ବୁଡ଼ିଲା ବ୍ୟବସାୟୀଙ୍କ ବେଉସା: ଦିନକୁ ୧୦୦ କୋଟିର ବେପାର ଠପ୍

ରାଜଧାନୀର ୪୦ ହଜାର ଛୋଟ ବେପାରୀ ବେସାହାରା

0

ଭୁବନେଶ୍ବର (ରୁଦ୍ର ପ୍ରସାଦ ଜେନା): ରାଜ୍ୟର ରାଜଧାନୀ ଭୁବନେଶ୍ବର। ଏଠାକୁ ବିଭିନ୍ନ ସ୍ଥାନରୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ନାନା କାମରେ ଆସନ୍ତି। ଘରକୁ ଫେରିବା ବେଳକୁ ସାଙ୍ଗରେ କିଛି ଜିନିଷ କିଣି ନେଇଥାନ୍ତି। ସେହିଭଳି ରାଜଧାନୀରେ ବସବାସ କରୁଥିବା ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଆବଶ୍ୟକ ଜିନିଷପତ୍ର କ୍ରୟ ପାଇଁ ‌ବିଭିନ୍ନ ହାଟ, ରାସ୍ତାପାର୍ଶ୍ବ ଉଠା ଦୋକାନ ଏବଂ ଭେଣ୍ଡିଂ ଜୋନ୍‌ରେ ଥିବା ଦୋକାନ ଉପରେ ନିର୍ଭର କରିଥାନ୍ତି। ଚପଲଠାରୁ ଆରମ୍ଭ କରି କେଶ ବିନ୍ୟାସ ପାଇଁ ସାମଗ୍ରୀ, ବହି ଖାତାଠାରୁ ପତ୍ରିକା ପର୍ଯ୍ୟନ୍ତ, ପୋଷାକଠାରୁ ଷ୍ଟେସନାରି ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଅପେକ୍ଷାକୃତ କମ୍‌ମୂଲ୍ୟରେ ରାସ୍ତାପାର୍ଶ୍ବ ଏବଂ ହାଟରେ ଥିବା ଦୋକାନରୁ ଗ୍ରାହକଙ୍କୁ ମିଳିଯାଏ। ଏଥିପାଇଁ ଏସବୁ ସ୍ଥାନରେ ସକାଳୁ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ଗହଳି ଲାଗିଥାଏ। କିନ୍ତୁ ଗତ ୩ ତାରିଖରେ ଆସିଥିବା ସାମୁଦ୍ରିକ ଝଡ଼ ‘ଫନି’ ଏହି ଛୋଟ ବ୍ୟବସାୟୀଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି।

ବ୍ୟବସାୟୀ ସଂଘର କର୍ମକର୍ତାଙ୍କ କହିବାନୁଯାୟୀ ରାଜଧାନୀରେ ଏବେ ୫୪ଟି ଭେଣ୍ଡିଂ ଜୋନ୍ ରହିଛି। ଏଗୁଡ଼ିକରେ ପ୍ରାୟ ୨୫ ହଜାରରୁ ଊର୍ଧ୍ବ ଦୋକାନୀ ରହିଛନ୍ତି। ସେହିଭଳି ୟୁନିଟ-୧, ୟୁନିଟ-୪, ରସୁଲଗଡ଼, ସହିଦନଗର, ଭିଏସ୍‌ଏସ୍‌ ନଗର ଭଳି ୨୪ଟି ହାଟ ରହିଛି। ଏହି ହାଟଗୁଡ଼ିକରେ ଥିବା ପିଣ୍ଡି ଏବଂ ହାଟ ଭିତରେ ପ୍ରାୟ ୧୫ ହଜାର ବ୍ୟବସାୟୀ ଅଛନ୍ତି। ତେଣୁ ରାଜଧାନୀରେ ୪୦ ହଜାରରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ମାଧ୍ୟମରେ ଗୁଜରାଣ ମେଣ୍ଟାଇଥାନ୍ତି। ଏହି ବ୍ୟବସାୟୀଙ୍କ ଉପରେ ସେମାନଙ୍କ ପରିବାରର ପ୍ରାୟ ୨ ଲକ୍ଷ ଲୋକ ନିର୍ଭର କରିଥାନ୍ତି। ବାତ୍ୟା ପରଠାରୁ ଏମାନଙ୍କର ବ୍ୟବସାୟ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେମାନଙ୍କ ଦୋକାନଘର ଭାଙ୍ଗିଯାଇଛି। ପାଣି ଓ ପବନରେ ଥିବା ଜିନିଷପତ୍ର ସବୁ ନଷ୍ଟ ହୋଇଯାଇଛି। ଦୋକାନ ଭାଙ୍ଗିଯିବା ସମେତ ଲାଇଟ୍ ନଥିବା କାରଣରୁ ଅନେକ ସାମଗ୍ରୀକୁ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି। ଯାହାକିଛି ରହିଛି ତାହାକୁ ସାଇତି ରଖିବାକୁ ଜାଗା ନଥିବାରୁ ସେଗୁଡ଼ିକ ମଧ୍ୟ ଖରାବର୍ଷାରେ ଭିଜୁଛି।

ଭେଣ୍ଡିଂଜୋନ୍‌ରେ ଥିବା ଦୋକାନୀଙ୍କଠାରୁ ବିଏମ୍‌ସି ବର୍ଷକୁ ୪୧୦୦ ଟଙ୍କାର ଫି’ ଆଦାୟ କରାଯାଇଥାଏ। କିନ୍ତୁ ବାତ୍ୟା ପରେ ଏହି ବ୍ୟବସାୟୀଙ୍କ ନିକଟରେ ନାଁ ସରକାର ନା ମହାନଗର ନିଗମ, କେହି ଛିଡ଼ା ହୋଇ ନାହାନ୍ତି। ବାତ୍ୟାକୁ ପ୍ରାୟ ୧୨ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଭେଣ୍ଡିଂଜୋନ୍‌ ଓ ରାସ୍ତାପାର୍ଶ୍ବ ଦୋକାନୀମାନେ ସେମାନଙ୍କ ଦୋକାନକୁ ସଜାଡ଼ି ପାରିନାହାନ୍ତି। ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ସେମାନଙ୍କୁ ଦିଆଯାଇନାହିଁ। ଗ୍ରାହକଙ୍କୁ ସେବା ଯୋଗାଇବା ସହିତ ସରକାରଙ୍କୁ କୋଟି କୋଟି ଟଙ୍କାର ଟିକସ୍‌ ଦେଉଥିଲେ ମଧ୍ୟ ଏଭଳି ବିପର୍ଯ୍ୟୟ ବେଳେ ପ୍ରାଶାସନିକ ଅଧିକାରୀଙ୍କ ପାଦ ନପଡ଼ିବା ବ୍ୟବସାୟୀଙ୍କ ମନୋବଳକୁ ଭାଙ୍ଗିଦେଇଛି। ଚାଷୀଙ୍କ ଭଳି ବ୍ୟବସାୟୀମାନେ ମଧ୍ୟ ଅର୍ଥନୀତିର ମେରୁଦଣ୍ଡ ସଦୃଶ। ଚାଷୀମାନେ ଉତ୍ପାଦିତ କରୁଥିବା ସାମଗ୍ରୀକୁ ବ୍ୟବସାୟୀମାନେ ସଂଗ୍ରହ କରି ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାଆନ୍ତି। କିନ୍ତୁ ସେମାନଙ୍କୁ ମଧ୍ୟ ବିଜୁଳି ଓ ପାଣି ଭଳି ମୌଳିକ ସୁବିଧା ମିଳିପାରିନାହିଁ। ବାତ୍ୟା ପୂର୍ବରୁ ସ୍ବାଭାବିକ ଦିନଗୁଡ଼ିକରେ ହାଟରେ ଥିବା ବ୍ୟବସାୟୀମାନେ ଦିନକୁ ହାରାହାରି ୫୦ ହଜାର ଟଙ୍କାର ବ୍ୟବସାୟ କରିଥାନ୍ତି। ଦିନକୁ ଏମାନଙ୍କର ବିକ୍ରି ପ୍ରାୟ ୭୫ କୋଟି ଟଙ୍କା ରହିଥାଏ। ସେହିଭଳି ଭେଣ୍ଡିଜୋନ୍ ଏବଂ ରାସ୍ତାପାର୍ଶ୍ବର ଦୈନିକ ବ୍ୟବସାୟ ପରିମାଣ ହାରାହାରି ୧୦ ହଜାର ଟଙ୍କା ରହିଥାଏ। ତେଣୁ ୨୫ ହଜାର ବ୍ୟବସାୟୀ ଦିନକୁ ୨୫ କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି। ହାଟ ଓ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କୁ ମିଶାଇଲେ ଦିନକୁ ରାଜଧାନୀରେ ଅତିକମରେ ଏମାନେ ପାଖାପାଖି ୧୦୦ କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି। କିନ୍ତୁ ବାତ୍ୟାର ୨/୩ ଦିନ ପର୍ଯ୍ୟନ୍ତ ଏମାନଙ୍କ ବେପାର ପୂରା ଠପ୍ ହୋଇଯାଇଥିଲା। ଏପର୍ଯ୍ୟନ୍ତ ତାହା ସ୍ବାଭାବିକ ହୋଇପାରି ନାହିଁ। ଦୋକାନର ରୋଜଗାରରୁ ଘର ଓ ପରିବାର ଚଳାଉଥିବା ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ିଗଲାଣି। ବ୍ୟବସାୟୀ ସଂଘର କହିବାନୁଯାୟୀ ଦୋକାନୀଙ୍କର ୧୦ ହଜାର ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇଛି। ଦୀର୍ଘଦିନ ଧରି ବିଜୁଳି ସଂଯୋଗ ମିଳିଲାନାହିଁ। ଆଜବେଷ୍ଟସ୍‌, ଟିଣ ଏବଂ ଜରି ଉଡ଼ି ବ୍ୟବସାୟୀଙ୍କ ଜିନିଷପତ୍ର ସବୁ ନଷ୍ଟ ହୋଇଯାଇଛି। ମୋଟ ବ୍ୟବସାୟୀଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ଥିବାବେଳେ ୯୦ ପ୍ରତିଶତ ବ୍ୟବସାୟୀ ଦୋକାନ ଉପରେ ନିର୍ଭର କରି ପରିବାର ଚଳାନ୍ତି। ବ୍ୟବସାୟୀମାନେ କାହାରି ସାହାଯ୍ୟ ନପାଇ ବେସାହାରା ହୋଇ ପଡ଼ିଲେଣି। ସରକାର ତୁରନ୍ତ ଏମାନଙ୍କୁ ସହାୟତା ଯୋଗାଇ ଦେବାକୁ ବ୍ୟବସାୟୀ ସଂଘର କର୍ମକର୍ତା ଓ ବ୍ୟବସାୟୀମାନେ ଦାବି କରିଛନ୍ତି।

ସରକାର ବ୍ୟବସାୟୀଙ୍କ କଥା ଚିନ୍ତା କରିବା ଦରକାର
ବ୍ୟବସାୟୀମାନେ ଅର୍ଥନୀତିର ଏକ ପ୍ରମୁଖ ମେରୁଦଣ୍ଡ। ଚାଷୀ ଓ ଉତ୍ପାଦନକାରୀଙ୍କଠାରୁ ଜିନିଷ ସଂଗ୍ରହ କରି ଏମାନେ ଖାଉଟିଙ୍କୁ ଯୋଗାଇ ଦେଇଥାନ୍ତି। ସରକାର ସେମାନଙ୍କ କଥା ଚିନ୍ତା କରିବା କଥା। ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିରୁ ବଡ଼ ବ୍ୟବସାୟୀମାନେ ବୀମା ଓ ଅନ୍ୟାନ୍ୟ ଉପାୟରେ ସେମାନଙ୍କ କ୍ଷତି ଭରଣା କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଛୋଟ ବ୍ୟବସାୟୀମାନେ ତାହା କରିପାରନ୍ତି ନାହିଁ। ବର୍ତମାନର ଦୁର୍ଦ୍ଦିନରେ ଚାଷୀ ଓ ଅନ୍ୟ କ୍ଷତିଗ୍ରସ୍ତଙ୍କ ଭଳି ସରକାର ଯେଭଳି ସହାୟତା ପ୍ରଦାନ କରୁଛନ୍ତି କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ସେଭଳି ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ।
ଗୟାଧର ସ୍ବାଇଁ, ସାଧାରଣ ସମ୍ପାଦକ, ଭୁବନେଶ୍ବର ହାଟ ବ୍ୟବସାୟୀ ମହାସଂଘ
ଭୁବନେଶ୍ବରରେ ୨୨ ହଜାର ଦୋକାନ ଭାଙ୍ଗିଯାଇଛି
ଛୋଟ ବ୍ୟବସାୟୀଙ୍କ କେବିନ ଏବଂ ଭେଣ୍ଡିଂ ଜୋନ୍ ଘର ଉପରେ ପବନରେ ଗଛ ପଡ଼ି ସେସବୁ ନଷ୍ଟ ହୋଇଯାଇଛି। ଭୁବନେଶ୍ବରରେ ୨୫ ହଜାର ରାସ୍ତାପାର୍ଶ୍ବ ଦୋକାନୀଙ୍କ ମଧ୍ୟରୁ ୨୨ ହଜାର ଦୋକାନ ଭାଙ୍ଗି ଯାଇଛି। କେବଳ ଦୋକାନ ଭାଙ୍ଗିନାହିଁ, ପାଣି ପଶି ବିକ୍ରି ପାଇଁ ରଖାଯାଇଥିବା ଜିନିଷ ସବୁ ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ବ୍ୟବସାୟୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଯେଭଳି ତତ୍ପରତା ପ୍ରକାଶ ପାଇବା କଥା ତାହା ଦେଖିବାକୁ ମିଳୁନାହିଁ। ଏପର୍ଯ୍ୟନ୍ତ ପଲିଥିନ ଦିଆଯାଇନାହିଁ। ସେମାନଙ୍କର ରେସନକାର୍ଡ ନଥିବାରୁ ରିଲିଫ ସାମଗ୍ରୀ ମଧ୍ୟ ମିଳୁନାହିଁ। ଦୋକାନୀମାନେ ବେସାହାର ହୋଇପଡ଼ିଛନ୍ତି।
ପ୍ରତାପ ସାହୁ, ନିଖିଳ ଉତ୍କଳ ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ
ସରକାରଙ୍କ ବିନା ସହାୟତାରେ ବ୍ୟବସାୟ କରିବା ଅସମ୍ଭବ
ବାତ୍ୟାରେ ପ୍ରାୟ ୮୫ ପ୍ରତିଶତ ଦୋକାନ ଭାଙ୍ଗିଯାଇଛି। ଲାଇନ୍ ନାହିଁ। ପାଣି ଟୋପେ ମିଳୁନାହିଁ। ଜିନିଷ ସବୁ ପାଣି ପଶି ନଷ୍ଟ ହୋଇଯାଇଛି। ଦିନବେଳେ ଗରମ ପାଇଁ ଗ୍ରାହକ ଆସୁନାହାନ୍ତି। ରାତିରେ ଲାଇନ୍ ନଥିବାରୁ ଦୋକାନ ଖୋଲିପାରୁନାହିଁ। ଭେଣ୍ଡିଂଜୋନ୍‌ର ବ୍ୟବସାୟୀମାନଙ୍କୁ ମହାନଗର ନିଗମ ପକ୍ଷରୁ କିଛି ବ୍ୟବସାୟୀଙ୍କୁ ପରିଚୟପତ୍ର ମିଳିଛି। ଅନ୍ୟମାନଙ୍କୁ ଏହା ଦିଆଯାଇନାହିଁ। ପରିଚୟପତ୍ର ପ୍ରଦାନ କରି ଦୋକାନୀଙ୍କ ପାଇଁ ତୁରନ୍ତ ସହାୟତା ଘୋଷଣା କରାଯିବାର ଆବଶ୍ୟକତା ରହିଛି। କାରଣ ଏବେ ବେପାର ହେଉନାହିଁ। ‌ବ୍ୟବସାୟୀଙ୍କ ପାଖରେ ପଇସା ନାହିଁ। ତେଣୁ ସରକାରଙ୍କ ବିନା ସହାୟତାରେ ଛୋଟ ବ୍ୟବସାୟୀମାନେ ପୁଣି ଥରେ ବ୍ୟବସାୟ କରିବା ସମ୍ଭବ ନୁହେଁ।
ସୂର୍ଯ୍ୟମଣି ସାହୁ, ନିଖିଳ ଉତ୍କଳ ଉଠାଦୋକାନୀ ମହାସଂଘ ସାଧାରଣ ସମ୍ପାଦକ
ଦୋକାନ କେମିତି ସଜାଡ଼ିବୁ, ପରିବାର କେମିତି ଚଳାଇବୁ?
ବାତ୍ୟା ଆସିବା ସମୟରେ ଆମେ ଦୋକାନରେ ଥିଲୁ। କିନ୍ତୁ ଗଛ ଭାଙ୍ଗି ଟିଣ ଓ ଆଙ୍ଗେଲ୍‌ ଖସିପଡ଼ିବା ପରେ ଆମେ ରାସ୍ତା କଡ଼ରେ ଲଗାଯାଇଥିବା ରେଲିଂକୁ ଧରି ଜୀବନ ବଞ୍ଚାଇ ଦେଇଥିଲୁ। କିନ୍ତୁ ଦୋକାନରେ ଥିବା ଫଳଭର୍ତ୍ତି ଟ୍ରେକୁ ପବନ ଉଡ଼ାଇ ନେଇଗଲା। ସେସବୁ ଆଉ ପାଇଲୁ ନାହିଁ। ଦୁଇ ଦିନ ପର୍ଯ୍ୟନ୍ତ ଖାଇବାକୁ ମିଳିଲାନାହିଁ। କଷ୍ଟେମଷ୍ଟେ ଏବେ ବେପାର ଆରମ୍ଭ କରିଛୁ। କିନ୍ତୁ ପୂର୍ବରୁ ଦିନକୁ ୮-୧୦ ହଜାର ଟଙ୍କାର ବେପାର ହେଉଥିଲାବେଳେ ଏବେ ୫୦୦-୧୦୦୦ ଟଙ୍କାର ବେପାର ହେଉନାହିଁ। ଦୋକାନ କେମିତି ସଜାଡ଼ିବୁ ଏବଂ ପରିବାର କେମିତି ଚଳାଇବୁ ସେ ନେଇ ଚିନ୍ତାରେ ଅଛୁ।
ବନମାଳୀ ରାଉତ, ଫଳ ବ୍ୟବସାୟୀ, ୟୁନିଟ୍-୧
ବ୍ୟବସାୟ ବହୁମାତ୍ରାରେ କମିଯାଇଛି
ବାତ୍ୟାରେ ଦୋକାନ ଭାଙ୍ଗିଛି। ଫଳ ଟ୍ରେ ସବୁ ଉଡ଼ାଇ ନେଇଯାଇଛି। ଟ୍ରେ ବାବଦରେ ମହାଜନକୁ ପୁଣି ପଇସା ଦେବାକୁ ପଡ଼ିବ। ଲାଇଟ୍ ନାହିଁ। ଲାଇଟ୍ ଆସିଲେ ବେପାର କିଛି ହୁଅନ୍ତା। କିନ୍ତୁ ଏପର୍ଯ୍ୟନ୍ତ ଆମକୁ ଲାଇଟ୍ ଯୋଗାଇ ଦିଆଯାଇ ନଥିବାରୁ ବ୍ୟବସାୟ ବହୁମାତ୍ରାରେ କମିଯାଇଛି।
କେଶବ ରାଉତ, ଫଳ ଦୋକାନୀ, ୟୁନିଟ-୧
ବାତ୍ୟା ପରେ ସବୁ ଚୋରି ହୋଇଯାଇଛି
ବାତ୍ୟା ପରଠାରୁ ଲାଇନ୍ ନାହିଁ। ଦୋକାନର ଟିଣ ଉଡ଼ିଯାଇଛି। ଲାଇନ୍ ନଥିବା ଯୋଗୁ ଦୋକାନରେ ଥିବା ଆଇସକ୍ରିମ ପାଣି ହୋଇ ମିଳେଇ ଯାଇଛି। ସେହିଭଳି ଫଳଗୁଡ଼ିକ ପଚି ଯାଇଛି। ଦୋକାନରେ ଥିବା ଗ୍ରାଇଣ୍ଡର ଓ ଅନ୍ୟ ଜିନିଷପତ୍ର ଚୋରି ହୋଇଯାଇଛି। ଏବେ ବେପାର କିଭଳି କରିବୁ ସେ ନେଇ ଚିନ୍ତାରେ ରହିଛୁ। ଦିନକୁ ପ୍ରାୟ ୮-୧୦ ହଜାର ଟଙ୍କାର ବିକ୍ରି ହେଉଥିବାବେଳେ ଏବେ ବିକ୍ରି ବହୁପାରିମାଣରେ କମିଯାଇଛି।
ପ୍ରତାପ ଚନ୍ଦ୍ର ଖଟୁଆ, ଲସି ଦୋକାନୀ, ୟୁନିଟ-୧
ମହାଜନଙ୍କୁ ପଇସା କେମିତି ଶୁଝିବୁ?
ନିକଟରେ ଥିବା କ୍ବାର୍ଟର୍ସ ବାରଣ୍ଡାରେ ଆମର ବିକ୍ରି ସାମଗ୍ରୀ (କମ୍ବଳ, ବେଡସିଟ, ସୋଫା କଭର ଆଦି) ରଖିଥିଲୁ। ସେସବୁ ପାଣିପଶି ନଷ୍ଟ ହୋଇଯାଇଛି। ଦୁଇ ଦିନ ପର୍ଯ୍ୟନ୍ତ ଚୁଡ଼ା ଖାଇ ରହିବାକୁ ପଡ଼ିଥିଲା। ଏବେ କିଛିଟା ହୋଟେଲ ଖୋଲିବାରୁ ଖାଇବାକୁ ମିଳିଯାଉଛି। ବାତ୍ୟା ପୂର୍ବରୁ ଦିନକୁ ୬-୮ ହଜାର ଟଙ୍କାର ବେପାର ହେଉଥିଲା। ଏବେ ୧୦୦୦ ଟଙ୍କାର ବେପାର ମଧ୍ୟ ହେଉନାହିଁ। ମହାଜନଠାରୁ ବାକିରେ ଆଣିଥିବା ଜିନିଷ ବାବଦ ପଇସା କିଭଳି ଦେବୁ ଏବଂ ପରିବାର କିଭଳି ଚଳିବ ସେ ନେଇ ଚିନ୍ତାରେ ଅଛି।
ଏସ୍‌. କେ. ଆସାଉଦ୍ଦିନ୍, ରାସ୍ତାପାର୍ଶ୍ବ ବ୍ୟବସାୟୀ, ୟୁନିଟ୍-୨

ସମ୍ବନ୍ଧିତ ଖବର

Leave A Reply

Your email address will not be published.