କାମରେ ଲାଗୁନି କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଫୁଟ୍‌ ଓଭରବ୍ରିଜ୍‌, ୨୦ କୋଟି ବରବାଦ୍‌

ଭୁବନେଶ୍ବର: ହକି ବିଶ୍ବକପ୍‌ ପୂର୍ବରୁ ତରବରିଆ ଭାବେ ପୂର୍ତ୍ତ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମର ଗେଟ୍‌ ନଂ. ୪ ଓ ଗେଟ୍‌ ନଂ. ୨ ସମ୍ମୁଖରେ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେଲା। ପ୍ରାୟ ୨୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ର ସାଜସଜ୍ଜା ପାଇଁ ପାଇଁ ଲକ୍ଷାଧିକ ଟଙ୍କା ବି ଖର୍ଚ୍ଚ ହେଲା। ହେଲେ ନିର୍ମାଣ ହେବା ଦିନ ଠାରୁ ଏହା ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ସେହି ଅନୁଯାୟୀ କାମରେ ଲାଗୁନି। ନା ଏହା ଉପରେ କେହି ଯାତାୟତ କରୁଛନ୍ତି ନା ଏହାକୁ ନିୟମିତ ସ‌ଫା କରାଯାଉଛି। ଫଳରେ ଏହା ଏବେ ଏକରକମ ଅସାମାଜିକ ବ୍ୟକ୍ତିଙ୍କ କବ୍‌ଜାକୁ ଚାଲିଗଲାଣି।

କଳିଙ୍ଗ ଷ୍ଟାଡିୟମର ହକି ବିଶ୍ବକପ୍‌ ଆୟୋଜନ ହେବା ପୂର୍ବରୁ ଭିଡ଼ ନିୟନ୍ତ୍ରଣ ପାଇଁ ବସିଥିବା ସମୀକ୍ଷା ବୈଠକରେ ଗେଟ୍‌ ନଂ-୪ ସମ୍ମୁଖରେ ଗୋଟିଏ ଫୁଟ୍ ଓଭରବ୍ରିଜ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଅନୁଯାୟୀ ବି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଲା। ହେଲେ ହଠତ୍ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଆଉ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ। ଏହା ଉପରେ ବିଶେଷ ଆଲୋଚନା ନକରି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ଏହା ଉପରେ ମୋହର ମାରିଦେଲା। ଫଳରେ ପ୍ରଥମ ଫୁଟ୍‌ ଓଭରବ୍ରିଜ୍‌ କାମ ଆରମ୍ଭ ହେବା ପରେ ପରେ ଦ୍ବିତୀୟ ଫୁଟ୍‌ ଓଭରବ୍ରିଜ୍‌ କାମ ଆରମ୍ଭ ହେଲା। ଗେଟ୍‌ ନଂ. ୪ ସମ୍ମୁଖ‌େର ୧୨କୋଟି, ଗେଟ୍‌ ୨ ସମ୍ମୁଖରେ ୮କୋଟି ବ୍ୟୟରେ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେଲା। ହେଲେ ହକି ବିଶ୍ବକପ୍‌ ସମୟରେ କେବଳ ଗେଟ୍‌ ନଂ. ୪ ଦେଇ ଭିଆଇପି/ଭିଭିଆଇପି ପାସ୍‌/ଟିକେଟ୍‌ ଧାରୀଙ୍କୁ ଛଡ଼ାଗଲା। କିନ୍ତୁ ଲୋକମାନେ କିପରି ଫୁଟ୍‌ ଓଭରବ୍ରିଜ୍‌ ଦେଇ ଯିବେ ଏବଂ ଆସିବେ ସେନେଇ କିଛି କଟକଣା ଲାଗୁ କରାଗଲାନି। ଫଳରେ ଲୋକ ଡିଭାଇଡର୍ ଡେଇଁ ଯାତାୟତ କଲେ ନଚେତ୍‌ ଯେଉଁଠି କଟ୍‌ ଥିଲା ସେହି ରାସ୍ତାରେ ଯିବାଆସିବା କଲେ। କାଁ ଭାଁ ଲୋକ ଫୁଟ୍‌ ଓଭରବ୍ରିଜ୍‌ ଦେଇ ଯାତାୟତ କଲେ। ଲୋକ ଯେପରି ଫୁଟ୍‌ ଓଭରବ୍ରିଜ୍‌ ବ୍ୟବହାର କରିବେ ସେଥିପାଇଁ ଡିଭାଇଡରକୁ ଉଚ୍ଚା କରାଗଲାନି କି ପୁଲିସ ପକ୍ଷରୁ କଟକଣା ଲାଗୁ ହେଲାନି। ଫଳରେ ପ୍ରଥମ ଦିନରୁ ଏହି ଫୁଟ୍‌ ଓଭରବ୍ରିଜ୍‌ ପ୍ରକଳ୍ପ ଫେଲ୍‌ ମାରିଗଲା। ଏହାପରେ ଯଦିଓ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ପ୍ରତିଯୋଗିତା ହୋଇଛି କିନ୍ତୁ ଏହି ଫୁଟ୍‌ ଓଭରବ୍ରିଜ୍‌ କେବେବି ବ୍ୟବହାରରେ ଆସିନି। ଶୂନଶାନ୍‌ ଏହି ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ଏବେ ଦିନ‌େବଳା ପ୍ରେମୀ ଯୁଗଳଙ୍କ ପାଇଁ ନିରାପଦ ସ୍ଥାନ ଏବଂ ସଂଧ୍ୟା ପରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଗେଟ୍‌-୪ ସମ୍ମୁଖରେ ନିର୍ମାଣ ହୋଇଥିବା ଫୁଟ୍‌ ଓଭରବ୍ରିଜ୍‌ଟି ଉଭୟ ପାର୍ଶ୍ବରୁ ବାଉଁଶ କାରୁକାର୍ଯ୍ୟ ଦ୍ବାରା ଆବୃତ୍ତ ହୋଇ ରହିଥିବାରୁ ଏମାନଙ୍କ ଉପରେ କାହା ନଜର ପଡ଼ୁନି। ‌‌ଯାହା ଅସାମାଜିକ ବ୍ୟକ୍ତିଙ୍କୁ ଅପରାଧିକ କାର୍ଯ୍ୟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସୁହାଉଛି।

ତିନି ସପ୍ତାହରେ ୪ଥର ଗଣ୍ଡଗୋଳ ହେଲାଣି: ଗତ ତିନି ସପ୍ତାହ ମଧ୍ୟରେ ଏହି ଫୁଟ୍‌ ଓଭରବ୍ରିଜ୍‌ ଉପରେ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ୪ ଥର ଝଗଡ଼ା ହେଲାଣି। ‘ପ୍ରେମିକା’କୁ ନେଇ କେତେକ ଯୁବକ ସେଠାରେ ତୁମୁଳକାଣ୍ଡ ଘଟାଇଛନ୍ତି। ଖବର ଥାନା ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ଆପୋସ ସମାଧାନ ହୋଇଛି। ଦିବ୍ୟାଙ୍ଗଙ୍କ ରାସ୍ତାରେ ଦୁର୍ବୃତ୍ତ ଯାଉଛନ୍ତି: ଫୁଟ୍‌ ଓଭରବ୍ରିଜ୍‌ରେ ଦିବ୍ୟାଙ୍ଗମାନେ ଯେପରି ସହଜରେ ଯାତାୟତ କରିପାରିବେ ସେଥିପାଇଁ ରୢାମ୍ପ ନିର୍ମାଣ ହୋଇଥିଲା। ହେଲେ ଏହି ରୢାମ୍ପ ଦେଇ କେବେବି କୌଣସି ଦିବ୍ୟାଙ୍ଗ ଯିବା କେହି ଦେଖିନାହାନ୍ତି। କିନ୍ତୁ ଏହି ରୢାମ୍ପ ଯୋଗୁଁ ଦୁର୍ବୃତ୍ତମାନେ ବାଇକ୍ ନେଇ ସିଧା ବ୍ରିଜ୍‌ ଉପରକୁ ଚଢ଼ି ଯାଉଛନ୍ତି। ‌ପ୍ରେମୀଯୁଗଳ ବି ସେହିଭଳି ବାଇକ୍ ଓ ସ୍କୁଟି ଚଲାଇ ଫୁଟ୍‌ ଓଭରବ୍ରିଜ୍‌ ଉପରକୁ ଚାଲିଯାଉଛନ୍ତି। କେତେକ ତ ଏହି ରୢାମ୍ପ ଉପରେ ଗାଡ଼ି ଚଳାଇ ବିଭିନ୍ନ ପ୍ରକାରର ଷ୍ଟଣ୍ଟ୍‌ କରୁଛନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି: ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏହା ପ୍ରେମୀ ଯୁଗଳଙ୍କ ପାଇଁ ନିରାପଦ ପାଲଟୁଛି। ଏପରିକି ବିଭିନ୍ନ ସମୟରେ ଅସାମାଜିକ ଯୁବକମାନେ ଏଠାକୁ ଆସି ସେମାନଙ୍କୁ ଧମକାଇବା ସହ ଖରାପ ବ୍ୟବହାର କରୁଥିବା ଜଣାପଡ଼ିଛି। ପ୍ରେମୀଯୁଗଳ ଲୋକଲଜ୍ଜା ଭୟରେ ପୁଲିସକୁ ଖବର ଦେଉନଥିବାରୁ ଅସାମାଜିକ ଯୁବକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅତିଷ୍ଠ ହୋଇଗଲେଣି କ୍ବାର୍ଟର୍ସ ବାସିନ୍ଦା: ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୁଟ୍‌ ଓଭରବ୍ରିଜ୍‌ ଉପରେ ନିଶାସକ୍ତ ଓ ଅପରାଧିକ ଯୁବକଙ୍କ ଆଡ୍ଡା ଜମୁଥିବାରୁ ଏହା ନିକଟରେ ଥିବା କ୍ବାର୍ଟର୍ସ ବାସିନ୍ଦା ପୂରା ଅତିଷ୍ଠ ହୋଇଗଲେଣି। ବ୍ରିଜ୍‌ର ଉଚ୍ଚତା ସହ ଏହି କ୍ବାର୍ଟର୍ସଗୁଡ଼ିକର ତୃତୀୟ ମହଲା ସମାନ ଉଚ୍ଚତାରେ ରହିଛି। ମଦ ଆସର, ରାସଲୀଳା ଓ ଅଶ୍ରାବ୍ୟ ଭାଷା ସହ ବାଇକ୍‌ ଷ୍ଟଣ୍ଟରେ ସେମାନେ ଅତିଷ୍ଠ ହୋଇପଡ଼ିଥିଲେ ହେଁ ପିସିଆର୍‌କୁ ଫୋନ୍ କରିବା ପରେ ବି କିଛି ସମାଧାନ ହେଉନାହିଁ। ରାସ୍ତା ଚକାଚକ୍‌, ଫୁଟ୍‌ଓଭରବ୍ରିଜ୍ ଆବର୍ଜନାମୟ: ଫୁଟ୍‌ ଓଭରବ୍ରିଜ୍‌ ଉପରେ ଦୀର୍ଘ ଦିନ ଧରି ଝାଡ଼ୁ ବାଜୁନି। ଫଳରେ ଧୂଳିର ଆସ୍ତରଣ, ପତର ଏହା ଉପରେ ଜମା ହୋଇଛି। ଏହି ବ୍ରିଜ୍ ପରିଷ୍କାର ପରିଛନ୍ନ ନଥିବାରୁ କେତେକ ଏହା ଉପରେ ଯାତାୟତ କରିବାକୁ ପସନ୍ଦ କରୁନାହାନ୍ତି।

କାର୍ଯ୍ୟାନୁଷ୍ଠାନ ହେବ
ଏ ନେଇ ମୁଁ ଅବଗତ ନ ଥିଲା। ଖୁବ ଶୀଘ୍ର ଏଭଳି ଅସାମାଜିକ ଯୁବକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସତ୍ୟଜିତ ମହାନ୍ତି, ପୁଲିସ କମିସନର
ଆମର କିଛି ଦାୟିତ୍ବ ନାହିଁ
ଆମକୁ କେବଳ ଏହାର ନିର୍ମାଣ ପାଇଁ ନିର୍ଦ୍ଦେଶ ଥିଲା। ଆମେ ଡିଜାଇନ୍‌ ପ୍ରସ୍ତୁତ କରିବା ପରେ ଏହାର ନିର୍ମାଣ କରିଥିଲୁ। ଏହା ଉପରେ ଲୋକ ଯାତାୟତ କରିବେ କି ନାହିଁ, ସଫାସୁତରା କିପରି ରହିବ ତାହା ଆମ କାର୍ଯ୍ୟ ନୁହେଁ।
ରମାରଞ୍ଜନ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହନିର୍ମାଣ, ଡିଭିଜନ୍‌ -୩

ସମ୍ବନ୍ଧିତ ଖବର