ଫୋନ୍‌-ଇନ୍‌-ପ୍ଲିଜ୍‌ : ‘ଏକଚାଟିଆ ନୀତି ଗ୍ରହଣୀୟ ନୁହେଁ’

‌‌କେନ୍ଦ୍ର ସରକାର ସିବିଆଇର ଦୁରୁପଯୋଗ କରୁଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଅଣବିଜେପି ଶାସିତ ରାଜ୍ୟଗୁଡ଼ିକୁ ହଇରାଣ କରିବା ପାଇଁ ସିବିଆଇ ଯାଞ୍ଚ କରାଉଛନ୍ତି। ଏମିତି ଅଭିଯୋଗ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗତ ୧୬ ତାରିଖ ଦିନ ସିବିଆଇକୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। ଏହା ପରେ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନୁରୂପ ଘୋଷଣା କରିବା ପରେ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ସିବିଆଇ ତଦନ୍ତ କରିବାକୁ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ଯେଉଁ ସ୍ବୀକୃତିର ନେବାର ଆବଶ୍ୟକତା ଥାଏ, ତାହା ଦିଆଯିବ ନାହିଁ ବୋଲି ସମ୍ପୃକ୍ତ ଦୁଇ ରାଜ୍ୟ ସ୍ପଷ୍ଟ କରିଛନ୍ତି। ତେବେ ସଂଘୀୟ ବ୍ୟବସ୍ଥାରେ ଦୁଇ ରାଜ୍ୟଙ୍କ ଏପରି ନିଷ୍ପତ୍ତି କେତେ ଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ଚଳିତ ଥର ‘ସମ୍ବାଦ’ ଫୋନ୍‌ ଇନ୍ ଜରିଆରେ ପାଠକଙ୍କ ମତାମତ ଲୋଡ଼ା ଯାଇଥିଲା।

 ରାଜନୈତିକ ଶିଡ଼ି ପାର ହେବା ପାଇଁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଏହା ଏକ ବଡ଼ ଷଡ଼ଯନ୍ତ୍ର। ଯଦି ସେମାନେ ସ୍ବଚ୍ଛ ତେବେ ସିବିଆଇକୁ କାହିଁକି ଭୟ କରୁଛନ୍ତି। ସେହିପରି ସିବିଆଇ ମଧ୍ୟ ବିଜେପି ଶାସିତ ରାଜ୍ୟରେ ଚଢ଼ଉ କରୁ। କେବଳ ଅଣ ବିଜେପି ଶାସିତ ରାଜ୍ୟରେ ଚଢ଼ଉ କରି ଚୁପ୍‌ ନବସୁ। ଏହା କେବଳ ରାଜନୈତିକ ପଶାପାଲିର ଏକ ପ୍ରମୁଖ ମାଧ୍ୟମ ଛଡ଼ା ଆଉ କିଛି ନୁହେଁ।
ଶ୍ରୀବତ୍ସ ମହାନ୍ତି, ଯାଁଳା

 ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଏକଚାଟିଆ ନୀତି ଗ୍ରହଣୀୟ ନୁହେଁ। ସିବିଆକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା କେନ୍ଦ୍ର ସରକାର ଓ ସୁପ୍ରିମ୍‌କୋର୍ଟ ମଧ୍ୟରେ ରହିବା ଉଚିତ୍‌। ରାଜ୍ୟମାନେ ମୁଣ୍ଡ ନପୂରାଇ ସିବିଆଇକୁ ବିରୋଧ କରିବା ପରିବର୍ତ୍ତେ ତଦନ୍ତ ପକ୍ରିୟାରେ ସହଯୋଗ କରନ୍ତୁ।
ଚନ୍ଦ୍ରକାନ୍ତ ପଣ୍ଡା, ଶିଶୁବିହାର, ଭୁବନେଶ୍ବର

 ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସିବିଆଇକୁ ନିଷିଦ୍ଧ ଘୋଷଣା କରିବା ଉଚିତ୍‌ ନୁହେଁ। ଏହାଦ୍ବାରା ‌କେନ୍ଦ୍ର ସରକାରଙ୍କ ରାଜ୍ୟ ଉପରେ ଅଙ୍କୁଶ ରହିପାରବନି। କେନ୍ଦ୍ର ଓ ରାଜ୍ୟ ସମନ୍ବୟରେ ସମସ୍ୟା ଉପୁଜିବ। ଉଭୟ ରାଜ୍ୟଙ୍କ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ। ସେମାନେ ସିବିଆଇକୁ ସହଯୋଗ କରିବା ଉଚିତ୍‌।
ଶିଶିରକାନ୍ତ ଗୌଡ଼, ବ୍ରହ୍ମପୁର, କେ ରବି, ଜିଜିପି କଲୋନି, ରସୁଲଗଡ଼

 ଦୁଇ ରାଜ୍ୟର ଏଭଳି ନିଷ୍ପତ୍ତି କଦାପି ସ୍ପୃହଣୀୟ ନୁହେଁ। ଦୁର୍ନୀତି ମୂଳୋତ୍ପାଟନ ଦିଗରେ ସିବିଆଇର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏକ ସଂଘୀୟ ବ୍ୟବସ୍ଥା ଭିତରେ ଏଭଳି ନିଷ୍ପତ୍ତି ଦୁର୍ନୀତିକୁ ପ୍ରୋତ୍ସାହନ ଦେବ। ତା’ ଛଡ଼ା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏଭଳି ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସେ କି ରାଜ୍ୟ ସରକାର ଏହାକୁ ହାତ ବାରିସି କରୁଛନ୍ତି। ଏଣୁ ଅଭିଯୋଗୁକୁ ନେଇ ଏଭଳି ନିଷ୍ପତ୍ତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
ଅଶୋକ ପଲେଇ, ଭୁବନେଶ୍ବର

 ସିବିଆଇକୁ ଏଭଳି ବାରଣ କରିବା ସରକାରଙ୍କ ପିଲାଳିଆମିର ପ୍ରମାଣ ଦେଉଛି। ସିବିଆଇକୁ ଉଭୟ ସରକାରଙ୍କ ଡର ରହିଛି। ଏଣୁ ଏହାକୁ ଏକ ସୁଯୋଗ ବୋଲି ଭାବି ଉଭୟ ସରକାର ମନୋବାଞ୍ଛା ପୂରଣ କରିଥିବା ଅନୁମେୟ ହେଉଛି।
ତୃଷ୍ଣା ପ୍ରିୟଦର୍ଶିନୀ, ପୁରୀ

 ଉଭୟ ସରକାର ଉଚିତ୍‌ ପଦକ୍ଷେପ ନେଇଛନ୍ତି। ସିବିଆଇ ଉପରୁ ଲୋକଙ୍କର ଆସ୍ଥା ତୁଟିଛି। ଏଭଳି ଏକ ତଦନ୍ତକାରୀ ସଂସ୍ଥାରେ ରହି ଅଧିକାରୀ ଦୁର୍ନୀତି କରିବା ଜନସାଧରଣଙ୍କୁ ‌ଧୋକା ହୋଇଛି। ଏଣୁ ଯେଉଁ ଯେଉଁ ସରକାରଙ୍କ ପାଖରେ ଏହି ସୁବିଧା ରହିଛି ସେମାନେ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ।
ମନୋରଞ୍ଜନ ସ୍ବାଇଁ, ତମାଣ୍ଡୋ

 ଦୋଷୀଙ୍କୁ ଧରି ଯେଉଁମାନେ ସତ୍ୟ ଉନ୍ମୋଚନ କରିବା କଥା ସେମାନେ ଦୁର୍ନୀତିଗ୍ରସ୍ତ। ଏଭଳି ବାସ୍ତବତା ଆଦୌ ଗ୍ରହଣୀୟ ନୁହେଁ। ଏହା ପ୍ରମାଣ କରୁଛି ଯେ ପୂର୍ବରୁ ଯାହା ସବୁ ସିବିଆଇ କରିଛି, ତାହା ବାସ୍ତବତା ନୁହେଁ। ସିବିଆଇ ଅଧିକାରୀମାନେ ପ୍ରଭାବିତ ହୋଇ ତଦନ୍ତ କରିଛନ୍ତି। ଏଣୁ ଉଭୟ ରାଜ୍ୟ ଯେଉଁ ନିଷ୍ପତ୍ତି ନେଇଛନ୍ତି ଠିକ୍‌ କରିଛନ୍ତି।
ଦେବାଶିଷ ସାହୁ, ନୟାଗଡ଼

 ଦୁର୍ନୀତିର ସ୍ବଚ୍ଛ ତଦନ୍ତ କଥା ଉଠିଲେ ସିବିଆଇ ମନେ ପଡ଼େ। ହେଲେ ସେହି ସଂସ୍ଥାର ଅଧିକାରୀ ଦୁର୍ନୀତିଗ୍ରସ୍ତ। ଶୁଣିଲା ବେଳକୁ ସବୁ ଭରସା ତୁଟି ଯାଉଛି। ଏଣୁ ଉଭୟ ରାଜ୍ୟ ଉଚିତ୍‌ ପଦକ୍ଷେପ ନେଇଛନ୍ତି। ସମ୍ପୃକ୍ତ ସରକାରଙ୍କୁ ସ୍ବାଗତ କରିବା ସହ ଅନ୍ୟ ସରକାର ଯେଉଁମାନଙ୍କ ପାଖରେ ଏଭଳି ସୁଯୋଗ ଅଛି, ସେମାନେ ସିବିଆଇକୁ ନିଷିଦ୍ଧ କରିବା କଥା।
ସୁନୀତା ନାୟକ, ଶିକ୍ଷୟିତ୍ରୀ, ଭୁବନେଶ୍ବର

 ସିବିଆଇକୁ ବିରୋଧ କରିବା କିମ୍ବା ତଦନ୍ତ ପକ୍ରିୟାରେ କୌଣସି ପ୍ରକାର ବାଧା ପହଞ୍ଚାଇବା ଉଚିତ୍‌ ନୁହେଁ। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଦୁଇ ରାଜ୍ୟ ସିବିଆଇକୁ ନିଷିଦ୍ଧ କରିବା ଠିକ୍‌ ନୁହେଁ।
ରାଜୀବ ଲୋଚନ ବରାଡ଼, ଓଡ଼ଗାଁ

ସମ୍ବନ୍ଧିତ ଖବର