ବିଏମ୍‌ସି ଗଢ଼ିଲା ସ୍କ୍ବାଡ୍‌ : ଏଣେତେଣେ ମଳ ଓ ଆବର୍ଜନା ଫିଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଏଣେ ତେଣେ ମଳମୂତ୍ର ତଥା ନାଳରେ ମଇଳା ଫିଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ। ବାସୁଆଘାଇ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ଏହି ସବୁ ଆବର୍ଜନାକୁ ଫିଙ୍ଗିବା ପାଇଁ କୁହାଯାଇଛି। ଏହା ଉପରେ ନଜର ରଖିବା ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଏମ୍‌ସି ଦୁଇଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରିଛି। ସମ୍ପୃକ୍ତ ଜୋନ୍‌ର ଡେପୁଟି କମିସନର ସ୍କ୍ବାଡ୍‌ର ନୋଡାଲ ଅଫିସର ହୋଇଥିବା ବେଳେ ଜଣେ କମିସନରେଟ୍‌ ପୁଲିସରୁ ପ୍ରତିନିଧି ରହିବେ। ଏନ୍‌ଫୋର୍ସମେଣ୍ଟ ସମୟରେ କିଏ ଡ୍ୟୁଟିରେ ଆସିବେ ତାହା ଡିଆଇବିର ଲକ୍ଷ୍ମୀଧର ସେଠ୍‌ ଧାର୍ଯ୍ୟ କରିବେ। ଟ୍ରାଫିକ୍‌ର ପ୍ରତିନିଧି ଭାବରେ ଏଜି ଛକ ଥାନା ଇନସ୍‌ପେକ୍ଟର ସୁରେନ୍ଦ୍ର ବଳ ଓ ଚନ୍ଦ୍ରଶେଖରପୁର ଟ୍ରାଫିକ୍‌ ଥାନା ଇନ୍‌ସ୍‌ପେକ୍ଟର ପ୍ରମୋଦ ପଟ୍ଟନାୟକ ରହିଛନ୍ତି। ସେହିଭଳି ଆରଟିଓ-୧ ଓ ଆରଟିଓ-୨ରୁ ପ୍ରତିନିଧି ଏନ୍‌ଫୋର୍ସମେଣ୍ଟ ସମୟରେ ଉପସ୍ଥିତ ରହିବେ।

ଅପରପକ୍ଷରେ ବରମୁଣ୍ଡା ଫ୍ଲାଏ ଓଭର ଓ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ବରେ ଖଣ୍ଡଗିରି ପର୍ଯ୍ୟନ୍ତ, ଖଣ୍ଡଗିରି କସ୍‌ମୋପଲିସ୍‌ ହାଉସିଂ କମ୍ପ୍ଲେକ୍ସ ପାଖ ଡ୍ରେନ୍‌, ଫାୟାର ଷ୍ଟେସନ ଛକରୁ ସିଆରପି ଓ ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ରାସ୍ତା ପାର୍ଶ୍ବ ଡ୍ରେନ୍‌, କ୍ଲବ ଟାଉନ-ପଟିଆ ମଝିରେ ପାସିଂ ଡ୍ରେନ୍‌, ଲିଙ୍ଗିପୁରରୁ ପଳାସୁଣି ବାଇପାସ୍‌ ରାସ୍ତା, ସିଲିକନ୍‌ ଭିଲେଜ୍‌ରୁ ଶିଖରଚଣ୍ଡୀ ଛକରେ କୌଣସି ପରିସ୍ଥିତିରେ ଏହି ଆବର୍ଜନା ପଡ଼ିବ ନାହିଁ। ଏହାଛଡ଼ା ସହରର ଅନ୍ୟ ସ୍ଥାନରେ ଆବର୍ଜନା ପଡ଼ିବା ଉପରେ ଏହି ଦଳ ନଜର ରଖିବ। ସୂଚନାଯୋଗ୍ୟ, ଘର ଓ ବିଭିନ୍ନ ଆପାର୍ଟମେଣ୍ଟ, ହୋଟେଲରୁ ବାହାରୁ ଥିବା ମଳମୂତ୍ର ଓ ଆବର୍ଜନାକୁ ଗାଡ଼ି ନେଇ ଏହି ସବୁ ରାସ୍ତାରେ ଫିଙ୍ଗି ଦେଉଥିବା ଅଭିଯୋଗ ରହିଥିଲା।

ସମ୍ବନ୍ଧିତ ଖବର