ଭୂତଳ ରାସ୍ତାକୁ ନେଇ ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ୱର : ଭୂତଳ ରାସ୍ତାକୁ ନେଇ ଭିଏସ୍‌ଏସ୍‌ ନଗରବାସୀଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି। ବାରମ୍ବାର ଅନୁରୋଧ, ଦାବି, ସ୍ମାରକପତ୍ର ପ୍ରଦାନ ଆଦି ସଫଳ ନ ହେବାରୁ ଆଜି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଆଜି ‘ଭୂତଳ ରାସ୍ତା ସଂଗ୍ରାମ ସମିତି’ ବ୍ୟାନରରେ ଭିଏଏସ୍‌ଏସ୍‌ ନଗର ସମେତ ୧୦ ଖଣ୍ଡ ମଉଜା ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିରୋଧରେ ନାରାବାଜି କରିବା ସହ ତୁରନ୍ତ ରାସ୍ତା କାମ ଶେଷ କରିବାକୁ ଦାବି କରିଥିଲେ। ସମିତିର ଏହି ପଦକ୍ଷେପ ପୁଲିସକୁ ନାକେଦମ୍‌ କରିଥିଲା। ଲୋକମାନେ ମାତ୍ର ୫ ମିନିଟ୍‌ ରାଜରାସ୍ତାରେ ବସିବା ପରେ ପୁଲିସ ବହୁ କଷ୍ଟରେ ବୁଝାସୁଝା କରି ତାଙ୍କୁ ଉଠାଇ ଦେଇଥିଲା। କିନ୍ତୁ ଏହି ୫ ମିନିଟ୍‌ର ଅବରୋଧ ସହରବାସୀଙ୍କୁ ନାକେଦମ୍‌ କରିଥିଲା। ଜାତୀୟ ରାଜପଥରେ କିଛି ସମୟ ପାଇଁ ଏହା ଅସ୍ୱାଭାବିକ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥିଲା। ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ବି ଜାତୀୟ ରାଜପଥର କୌଣସି ପ୍ରତିନିଧି ଘଟଣାସ୍ଥଳକୁ ଆସିନଥିଲେ।

ଫସିଲା ୨ ଆମ୍ବୁଲାନ୍ସ

ଜାତୀୟ ରାଜପଥ ଅବରୋଧ ଯୋଗୁ ପ୍ରାୟ ୩୦ ମିନିଟ୍‌ ଧରି ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଏଥିରେ ଫସି ଯାଇଥିଲା ୨ଟି ଆମ୍ବୁଲାନ୍ସ। ଆମ୍ବୁଲାନ୍ସରେ ଗୁରୁତର ରୋଗୀ ଥିବାରୁ ସେମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଜାମ୍‌ ଯୋଗୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ବାହାରିବା ସମ୍ଭବ ହୋଇ ନଥିଲା।

୪ ଦିନ ଭିତରେ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି

୫ ମିନିଟ୍‌ର ଜାତୀୟ ରାଜପଥ ଅବରୋଧ ୩୦ ମିନିଟ୍‌ ଟ୍ରାଫିକ୍‌ ଜାମ୍‌ର କାରଣ ପାଲଟିଥିଲା। ପୁଲିସ ଯଥାସମ୍ଭବ ରାସ୍ତା ଅବରୋଧକୁ ହଟାଇବାକୁ ଚେଷ୍ଟା କରିଥିଲା। ଅଞ୍ଚଳବାସୀଙ୍କୁ ବହୁ ବୁଝାସୁଝା ପରେ ଶେଷରେ ୪ ଦିନ ମଧ୍ୟରେ କାମ ଆରମ୍ଭ କରିବାକୁ ଅତିରିକ୍ତ ଡିସିପି ତପନ ପଟ୍ଟନାୟକ ଓ ଏସିପି କିଶୋର ଚନ୍ଦ୍ର ମୁଣ୍ଡ ପ୍ରତିଶ୍ରୁତି ଦେଇଥିଲେ। ପରେ ଲୋକମାନେ ଆନ୍ଦୋଳନରୁ ଓହରିଥିଲେ। କାମ ଆରମ୍ଭ ନକଲେ ରଜ ପରେ ପୁଣି ରାସ୍ତା ଅବରୋଧ କରାଯିବ ବୋଲି ସମିତିର ଆବାହକ ଦିଲ୍ଲୀପ ଦାଶଶର୍ମା ଚେତାବନୀ ଦେଇଛନ୍ତି।

କାମଚଳା କାର୍ଯ୍ୟ କରୁଛନ୍ତି କର୍ତୃପକ୍ଷ

ଫଳ ମାର୍କେଟଠାରୁ ଆରମ୍ଭ ଭୂତଳ ରାସ୍ତାର ଆପ୍ରୋଚ୍‌ ରାସ୍ତା ନିର୍ମାଣ କରିବା ଓ ରାସ୍ତାରେ ଜମି ରହୁଥିବା ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀଙ୍କ ଦାବି ଥିବା ବେଳେ କାମଚଳା ଢଙ୍ଗରେ କେବଳ ଭୂତଳ ରାସ୍ତା/ଓଭର୍‌ବ୍ରିଜ୍‌ ତଳ ପଟ ରାସ୍ତାର କାମ କରିବା ଅଞ୍ଚଳବାସୀଙ୍କ କ୍ଷୋଭର କାରଣ ହୋଇଛି। ଏହାଫଳରେ ଫଳ ମାର୍କେଟ ନିକଟସ୍ଥ ରାସ୍ତା ଅର୍ଥାତ୍‌ ଭୂତଳ ରାସ୍ତାର ଆପ୍ରୋଚ୍‌ ରାସ୍ତା ମାଟି ହୋଇଥିବାରୁ ସବୁବେଳେ ସନ୍ତସନ୍ତିଆ ହୋଇ ରହିବ। ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ପୁଣି ସେହି ରାସ୍ତା କାହାର କାମରେ ଲାଗି ପାରିବ ନାହିଁ ବୋଲି ସମିତି ପକ୍ଷରୁ କୁହାଯାଇଛି।

ରାଜନୀତି ଜୋର୍‌ ଧରିଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ଆରମ୍ଭ ହେଲା କାମ: ବିଜେପି

ଭୁବନେଶ୍ୱର : ଭିଏସ୍‌ଏସ୍‌ ନଗର ଓ ସହିଦ ନଗରକୁ ସଂଯୋଗ କରୁଥିବା ଭୂତଳ ରାସ୍ତା କାମ ଦୁଇ ଦିନ ହେବ ଆରମ୍ଭ ହୋଇଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌) ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି କାର୍ଯ୍ୟ ଆରମ୍ଭର ଶ୍ରେୟ ନେବାକୁ ଆରମ୍ଭ ହୋଇଯାଇଛି ରାଜନୀତି। ଏନେଇ ଆଜି ଦୁଇ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋଦ୍‌ ମେୟରଙ୍କ ଉଦ୍ୟମରେ ରାଜପଥ ଅବରୋଧ ହୋଇଥିବା ବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ ଏହି କାମ ଆରମ୍ଭ ହୋଇଥିବା ଦାବି କରାଯାଇଛି। ଏନେଇ ଆଜି ଦଳ ପକ୍ଷରୁ ଭିଏସ୍‌ଏସ୍‌ ନଗର ଛକରୁ ଏକ ଧନ୍ୟବାଦ ପଦଯାତ୍ରା ଆୟୋଜିତ ହୋଇଥିଲା। ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ଭିଏସଏସ ନଗର ଉନ୍ନୟନ ସଂଘ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଏହି ଯାତ୍ରାରେ ସାମିଲ ଥିଲେ। ତେବେ ଦୀର୍ଘ ଦିନ ହେବ ବିଳମ୍ବିତ ହୋଇଥିବା ଏହି କାର୍ଯ୍ୟ ପାଇଁ ଏନ୍‌ଏଚ୍‌ ବିଭାଗ ଦାୟୀ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର