ଗଛରେ ପିଟି ହୋଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌,୨ ଗୁରୁତର

ବାଲିପାଟଣା: ବାଲିପାଟଣା ଓ ଗାରିଡ଼ିପାଞ୍ଚଣ ଛକ ମଝିରେ ଥିବା ସାଇଗୁରୁକୁଳ ସ୍କୁଲ ନିକଟରେ ସୋମବାର ରାତିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ରାସ୍ତା କଡ଼ ଗଛରେ ପିଟିହୋଇ ଓଲଟି ପଡ଼ିଛି। ଫଳରେ ଗାଡ଼ିର ଚାଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କାରାଯାଇଛି। ସୂଚନା ଅନୁଯାୟୀ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ନିମାପଡ଼ା ପଟୁ ଏକ ପିକଅପ୍‌ ଭ୍ୟାନ୍‌(ଓଡି-୦୨-ଏଫ୍‌-୨୧୧)ଆଇସ୍‌କ୍ରିମ୍‌ ଫ୍ରିଜ୍‌ର ଲୋଡ୍‌ କରି ଭୁବନେଶ୍ୱର ଆଡ଼କୁ ଯାଉଥିଲା। ରାସ୍ତାକଡ଼ ଆମ୍ବ ଗଛରେ ଗାଡ଼ିଟି ଜୋରରେ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଖୋର୍ଧା ଗଡ଼ଗୁଡ଼ୁମ୍‌ ଗାଁର ମନୋଜ ସୁନ୍ଦରାୟ(୩୩)ଗାଡ଼ିଟିକୁ ଚଳାଉଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ତାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

 

ସମ୍ବନ୍ଧିତ ଖବର