ଉଚ୍ଛେଦ ବେଳେ ଉତ୍ତେଜନା, ପୁଲିସ୍‌ ସହ ଧସ୍ତାଧସ୍ତି

ଚନ୍ଦ୍ରଶେଖରପୁର: ଭେଣ୍ଡିଂ ଜୋନ୍‌ ଦୋକାନଠାରୁ ଆଗକୁ ମାଡ଼ି ମୁଖ୍ୟ ରାସ୍ତାକୁ ଅବରୋଧ କରି ବ୍ୟବସାୟ କରୁଥିବା ଅଭିଯୋଗରେ ମୈତ୍ରିବିହାର ଆଖଣ୍ଡଳମଣି ଭେଣ୍ଡିଂ ଜେନ୍‌ ଫୁଟ୍‌ପାଥ୍‌କୁ ଆଜି ବିଡିଏ ଓ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ସମୟରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଓ କିଛି ସ୍ଥାନୀୟ ଯୁବକଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ସୂଚନା ପାଇ ଆଇଆଇସି ଦୀପକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣା ଅନୁଯାୟୀ ଟେକ୍‌ ମହେନ୍ଦ୍ରା ଓ ଆଇଟି ହମ୍‌ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍‌ ବ୍ୟବସାୟୀମାନେ ଫୁଟ୍‌ପାଥ୍‌ ଓ ରାସ୍ତାକୁ ଅବରୋଧ କରି ବ୍ୟବସାୟ କରୁଥିବାରୁ ସ୍ଥାନୀୟ ବରିଷ୍ଠ ନାଗରିକମାନେ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଆଜି ବିନା ନୋଟିସ୍‌ରେ ବିଡଏ ଓ ବିଏମ୍‌ସି ଉଚ୍ଛେଦକାରୀ ଦଳ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଥିଲେ। ଏହି ସମୟରେ କିଛି ଯୁବକ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏସବୁ ଘଟଣାକୁ ନିଜ ମୋବାଇଲ୍‌ରେ କିଛି ଯୁବକ ସୁଟିଂ କରୁଥିବା ବେଳେ ମୈତ୍ରିବିହର ଫାଣ୍ଡି ପୁଲିସ୍‌ ସେମାନଙ୍କୁ ବିରୋଧ କରିଥିଲା। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣାସ୍ଥଳରେ ଯୁବକ ଜଣକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ପୁଲିସ୍‌ ସହ ଯୁକ୍ତିତର୍କ କରିଥିବା ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ କୁହାଯାଇଛି। ତେବେ ସେହି ସ୍ଥାନରେ ତାଙ୍କ ବାପାଙ୍କ ଦୋକାନ ଥିବାରୁ ସେ ଏପରି ଯୁକ୍ତି କରିଥିବା ପୁଲିସ୍‌ କହିଛି। ଅନ୍ୟପକ୍ଷରେ ବିଡିଏ ଓ ବିଏମ୍‌ସି କର୍ମଚାରୀ ପୁଲିସ୍‌ ବଳରେ ସ୍ଥାନୀୟ କର୍ପୋରେଟ୍‌ କମ୍ପାନିଠାରୁ ଉତ୍କୋଚ ନେଇ ଗରିବ ବ୍ୟବସାୟୀମାନଙ୍କୁ ବାରମ୍ବାର ହନ୍ତସନ୍ତ କରୁଥିବା ଅଭିଯୋଗ ହୋଇଛି। ବିଡିଏ ଓ ବିଏମ୍‌ସି ଗତ ସପ୍ତାହରେ ବିନା କୌଣସି ପ୍ଲାନ୍‌ରେ ରାଜଧାନୀର ଅନେକ ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗି ଖରାରେ ଛଟପଟ ହେବାପାଇଁ ଛାଡ଼ିଦେଇଛି। ଏସବୁ ପଛରେ ବିଡିଏ ଓ ବିଏମସ୍‌ିର ବରିଷ୍ଠ ଅଧିକାରୀଙ୍କ ଭିତିରି ସଂପର୍କ ରହିଥିବା ଚର୍ଚ୍ଚା ହୋଇଛି। ମୋଟା ଅଙ୍କର ଟଙ୍କା ପାଇଁ ଅଧିକାରୀମାନେ ଗରିବଙ୍କୁ ହନ୍ତସନ୍ତ କରୁଥିବା ଘଟଣା ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର