ତିନି ଦିନରେ ମିଳିବ ପ୍ଲାନ୍: ନୂଆ ଉପାୟରେ ଆରମ୍ଭ ହେଲା ଅନଲାଇନ୍ ବିଲଡିଂ ପ୍ଲାନ୍

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ଫେଲ୍ ମାରିଲା ପରେ ସ୍ମାର୍ଟ ସିଟି ଆରମ୍ଭ କଲା, ଅମିନ ଟାବଲଏଡ୍‌ ନେଇ କ୍ଷେତ୍ର ପରିଦର୍ଶନ କରିବେ

ଭୁବନେଶ୍ବର: ବିଡିଏ ଓ ବିଏମ୍‌ସି ଅଞ୍ଚଳରେ ପୁଣି ଅନଲାଇନ୍ ବିଲଡିଂ ପ୍ଲାନ୍ ଆବେଦନ ଏବଂ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥା ମାଧ୍ୟମରେ ଅନଲାଇନ୍ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ହେଁ ଏହା ଫେଲ୍ ମାରିବାରୁ ନଗର ଉନ୍ନୟନ ବିଭାଗ ଏହାକୁ ବନ୍ଦ କରିଦେଇଥିଲା। ପ୍ରାୟ ୮ମାସ କାଳ ଅଫଲାଇନ୍ ମୋଡ଼ରେ ପ୍ଲାନ୍ ଆବେଦନ ଓ ଅନୁମୋଦନ ହେବା ପରେ ଏବେ ପୁଣି ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥର ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ହନିୱେଲ୍‌ ସଂସ୍ଥା ମାଧ୍ୟମରେ ଏହା ହୋଇଛି। ପୂରା ନୂଆ ଢାଞ୍ଚାରେ ଏଥର ଅନଲାଇନ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହୋଇଛି। ହେଲେ ଏବେ ଉଭୟ ଅଫଲାଇନ୍ ଓ ଅନଲାଇନ୍ ମୋଡ଼ରେ ଆବେଦନପତ୍ର ସଂଗ୍ରହ ହେଉଛି। କିନ୍ତୁ ଯେଉଁମାନେ ଅନଲାଇନ୍‌ରେ ଆବେଦନ କରିବେ, ସେମାନଙ୍କୁ ତିନି ଦିନରେ ଅନୁମୋଦିତ ପ୍ଲାନ୍ ମିଳିବ ବୋଲି କୁହାଯାଇଛି। ନୂଆ ଅନଲାଇନ୍ ପ୍ଲାନିଂ ବ୍ୟବସ୍ଥାକୁ ସଫଳ କରିବା ପାଇଁ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି। ନୂଆ ବ୍ୟବସ୍ଥାରେ ଗୃହ ନିର୍ମାଣ କରିବାକୁ ଥିବା ଜଣେ ବ୍ୟକ୍ତି/ସଂସ୍ଥା ପ୍ରଥମେ ନାମ ପଞ୍ଜୀକରଣ କରି ଲଗ୍‌ ଇନ୍ ଆଇଡି ଓ ପାସ୍‌ୱାର୍ଡ ସଂଗ୍ରହ କରିବେ। ଏ‌ହାପରେ ନିଜର ସମସ୍ତ ସୂଚନା ଓ ଜମିର ସୂଚନା ଦେ‌େବ। ସେ କେଉଁ ଆର୍କିଟେକ୍ଟଙ୍କ ମାଧ୍ୟମରେ ପ୍ଲାନ୍ ଆବେଦନ କରିବେ, ତାଙ୍କ ସୂଚନା ‌ଦେବେ। ଏହାପରେ ଉକ୍ତ ଆର୍କିଟେକ୍ଟଙ୍କୁ ମେସେଜ୍ ମାଧ୍ୟମରେ ଜଣାଇ ଦିଆଯିବ। ଆର୍କିଟେକ୍ଟ ପ୍ଲାନ୍ ଆବେଦନ କରିବେ। କିନ୍ତୁ ବିଡିଏ/ବିଏମ୍‌ସି ପକ୍ଷରୁ ସମସ୍ତ ସୂଚନା ହିତାଧିକାରୀଙ୍କୁ ମୋବାଇଲ୍‌ ମେସେଜ୍ ଓ ଇମେଲ୍‌ ମାଧ୍ୟମରେ ଜଣାଇ ଦିଆଯିବ। ଏହାପରେ ଏହି ପ୍ଲାନ୍ ପାଇଁ କ୍ଷେତ୍ର ପରିଦର୍ଶନ କରିବାକୁ କେଉଁ ଅମିନ ଯିବେ ତାଙ୍କ ମୋବାଇଲ୍‌ରେ ମେସେଜ୍ ଚାଲିଯିବ। ଏଥିପାଇଁ ଅମିନମାନଙ୍କୁ ଟାବଲଏଡ୍‌ ଯୋଗାଇ ଦିଆଯାଇଛି। ସେମାନେ ଜମି ନିକଟରେ ପହଞ୍ଚିବା ପ‌େର ଫର୍ମ ପୂରଣ କରିବା ସହ ଜମିର ଫଟୋ ଉଠାଇବେ। ଜମିକୁ ମାପି ଫର୍ମରେ ଓ ଡକୁମେଣ୍ଟରେ ଦିଆଯାଇଥିବା ତଥ୍ୟକୁ ମିଳାଇବେ। ଏହାପରେ ଜମିର ଅକ୍ଷାଂଶ ଓ ଦ୍ରାଘିମା କେତେ ଅଛି, ତାହାକୁ ଉଲ୍ଲେଖ କରିବେ। ଜମିର ସଂପୂର୍ଣ୍ଣ ତଥ୍ୟ ଜିଓ ଟ୍ୟାଗ୍ କରିବେ। ଏହାପରେ ବିଡିଏ/ବିଏମ୍‌ସି ଅଧିକାରୀ ଅନଲାଇନ୍‌ରେ ଅନୁ‌େମାଦନ କରିବେ। ଯଦି କୌଣସି ବଡ଼ ପ୍ରକଳ୍ପ ପାଇଁ ପ୍ଲାନ୍ ଆବେଦନ ହୋଇଥିବ, ତେବେ ଦୁଇ ସପ୍ତାହ ମଧ୍ୟରେ ପ୍ଲାନ୍ ଅନୁମୋଦନ ହେବ। ଏଥିପାଇଁ ଏନ୍‌ଓସି ଆବଶ୍ୟକ ଥିଲେ ସଂପୃକ୍ତ ସଂସ୍ଥାଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ପଠାଇ ଦିଆଯିବ। କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯିବ। ଏହି ସମୟରେ ସମସ୍ତ ଯାଞ୍ଚ ସାରି ପ୍ଲାନ୍ ଅନୁମୋଦନ କରାଯିବ ବୋଲି ବିଡିଏ କର୍ତ୍ତୃପକ୍ଷ କହିଛନ୍ତି। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି ଯେ ଏବେ ଇ-ବିପାସ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଡିସେମ୍ବର ୧୮ରୁ ଏହା ଆରମ୍ଭ ହୋଇଥିବା ବେଳେ ଆମେ ଦୁଇରୁ ତିନି ମଧ୍ୟରେ ଲୋକଙ୍କୁ ପ୍ଲାନ୍ ଦେବାକୁ ସଂପୂର୍ଣ୍ଣ ବ୍ୟବସ୍ଥା କରିଛୁ। ଏଥିରେ ଲୋକ ଘରେ ବସି ପ୍ଲାନ୍ ଆବେଦନ କରିପାରିବେ। ଅନଲାଇନ୍ ମୋଡ୍‌ରେ ବି ଫି’ ଜମା କରିବେ। ‌ବିନା ଅସୁବିଧାରେ ଲୋକ ଯେପରି ଘର ପ୍ଲାନ୍ ପାଇବେ, ସେଥିପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ପୂର୍ବଥରର ଅନଲାଇନ୍ ବ୍ୟବସ୍ଥାରେ ଯେଉଁ ସବୁ ସମସ୍ୟା ଥିଲା ତାହାକୁ ନଜରରେ ରଖି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର