ଚାକିରି ଦେବା ନାଁରେ ୫ ଲକ୍ଷ ଠକେଇ

ଭୁବନେଶ୍ୱର: ଚାକିରି କରାଇ ଦେବା ନାଁରେ ପାଖାପାଖି ୫ଲକ୍ଷ ଟଙ୍କାର ଠକେଇ। ଏମିତି ଏକ ଅଭିଯୋଗ ଆସିଛି ସହିଦନଗର ଥାନକୁ। ଏନେଇ ଠକେଇର ଶିକାର ହୋଇଥିବା ଛାତ୍ରମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ ବମିଖାଲ ନିକଟରେ ଥିବା କେଶବ କଂପ୍ଲେକ୍ସ, ପ୍ଲଟ୍‌ ନମ୍ବର-୮୪୧ରେ ଚଲିଥିଲା ଡ୍ରିମ୍‌ ଇନଷ୍ଟିଚ୍ୟୁଟ ଅଫ ଆଭିଏସନ। ଏହି ସଂସ୍ଥା ପିଲାମାନଙ୍କୁ ବିମାନବନ୍ଦରରେ ଚାକିରି କରାଇ ଦବା ନାଁରେ ୫ଲକ୍ଷ ଟଙ୍କା ଠକି ନେଇଛି ବୋଲି ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଛାତ୍ରମାନେ ସଂସ୍ଥାରେ ମୁଖ୍ୟ ଏମ.ଡ଼ି ଅଭିନାଶ ବନଓ୍ଵାଲା, କମ୍ପାନିର କର୍ମଚାରୀ ଭରତ ଭୂଷଣ ନନ୍ଦ, ଭାନୁମତୀ ଶୁକ୍ଳଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ଛାତ୍ରମାନଙ୍କ କହିବାନୁଯାୟୀ କମ୍ପାନି ତରଫରୁ ତାଙ୍କୁ ଭୁବନେଶ୍ୱର ଡକାଯାଇଥିଲା ଏବଂ କୁହାଯାଇଥିଲା ଯେ ସେମାନଙ୍କୁ ପ୍ରଥମେ ୭୫ ହଜାର ଲେଖାଏଁ ଟଙ୍କା ଜମାକରିବାକୁ ପଡ଼ିବ ତାପରେ ସେମାନଙ୍କୁ କମ୍ପାନି ତରଫରୁୁ ଟ୍ରେନିଂ ପାଇଁ ପଠାଯିବ। ଟ୍ରେନିଂ ସରିବା ପରେ ସେମାନଙ୍କୁ ବିମାନ ବନ୍ଦରରେ ଚାକିରି ଦିଆଯିବ। ଚାକିରି ପାଇଁ ପୁରୀର ଦୀପକ ସ୍ୱାଇଁଙ୍କଠରୁ ୫୦ ହଜାର, ଖୋର୍ଦ୍ଧର ଜୟଦେବ ଜେନାଙ୍କଠାରୁ ୭୫ ହଜାର, ଭଦ୍ରକର ଚନ୍ଦ୍ର ଶେଖର ବିଶ୍ୱାଳଙ୍କଠାରୁ ୮୫ ହଜାର, ଗଞ୍ଜାମର ରାଧା ଗୋବିନ୍ଦଙ୍କଠାରୁ ୭୫ ହଜାର, ଗୌତମ ବେହେରାଙ୍କଠାରୁ ୩୫ ହଜାର, ଲୋକନାଥଙ୍କଠାରୁ ୭୫ ହଜାର ଓ ପ୍ରୀତମ କୁମାର ମହାନ୍ତିଙ୍କଠାରୁ ୭୫ ହଜାର ଟଙ୍କା ନେଇଥିଲେ। ଏହାପରେ ସେମାନଙ୍କୁ ଟ୍ରେନିଂ ଦେବା ପାଇଁ କହି ୧୯ଜୁଲାଇରେ ଦୁଇଜଣଙ୍କୁ, ଅଗଷ୍ଟ ୨୮ରେ ୨ ଜଣଙ୍କୁ ଓ ୧୧ ସେପ୍ଟେମ୍ବରରେ ୩ ଜଣଙ୍କୁ ଦିଲ୍ଲୀ ଡକାଇଥିଲେ। ଦିଲ୍ଲୀଠାରେ ସେମାନଙ୍କୁ ୧ ମାସ ଭିତରେ ଚାକିରି ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଦିଲ୍ଲୀରେ ୪ ମାସ ବିତି ଯାଇଥିଲେ ମଧ୍ୟ ଆଉ ସେମାନଙ୍କ କଥା ଆଉ କେହି ଶୁଣି ନଥିଲେ। ଏହାପରେ ମଝିରେ ସଂସ୍ଥାର ଏକ କର୍ମଚାରୀ ଆସି ବିମାନ ବନ୍ଦରରେ ଲୋଡର କାମ ପାଇଁ ଚନ୍ଦ୍ର ଶେଖର, ରାଧାଗୋବିନ୍ଦ, ଲୋକନାଥଙ୍କଠାରୁ ଓ ପ୍ରୀତମଙ୍କଠାରୁ ତାଙ୍କର ପାସପୋର୍ଟ ନେଇଯାଇଥିଲେ। ଏହା ପରେ ବି ଚାକିରି ନ ହେବାରୁ ସେମାନେ ପାସପୋର୍ଟ ଫେରସ୍ତ ମାଗିଥିଲେ କିନ୍ତୁ ପାସପୋର୍ଟ ଦେବା ପରିବର୍ତ୍ତେ ମିଳିଥିଲା ଧମକ। ଏମିତି କି ସେମାନଙ୍କୁ ଲାଇଟ ବାଇଟ ନାମକ ଏକ ରେଷ୍ଟୁରାଣ୍ଟରେ ପୋଛା ମାରିବା, ବାସନ ମାଜିବା ଭଳି କାମ କରିବାକୁ ବାଧ୍ୟ କରାଯାଉଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଦିଲ୍ଲୀରେ ଜୋର ଜବରଦସ୍ତ ରଖାଯାଇଥିଲା ଏବଂ ସେମାନେ ସେଠାରୁ ଲୁଚି ଚାଲିଆସିଥିଲେ ବୋଲି ପୁଲିସକୁ କହିଛନ୍ତି। ଏନେଇ ସେମାନେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଲାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର