ପିଏଚ୍‌ଇଡି କବ୍‌ଜାରେ, ପଳାଶୁଣୀ ଗାଁ ମଶାଣି

ଭୁବନେଶ୍ବର: ଶବ ସତ୍କାର ଉଦ୍ଦେଶ୍ୟରେ ପଳାଶୁଣୀରେ ଏକ ମଶାଣି ନିର୍ମାଣ କରାଯାଇଥିଲା। କେବଳ ପଳାଶୁଣୀ ନୁହେଁ, ଅନ୍ତିମ ସଂସ୍କାର ପାଇଁ ଆଖପାଖ ବହୁ ଗାଁର ଲୋକମାନେ ଏହି ମଶାଣି ଉପରେ ନିର୍ଭର କରୁଥିଲେ। ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଏହି ମଶାଣି ଜାଗା ରହିଥିଲା। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଇଡି) ଏହାକୁ ଜବରଦଖଲ କରିବା ସହ ଚାରିପଟେ ପାଚେରି ବୁଲାଇଦେବା ଫଳରେ ଗାଁ ମଶାଶି ଗତ କିଛି ବର୍ଷ ହେଲା ଆଉ ଲୋକଙ୍କ କାମରେ ଆସୁନି। ଏଥିପାଇଁ ପିଏଚ୍‌ଇଡି ସାଧାରଣ ପ୍ରଶାସନ ବିଭାଗର ଅନୁମତି ବି ନେଇନି। ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପିଏଚ୍‌ଇଡି କର୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ଏନେଇ ବିଏମ୍‌ସି ବି କୌଣସି ପଦକ୍ଷେପ ନେଉନି। ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

୧୯୮୮ ମସିହାରେ ପ୍ରାୟ ୪୪୦ ଡିସିମିଲି ଜମିରେ ପଳାଶୁଣୀ ଗାଁ ମଶାଶି ନିର୍ମାଣ ହୋଇଥିଲା। ପଳାଶୁଣୀ ଗାଁ ସହ ଆଖପାଖ ଅଞ୍ଚଳର ଲୋକ ଏଠାରେ ଶବଦାହ କରୁଥିଲେ। ମଶାଣି ଜମିରେ ଜବରଦଖଲ କିମ୍ବା କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସରକାରଙ୍କ ନିୟମ ଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ପିଏଚ୍‌ଇଡିର କ୍ୟାପିଟାଲ୍ ୱାଟର୍ ୱାର୍କ ଏହାକୁ ବେଆଇନ୍‌ ଭାବେ ମାଡ଼ିବସିଛି। ଫଳରେ ଗ୍ରାମବାସୀଙ୍କୁ ଶବସତ୍କାର ପାଇଁ ସତ୍ୟନଗର ମଶାଣି କିମ୍ବା ପୁରୀ ସ୍ବର୍ଗଦ୍ବାର ଯିବାକୁ ପଡ଼ୁଛି। ପାଖରେ ସୁବିଧା ଥାଇ ମଧ୍ୟ ଲୋକମାନଙ୍କୁ ଅଯଥା ଖର୍ଚାନ୍ତ ହେବାକୁ ପଡ଼ୁଛି। ତେବେ ଏହି ମଶାଣି ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ହେଲା ଉଦ୍ୟମ ଜାରି ରହିଛି। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଳାଶୁଣୀ ଗ୍ରାମ୍ୟ କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ତା’ ପରଠୁ ସାଧାରଣ ପ୍ରଶାସନ ବିଭାଗ, ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସି ମଧ୍ୟରେ ଚିଠି ଦିଆନିଆରେ ସମୟ ବିତୁଛି। ଗତ ବର୍ଷ ସେପ୍ଟମ୍ବର ୧୨ ତାରିଖରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମ୍‌ସି କମିସନର୍‌ଙ୍କୁ ଚିଠି ଲେଖାଯାଇ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା। ତା’ ପରେ ଗତବର୍ଷ ଅକ୍ଟୋବର ୩୧ ତାରିଖରେ ଗ୍ରାମ୍ୟ କମିଟି ପକ୍ଷରୁ ବିଏମ୍‌ସି କମିସନର୍‌ଙ୍କୁ ପତ୍ର ଦିଆଯାଇ ମଶାଣିକୁ ଜବରଦଖଲମୁକ୍ତ କରିବାକୁ ନିବେଦନ କରାଗଲା। ଏହା ମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ତେବେ ଆଗକୁ ମଶାଶି ଜମିରୁ ଜବରଦଖଲ ନ ଉଠିଲେ ପଳାଶୁଣୀ ଗ୍ରାମ୍ୟ କମିଟି, ମା’ ଖଣ୍ଡେ‌ଶ୍ବରୀ ମହିଳା କମିଟି, ଖଣ୍ଡେଶ୍ବରୀ ଯୁବ କ୍ଲବ୍‌ ସହ ସମସ୍ତ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଗ୍ରାମ୍ୟ କମିଟିର ସଭାପତି କୈଳାସ ଚନ୍ଦ୍ର ଲେଙ୍କା କହିଛନ୍ତି, ଗତ ୩ ବର୍ଷ ହେଲା ଏ ବିଭାଗରୁ ସେ ବିଭାଗ ଦଉଡ଼ି ଦଉଡ଼ି ଆମେ ନୟାନ୍ତ ହେଲୁଣି। କିନ୍ତୁ ସରକାରୀ ବାବୁମାନେ ଆମ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି। ଅନ୍ୟପକ୍ଷରେ ଯଦି ମଶାଶି ଜମିରେ ସରକାର କିଛି ନିର୍ମାଣ କାର୍ଯ୍ୟ କରିବାକୁ ଚାହାନ୍ତି ତେବେ ମଶାଣି ପାଇଁ ଅନ୍ୟ ଏକ ଜମି ଦେବାକୁ ଆମେ କହୁଥିଲେ ବି ସରକାର ଚୁପ୍‌ ରହୁଛନ୍ତି। ଚିଠି ଦିଆନିଆ ବହୁତ ହୋଇଗଲା ଏବେ ଆମେ ଆମ ଅଧିକାର ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ।

ସମ୍ବନ୍ଧିତ ଖବର