣକୁ ପାରିଲା ଧରିଲା। କିନ୍ତୁ ଗଳି କନ୍ଦିରେ ଦୀପାବଳିକୁ ଖୁବ୍‌ ମଉଜରେ ପାଳିଲେ। ବର୍ଷକେ ଥରେ ଏପରି ସୁଯୋଗକୁ ହାତଛଡ଼ା କରିବାକୁ କେହି ଯେମିତି ପ୍ରସ୍ତୁତ ନଥିଲେ। ଅବଶ୍ୟ ଫୁଟା ବାଣ ଅପେକ୍ଷା ଏଥର ଅଧିକାଂଶ ହାଲ୍‌କା ବାଣ ଫୁଟାଇବା ଉପରେ ଗୁରୁତ୍ବ ଦେଇଥିଲେ। ଚଳିତ ବର୍ଷ ସହର ମଧ୍ୟରେ ୩୦୦ରୁ ଅଧିକ ବାଣ ଦୋକାନ ଖୋଲିଥିବା ବେଳେ ପ୍ରତି ଷ୍ଟଲ୍‌ରେ ୩ଲକ୍ଷରୁ ଅଧିକ ଟଙ୍କାର ବେପାର ହୋଇଥିଲା। ଏହା ବ୍ୟତୀତ ଭୁବନେଶ୍ବରରୁ ୨୭ କିଲୋମିଟର ଦୂରରେ ଜଟଣୀରେ ବାଣର ହୋଲ୍‌ସେଲ୍‌ ଷ୍ଟଲ୍‌ ଖୋଲିଥିବାରୁ ଅଧିକାଂଶ ଜଟଣୀରୁ ବାଣ କିଣିଥିଲେ। ସହର ଓ ଉପକଣ୍ଠରେ ମୋଟାମୋଟି ବାବେ ୧୦କୋଟିରୁ ଅଧିକ ଟଙ୍କା ମୂଲ୍ୟର ବାଣ ଫୁଟିଥିଲା। ସୁପ୍ରିମ‌କୋର୍ଟଙ୍କ ନିର୍ଦେଶ ପାଳନ ଉପରେ ନଜର ରଖିବା ପାଇଁ ସହରରେ ଦୀପାବଳି ଦିନ ୧୫ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ ହୋଇଥିଲେ। ମାତ୍ର ପ୍ରଥମଥର ଏହି ନିର୍ଦେଶ ଜାରି ହୋଇଥିବା ବେଳେ ଅନେକ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ। ସାଢ଼େ ୫ରୁ ରାତି ୧୧ଟା ପର୍ଯ୍ୟନ୍ତ ବାଣ ଫୁଟା ବନ୍ଦ ହୋଇନଥିଲା। ଏମିତିକି ବିଳମ୍ବିତ ରାତି ଯାଏଁ ମଧ୍ୟ ଠାଏଠାଏ ବାଣ ଫୁଟା ଚାଲିଥିଲା। ଏଥର କିନ୍ତୁ ଦୀପ ଓ ଆଲୁଅକୁ ବି ଯଥେଷ୍ଟ ମହତ୍ତ୍ବ ଦିଆଯାଇଥିଲା। କୋଠାବାଡ଼ି ଆଲୁଅ ମାଳାରେ ସଜେଇ ହୋଇଥିଲା। ଅଗଣାରେ ଦୀପ ମାଳାରେ ସଜା ଯାଇଥିଲା। ଏଥର ବଜାରକୁ ଆସିଥିବା ଭିନ୍ନ ଧରଣର ସୁସଜ୍ଜିତ ଆଲୁଅ ମାଳାରେ ଘରର ଛାତ ଓ କାନ୍ଥ ଝଟକିଥିଲା।

ବାଣଫୁଟି ୮ ଆହତ
ବାଲିଅନ୍ତା: ଦୀପାବଳିରେ ବାଣ ଫୁଟାଇବା ସମୟରେ ବାଲିଅନ୍ତା ଥାନା ଅଞ୍ଚଳରେ ୨ ନାବାଳକଙ୍କ ସମେତ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପରିବାର ଲୋକ ସେମାନଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବାଣ ନିଆଁରେ ଆହତମାନେ ହେଲେ ନାଗପୁର ଗ୍ରାମର ଲିପୁ ବେହେରା (୨୫), ବାଳକାଟିର ପ୍ରଭାତ ମାଣିକ (୧୫), ଉତ୍ତରା ଫାଣ୍ଡି ଅଧୀନ ପୁବାଶାସନର ସୁରେଶ ବେହେରା (୪୨), ଉକ୍ତ ଗ୍ରାମର ସୁଭାସିନୀ ମହାପାତ୍ର (୧୫), ମନୋଜ ମହାପାତ୍ର (୨୦), ବସନ୍ତ ମଲ୍ଲିକ (୩୫), କୁନାଲ ମହାରଣା (୧୦), ସରକଣାର ସୁଶାନ୍ତ ସାମନ୍ତରାୟ (୪୪)। ଏଥିସହିତ ଭିଙ୍ଗାରପୁର, ବେଣୁପର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ମଧ୍ୟ ଅନେକ ଲୋକ ବଣ ଫୁଟାଇ ଆହତ ହୋଇଥିବା ସୂଚନା ମିଳିଛି।

ଦୀପାବଳି ଅଘଟଣ, ଡାକ୍ତରଖାନାରେ ଭର୍ତ୍ତି ହେଲେ ୩୦ରୁ ଊର୍ଧ୍ବ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ପବିତ୍ର ଦୀପାବଳି ପାଳନ ବେ‌‌ଳେ ରାଜଧାନୀର ବିଭିନ୍ନ ଜାଗାରେ ଅଘଟଣ ଘଟିଛି। ବାଣ ଫୁଟାଇବା ବେଳେ ଓ ବାଣର ସଂସ୍ପର୍ଶରେ ଆସି ୫୦ରୁ ଅଧିକ ଆହତ ହୋଇ କ୍ୟାପିଟାଲ ସହ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ସେହିଭଳି ଦୀପାବଳିରେ ଘରେ କେହି ନଥିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ସୂଚନା ରହିଛି। ତେବେ ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ ଆହତଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ଥିବା ଚିକିତ୍ସାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସଂଧ୍ୟା ୭ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍‌ପିଟାଲକୁ ଆହତମାନଙ୍କ ଧାଡ଼ି ଲାଗିଥିବା ବେଳେ ଆହତଙ୍କ ମଧ୍ୟରେ ଜଣେ ୭ବର୍ଷର ଶିଶୁ ପୁତ୍ର ରହିଛି। ବାଣ ଫୁଟାଇବା ସମୟରେ ବାଣରୁ ନିଆଁଝୁଲ ଆସି ତା’ ଡାହାଣ ଆଖିରେ ପଡ଼ିଛି। ସ୍ବେଚ୍ଛାସେବୀ ବ୍ୟକ୍ତି ଓ ସଂଗଠନର କର୍ମକର୍ତ୍ତାମାନେ ଆହତମାନଙ୍କୁ ସହାୟତା କରିଥିବା କ୍ୟାପିଟାଲ ହସ୍‌ପିଟାଲର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ ସୂଚନା ଦେଇଛନ୍ତି। ସେହିଭଳି ରଙ୍ଗମାଟିଆ ଆଦିବାସୀ ବସ୍ତିରେ ମଦନ ଲାଲ୍ ନାମକ ଜଣେ ଯୁବକଙ୍କ ହାତରେ ବାଣ ଫୁଟିବାରୁ ସେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଚନ୍ଦ୍ରଶେଖରପୁର ପଣ୍ଡାପାର୍କ ବସ୍ତିରେ ଅମନ ସାହୁ ଓ ତାଙ୍କ ଭାଇ ପ୍ରେମା ସାହୁ ଆହତ ହୋଇଛନ୍ତି। ସେହିଭଳି ମାରୁତି ବିହାର ନିକଟ ଏକ ଘରୋଇ ଆବାସିକ ଶିକ୍ଷାକେନ୍ଦ୍ରରେ ବାଣ ପଡ଼ି ନିଆଁ ଲାଗିଯିବାରୁ ଆସବାପତ୍ର ଜଳି ଯାଇଛି। ତେବେ ଶୀଘ୍ର ନିଆଁକୁ ଆୟତ କରାଯାଇଥିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ‌ଏଡ଼ାଇ ଦିଆଯାଇ ପାରିଛି। ସେହିପରି ବାଲିପାଟଣା ବ୍ଲକ ଅନ୍ତର୍ଗତ ଦେଉଳିଧର ଗ୍ରାମର ଚିତ୍ତର˚ଜନ ଜେନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମଞ୍ଚେଶ୍ବରସ୍ଥିତ ଡିକେ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଦୀପାବଳିରେ ଚୋରି ହୋଇଛି। ସପରିବାର ସେ ନିଜ ଗ୍ରାମକୁ ଯାଇ ଥିବା ବେଳେ ଘର ତାଲା ଭଙ୍ଗାଯାଇ ଜିନିଷପତ୍ର ଚୋରି ହୋଇଛି। ସେହିଭଳି ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ମଧ୍ୟ ପାଳନ ହୋଇନାହିଁ। ଡମଣା ଦୁର୍ଗାପୂଜା ପଡ଼ିଆ, ପାଣ୍ଡରା, ହାଉସିଂ ବୋର୍ଡ଼ କଲୋନି, ଶୈଳଶ୍ରୀବିହାର, ମାରୁତିବିହାର, ଧିରିକୁଟି ସାହି ପଡ଼ିଆର ବାଣ ବଜାରରେ ବେଆଇନ୍‌ ଘୋଷିତ ବାଣ ବିକ୍ରି ହୋଇଥିବା ବେଳେ ଗ୍ରାହକଙ୍କ ଚାହିଦା ପାଇଁ ଗୋଦାମରେ ବଡ଼ ବାଣ ଲୁଚାଇ ରଖି ବିକ୍ରି କରିଥିବା ଦେଖିବାକୁ ମଳିଛି।

ଦୀପାବଳି ପରେ ସଫେଇ
ଦୀପାବଳି ପରେ ଆଜି ନୂଆପଲ୍ଲୀ ବେହେରା ସାହିରେ ନୂଆପଲ୍ଲୀ ଯୁବ ବିଜୁ ବାହିନୀ ଏବଂ ଶ୍ରୀକୃଷ୍ଣ କ୍ଲବ୍‌ ଓ ମା ଦରୁଆଣୀ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ରାସ୍ତା ସଫେଇ କରାଯାଇଛି। ବିଜୁ ବାହିନୀର ସଦାଶିବ ମହାକୁଡ଼, ଜ୍ୟୋତିର୍ମୟୀ ପ୍ରଧାନ, କ୍ଲବ୍‌ର ବିଷ୍ଣୁ ବେହେରା, ଆଦିତ୍ୟ ବେହେରା, ପ୍ରଶାନ୍ତ ସାହୁ ଓ ଦିବାକର ବେହେରା ପ୍ରମୁଖଙ୍କ ତତ୍ତ୍ବାବଧାନରେ ଏହି ସଫେଇ କରାଯାଇଥିଲା।

ସମ୍ବନ୍ଧିତ ଖବର