ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତିରେ ଏବେ ଅସାମାଜିକ ତତ୍ତ୍ବଙ୍କ ଉତ୍ପାତ ବଢ଼ୁଥିବା ଦେଖାଯାଇଛି। ଯାଁଳାଠାରୁ ଆରମ୍ଭ କରି ହଂସପାଳ ପର୍ଯ୍ୟନ୍ତ ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ସତେଯେପରି ଲୁଟେରାଙ୍କ କବ୍ଜାକୁ ଚାଲି ଯାଉଛି। ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ଟ୍ରକ୍, କାର୍ ଓ ବାଇକ୍ ଆରୋହୀମାନେ ସେମାନଙ୍କ ଲୁଟ୍ର ଶିକାର ହେଉଛନ୍ତି। ସନ୍ଧ୍ୟାରୁ ରାତି ୧୨ଟା ପର୍ଯ୍ୟନ୍ତ ସହରରେ ସବୁ ଠିକ୍ଠାକ୍ ଚାଲିଥିବା ବେଳେ ଏହା ପରଠାରୁ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ସାମାଜିକ ତତ୍ତ୍ବ, ଲୁଟେରା ଓ ନିଶାସକ୍ତ ଯୁବକଙ୍କ ଉତ୍ପାତ ଆରମ୍ଭ ହୋଇଯାଉଛି। ଫଳରେ ବିଳମ୍ବିତ ରାତିରେ କାମ ସାରି ଘରକୁ ଫେରୁଥିବା କର୍ମଜୀବୀମାନେ ଏମାନଙ୍କ ଉତ୍ପାତର ଶିକାର ହେଉଛନ୍ତି। ମାତ୍ର ଏମାନଙ୍କୁ ସୁରକ୍ଷା ଦେବାକୁ କେହି ନାହାନ୍ତି। ରାତି ୧୨ଟାରେ ମଦ ବାର୍ଗୁଡ଼ିକ ବନ୍ଦ ହୋଇଯିବା ପରେ ସଂପୃକ୍ତ ନିଶାସକ୍ତ ଯୁବକମାନେ କାର ଓ ବାଇକ୍ରେ ରାସ୍ତା ଉପରକୁ ବାହାରୁଛନ୍ତି। ବେପରୁଆ ଗାଡ଼ି ଚାଳନା କରି ବିଭିନ୍ନ ସ୍ଥାନରେ ସିରିଜ୍ ଦୁର୍ଘଟଣା ଘଟାଉଛନ୍ତି। ଫଳରେ ସାଧାରଣ ଲୋକ ମୃତାହତ ହେଉଛନ୍ତି। ରାସ୍ତା ଉପରେ ଗାଡ଼ି ପାର୍କିଂ କରି ସିଗାରେଟ୍ ଟାଣିବା ସହିତ ବିନା କାରଣରେ ଅନ୍ୟମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। ପ୍ରତିବାଦ କଲେ ମାଡ଼ ମରାଯାଉଛି। ପୁଲିସର କୋହଳ ପାଟ୍ରୋଲିଂ ବ୍ୟବସ୍ଥା ଓ ରାଜଧାନୀର ଛକ ସ୍ଥାନରେ ବ୍ଲକିଂ ହେଉ ନଥିବାରୁ ସେମାନଙ୍କ ଉତ୍ପାତ ବଢ଼ିଯାଉଛି ବୋଲି ଅଭିଯୋଗ ହେଉଛି। କିଛିଦିନ ତଳେ ରସୁଲଗଡ଼ ଶିଳ୍ପାଞ୍ଚଳ ଭିତରକୁ ଯାଇଥିବା ରାସ୍ତା ପାର୍ଶ୍ବରେ ଅଟକିଥିଲା ଏକ କାର୍। ସେଥିରେ ଥିଲେ ୩ ଯୁବକ। ରାସ୍ତା ଉପରେ ମଦ ପିଇଲେ। ନିକଟରେ ଥିବା ଛୋଟ ଦୋକାନରୁ ସିଗାରେଟ୍ ଟାଣିଲେ। ଏହି ସମୟରେ ସେଠାରେ ପୂର୍ବରୁ ଏକ କାର୍ରେ ଆସିଥିବା ୩ଜଣ ଯୁବକଙ୍କ ସହ ସାମାନ୍ୟ କଥାରୁ ସେମାନଙ୍କ ବଚସା ହୋଇଥିଲା। କଥା ମାର୍ପିଟ୍ ପର୍ଯ୍ୟନ୍ତ ଗଲା। ମଦ ପିଇଥିବା ଯୁବକଙ୍କ ମଧ୍ୟରୁ ଜଣେ ପାଖରେ ରଖିଥିବା ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ପିଟିବା ଆରମ୍ଭ କରିଥିଲା। ଆକ୍ରମଣରେ ସେଠାରେ ଥିବା କାର୍ ଭାଙ୍ଗି ଯାଇଥିଲା। ଏତିକିରେ ସେମାନଙ୍କ ଉତ୍ପାତ ଥମି ନଥିଲା। ସେଠାରେ ଚା’ ପିଉଥିବା ଅନ୍ୟମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଠେଙ୍ଗା ଧରି ଗୋଡ଼ାଇଥିଲା। ଜଣେ ସ୍କୁଟି ଆରୋହୀଙ୍କୁ ବିନା କାରଣରେ ମାଡ଼ ମାରିବା ସହିତ ସ୍କୁଟି ଭଙ୍ଗାରୁଜା କରିଥିଲା। ନିଶାସକ୍ତ ଯୁବକମାନଙ୍କ ଉତ୍ପାତରେ ଦୋକାନୀଜଣଙ୍କ ଦୋକାନ ବନ୍ଦ କରିଦେଇଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଜାନୁଆରି ୨୧ ତାରିଖ ରାତି ପ୍ରାୟ ୧୨ଟା ୩୦ ସମୟରେ ବମିଖାଲ ଦୁର୍ଗାପୂଜା ମଣ୍ଡପଠାରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ୪ଜଣ ଅସାମାଜିକ ଯୁବକଙ୍କ ସହିତ ଜଣେ କାର୍ ଚାଳକଙ୍କ ଯୁକ୍ତିତର୍କ ହୋଇଥିଲା। ପରେ ଗୁଳିକାଣ୍ଡ ଓ ଭୁଜାଲି ଆକ୍ରମଣରେ ୨ଜଣ ଆହତ ହୋଇଥିଲେ। କେବଳ ରସୁଲଗଡ଼ କିମ୍ବା ବମିଖାଲରେ ନୁହେଁ, କିଛିଦିନ ତଳେ କଳ୍ପନା ଛକରେ ଥିବା ପଟ୍ରୋଲ ପମ୍ପରେ ମଧ୍ୟ ବିଳମ୍ବିତ ରାତିରେ କେତକ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ନୂଆପଲ୍ଲୀ ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା। ସାଧାରଣରେ ଅଭିଯୋଗ ଯେ ପୁଲିସ କେବଳ ସନ୍ଧ୍ୟା ପର୍ଯ୍ୟନ୍ତ ତତ୍ପର ରହୁଛି। ମାତ୍ର ସଂପୃକ୍ତ ଅସାମାଜିକ ତତ୍ତ୍ବଙ୍କ ଉତ୍ପାତ ବିଳମ୍ବିତ ରାତିରେ ହିଁ ଆରମ୍ଭ ହେଉଛି। ସେତେବେଳେକୁ ପୁଲିସକୁ କାଁ ଭାଁ ଦେଖିବାକୁ ମିଳୁଛି। ଫଳରେ ସେମାନେ ସହଜରେ ଅପରାଧ ଘଟାଇ ଫେରାର ହୋଇ ଯାଉଛନ୍ତି। ତେଣୁ ବିଳମ୍ବିତ ରାତିରେ ପୁଲିସର ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହିତ ନିଶାସକ୍ତ ଯୁବକଙ୍କୁ ସାବାଡ୍ କରିବାକୁ ସାଧାରଣରେ ଦାବି ହେଉଛି।