ସ୍ମାର୍ଟ ସିଟିକୁ ଶିଶୁ ଅନୁକୂଳ କରିବାକୁ ଉଦ୍ୟମ

ପିଲା ସମୀକ୍ଷା କଲେ ରାସ୍ତା ଉପରର ସମସ୍ୟା

ଭୁବନେଶ୍ୱର: ପିଲାଙ୍କ ପାଇଁ କିପରି ହେବା ଦରକାର ରାଜଧାନୀର ରାସ୍ତା। ବର୍ତ୍ତମାନ ଯେଉଁ ଢାଞ୍ଚାରେ ରାସ୍ତା ନିର୍ମାଣ ହୋଇଛି ତାହା କେତେ ଦୂର ପିଲାଙ୍କ ପାଇଁ ସୁରକ୍ଷିତ କି ଅସୁରକ୍ଷିତ, କ’ଣ କ’ଣ ସୁବିଧା ସୁଯୋଗ ମିଳିବା ଦରକାର, କେବଳ ପିଲା ନୁହେଁ ସେମାନଙ୍କ ନଜରରେ ପଥଚାରୀଙ୍କ ପାଇଁ ବି ରାସ୍ତା କିପରି ହେବା ଦରକାର ଆଜି ଏସବୁର ସମୀକ୍ଷା କରିଛନ୍ତି ରାଜଧାନୀର କେତୋଟି ସ୍କୁଲର ଛାତ୍ରଛାତ୍ରୀ।

ପ୍ରାୟ ଦୁଇଘଣ୍ଟା ଧରି ହୋଇଥିବା ଏହି ଅଭିନବ ସଡ଼କ ସମୀକ୍ଷା ପ୍ରକ୍ରିୟା ଆରମ୍ଭରେ ଭାଗନେଇଥିବା ପିଲାମାନଙ୍କୁ ସେମାନେ ରାସ୍ତାରେ କ’ଣସବୁ ଚିହ୍ନଟ କରିବେ ଓ ଉଲ୍ଲେଖ କରିବେ ସେଥିନେଇ ସୂଚିତ କରାଯାଇଥିଲା। ଏହି ରାସ୍ତାକୁ ପିଲାମାନଙ୍କ ଯାତାୟାତ ପାଇଁ ନିରାପଦ ଓ ଶିଶୁ ଅନୁକୂଳ କରିବା ଦିଗରେ ସେମାନଙ୍କ ମତାମତ ଦେବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା।
ପିଲାମାନେ ଉପସ୍ଥାପନ କରିଥିବା ଅଭିନବ ପରାମର୍ଶଗୁଡ଼ିକ ମଧ୍ୟରେ ପ୍ରତି ୨୦୦ମିଟରରେ ପଥଚାରୀମାନଙ୍କ ପାଇଁ ରାସ୍ତା ଅତିକ୍ରମ କରିବାର ବ୍ୟବସ୍ଥା, ପିଲାମାନେ ସହଜରେ ଦେଖିପାରିବା ପାଇଁ ରାସ୍ତା ଡିଭାଇଡରରେ ରହିଥିବା ଛୋଟ ଗଛଗୁଡ଼ିକର ଉଚ୍ଚତାକୁ କମ୍‌ କରିବା, ଫୁଟପାଥ୍‌ ଓ ସାଇକେଲ୍‌ ରାସ୍ତାରୁ ଖୁଣ୍ଟ ଓ ଅନ୍ୟ ପ୍ରତିବନ୍ଧକ ଅପସାରଣ ତଥା ସହଜରେ ଜାଣିହେବା ପାଇଁ ରାସ୍ତାରେ ଆବଶ୍ୟକ ସୂଚନା ଫଳକ ସ୍ଥାପନା କଥା କହିଥିଲେ। ଅଧିକାଂଶ ପିଲା ରାସ୍ତାପାର୍ଶ୍ଵରେ ପିଇବା ପାଣି, ପାଇଖାନା ଓ ବସିବା ପାଇଁ ସ୍ଥାନ ସପକ୍ଷରେ ମତ ଦେଇଥିବାବେଳେ କେତେକ ଟାୟାର ଦୋଳି ଏବଂ ପିଲାମାନଙ୍କ ପାଇଁ ଆମୋଦଦାୟକ ବ୍ୟବସ୍ଥା ରଖିବା ନେଇ ମତ ରଖିଥିଲେ। ପିଲାମାନେ ଚିହ୍ନିତ କରିଥିବା ସମସ୍ୟାଗୁଡିକ ମଧ୍ୟରେ ରହିଛି ଫୁଟପାଥ ଓ ସାଇକେଲ୍‌ ରାସ୍ତାରେ ବେଆଇନ୍‌ ପାର୍କିଙ୍ଗ୍‌, ଭଙ୍ଗା ଡ୍ରେନ୍‌ ସ୍ଲାବ୍‌, ଟ୍ରାଫିକ୍‌ ଛକରେ ଅନଧିକୃତ ଗାଡ଼ି ରହଣି ସ୍ଥାନ, ଗଛ ଓ ଖୁଣ୍ଟ ଯୋଗୁଁ ଟ୍ରାଫିକ ଛକରେ ଦୃଶ୍ୟ ପ୍ରତିରୋଧ, ଛକରେ ଜେବ୍ରା କ୍ରସିଂ ଓ ଗତି ପ୍ରତିରୋଧ ବ୍ୟବସ୍ଥାର ଅଭାବ ଇତ୍ୟାଦି।

ସେହିପରି ଗତ ରବିବାର ସକାଳେ ନଅ ଜଣ ପିଲାଙ୍କୁ ନେଇ ଗଠିତ ଅନ୍ୟ ଏକ ଦଳ ଚନ୍ଦ୍ରଶେଖରପୁରସ୍ଥିତ ବିଡିଏ କଲୋନି ଅଞ୍ଚଳରେ ଶିଶୁ ଅନୁକୂଳ ପରିବେଶ ଓ ଆବଶ୍ୟକ ଭିତ୍ତିଭୂମି ସମୀକ୍ଷାର ଅଂଶସ୍ୱରୂପ ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ଏକ ନିରାପତ୍ତା ସର୍ବେକ୍ଷଣ କରିଥିଲେ। ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ପିଲାମାନେ ବିଡିଏ କଲୋନିର ଛୋଟ ଛୋଟ ପିଲାମାନଙ୍କୁ ଘରେ, ସ୍କୁଲ୍‌ରେ ଓ ସେହି ଅଂଚଳରେ ଖେଳିବା, ପଢ଼ିବା, ପିଇବା ପାଣି, ପରିମଳ ବ୍ୟବସ୍ଥା, ନିରାପତ୍ତା, ସ୍ୱାସ୍ଥ୍ୟସେବା ଇତ୍ୟାଦି ନେଇ ଉପଲବ୍ଧ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ସର୍ବେକ୍ଷଣରେ ସ୍ଥାନ ପାଇଥିବା ଅନ୍ୟ ବିଷୟଗୁଡିକ ମଧ୍ୟରେ ପିଲାମାନଙ୍କ ଖେଳିବା ସମୟ, ପିଲାମାନଙ୍କ ଆଇନଗତ ଅଧିକାର ବିଷୟରେ ସଚେତନତା ତଥା ବିପଦବେଳେ ସମ୍ପର୍କ ପାଇଁ ଯୋଗାଯୋଗ ଜ୍ଞାନ ଇତ୍ୟାଦି ରହିଥିଲା।

ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ଅର୍ବାନ୍‌ ନଲେଜ ସେଣ୍ଟର ଓ ସ୍ୱେଚ୍ଛାସେବୀ ସଂଗଠନ ହମାରା ବଚ୍‌ପନ୍‌ ସହଯୋଗରେ ଏହି ସମୀକ୍ଷା କାର୍ଯ୍ୟକ୍ରମ ହୋଇଥିଲା। ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ପିଲାମାନଙ୍କ ଦ୍ୱାରା ଏହିଭଳି ସମୀକ୍ଷା ଓ ସର୍ବେକ୍ଷଣ କରାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଦୃଷ୍ଟିକୋଣ ଓ ଆବଶ୍ୟକତାକୁ ବୁଝିବା, ସେମାନଙ୍କୁ ସହରର ବିକାଶ ପ୍ରକ୍ରିୟା ଓ ଯୋଜନାରେ ସିଧାସଳଖ ସାମିଲ୍‌ କରାଇବା ଏବଂ ଏହି ଭବିଷ୍ୟତର ନାଗରିକମାନଙ୍କ ଦକ୍ଷତା ବିକାଶ କରାଇବା। ସ୍ମାର୍ଟସିଟି ଭୁବନେଶ୍ୱର ଯୋଜନାରେ ସହରକୁ ଶିଶୁମାନଙ୍କ ପାଇଁ ଅନୁକୂଳଭାବେ ବିକଶିତ କରିବାର ପରିକଳ୍ପନା କରାଯାଇଛି ଯେଉଁଥିରେ ଶିଶୁମାନେ ନିରାପଦରେ ଓ ସହଜରେ ପଢ଼ିବା ଓ ବୁଲି ଖେଳିପାରିବା ସହିତ ସହର ବିକାଶ ପ୍ରକ୍ରିୟାରେ ସାମିଲ୍‌ ହୋଇପାରିବେ।

ଏଥିପାଇଁ ଭୁବନେଶ୍ୱର ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅର୍ବାନ୍‌ ଆଫାୟାର୍ସ ଓ ନେଦରଲ୍ୟାଣ୍ଡ୍‌ର ବର୍ଣ୍ଣାଡ୍‌ ଭାନ୍‌ ଲିୟର୍‌ ଫାଉଣ୍ଡେସନ୍‌ ସହ ଅନୁବନ୍ଧିତ ହୋଇଛି ।

ସମ୍ବନ୍ଧିତ ଖବର