ଅଳିଆ ଅଡ଼ୁଆ ତୁଟୁନି: ସଫେଇ ବନ୍ଦ କରିବାକୁ ଚକ୍ରାନ୍ତ

ଏସକାଲେସନ୍‌ ଫି’ ଆଉ ୪୦୦ଟଙ୍କା ବଢ଼ୁ: ସଫେଇ ସଂସ୍ଥା

ଭୁବନେଶ୍ୱର: ରାଜଧାନୀରେ ଅଳିଆ ଉଠାକୁ ନେଇ ଦୀର୍ଘ ଅଢେଇ ବର୍ଷ ହେଲା ଚାଲିଥିବା ଅଡ଼ୁଆ ତୁଟୁନି। ୫୭ଟି ଓ୍ଵାର୍ଡରେ ସଫେଇ ଦାୟିତ୍ୱ ନେଇଥିବା ତିନିଟି ଘରୋଇ ସଂସ୍ଥା ଏବଂ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇପାରୁନଥିବାରୁ ଅଧିକାଂଶ ସମୟରେ ଓ୍ଵାର୍ଡରୁ ଅଳିଆ ଉଠୁନି। ଏପରିକି ଲଗାତର ତିନି ଚାରିଦିନ ରାସ୍ତାରେ ଅଳିଆ ପଡ଼ି ରହୁଛି। ସାରା ସହରରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରୁଛନ୍ତି। ସଫେଇ ସଂସ୍ଥାଗୁଡ଼ିକୁ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ପୁଣି ଅଳିଆ ଉଠୁଛି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁଦିନ ପ୍ରତିଶ୍ରୁତି ଦେଉଛନ୍ତି ତା’ପରଦିନ ଭୁଲି ଯାଉଛନ୍ତି। ଯାହା ଏବେ ଭୟଙ୍କର ରୂପ ନେବାକୁ ଯାଉଛି। ସଫେଇ ସଂସ୍ଥାଗୁଡ଼ିକୁ ଏସ୍‌କାଲେସନ୍‌ ଫି’ ଦାବି ମୁତାବକ ମିଳୁନଥିବାରୁ କୌଣସି ମୁହୂର୍ତ୍ତରେ ପରିମଳ ବ୍ୟବସ୍ଥାକୁ ଠପ୍‌ କରିଦେବାକୁ ଯୋଜନା କରିଛନ୍ତି। ହକି ବିଶ୍ୱକପ୍‌ ପାଇଁ ବିଭିନ୍ନ ଯୋଜନାରେ ବ୍ୟସ୍ତ ଥିବା ବିଏମ୍‌ସି ପରିମଳ ବ୍ୟବସ୍ଥାର ସମାଧାନ ନକଲେ ସ୍ଥିତି ସାଂଘାତିକ ହେବାର ଆଶଙ୍କା ଦେଖାଦେଇଛି। ସଫେଇ କର୍ମଚାରୀମାନେ ଘରୋଇ ସଂସ୍ଥାଗୁଡ଼ିକୁ ନିୟମିତ ବ୍ୟବଧାନରେ ଧମକ ଦେଇ କାର୍ଯ୍ୟ ବନ୍ଦ କରୁଛନ୍ତି। ସଫେଇ କର୍ମଚାରୀ ଦରମା ବୃଦ୍ଧି ଦାବିରେ ବାରମ୍ବାର ହରତାଳ କରୁଥିବାବେଳେ କେତେବେଳେ ଦରମା ବଢ଼ୁଛି ତ କେତେବେଳେ ବଢ଼ୁନି। କିନ୍ତୁ ଥରେ ବନ୍ଦ ହେଲେ ଏକସଙ୍ଗେ ୪ରୁ ୫ଦିନ ଅଳିଆ ଉଠୁନି। ମେୟରଙ୍କ ସମେତ ବିଏମ୍‌ସିର ବରିଷ୍ଠ ଅଧିକାରୀ ମଧ୍ୟସ୍ଥି କରି ସମସ୍ୟାର ସମାଧାନ କରୁଛନ୍ତି। ସଫେଇ ସଂସ୍ଥାଙ୍କୁ କର୍ମଚାରୀଙ୍କ ଦାବି ପୂରଣ କରିବାକୁ କହୁଛନ୍ତି। ଆଉ ସଫେଇ ସଂସ୍ଥାଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। କିନ୍ତୁ ଆନ୍ଦୋଳନ ପ୍ରତ୍ୟାହାର ପରେ ଦିଆଯାଇଥିବା ପ୍ରତିଶ୍ରୁତି କିପରି କାର୍ଯ୍ୟକାରୀ ହେବ ସେନେଇ କେହି ମୁଣ୍ଡ ଖେଳାଉ ନାହାନ୍ତି।

କମିଟି ରିପୋର୍ଟ ଦେଲେ ନିଷ୍ପତ୍ତି ନିଆଯିବ: ମେୟର
ଏବର୍ଷ ଆନ୍ଦୋଳନ ଯୋଗୁଁ ୧୫ଦିନ ଅଳିଆ ଉଠିନି

ସଫେଇ ସଂସ୍ଥାଙ୍କ ଅଭିଯୋଗ ଯେ, ରାଜ୍ୟ ସରକାର ସଫେଇ କର୍ମଚାରୀ ବର୍ଗଙ୍କ ପାଇଁ ଦୈନିକ ମଜୁରୀ ପ୍ରାୟ ୨୨୪ଟଙ୍କା ଧାର୍ଯ୍ୟ କରିଥିବାବେଳେ ଆମକୁ ବିଏମ୍‌ସି ମାତ୍ର ୧୫୦ଟଙ୍କା ହିସାବରେ ଦେଉଛି। ହେଲେ ବାରମ୍ବାର ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରୁଥିବାରୁ ଏବେ ଆମକୁ ଇପିଏଫ୍‌, ଇଏସ୍‌ଆଇ ବାବଦକୁ ୪୫ଟଙ୍କା କାଟି ୧୯୦ ଟଙ୍କା ଦେଉଛୁ। ଆମେ ୧୫୦ଟଙ୍କା ହିସାବରେ ପାଉଥିବାବେଳେ ୨୩୫ଟଙ୍କା ହିସାବରେ ମଜୁରି ଦେଉଛୁ। ହେଲେ ବିଏମ୍‌ସି ଆମକୁ ବର୍ଦ୍ଧିତ ହାରରେ ଅର୍ଥ ଦେଉନି। ଏବେ ଅଳିଆ ଉଠାଇବା ପାଇଁ (ଏସକାଲେସନ୍‌ ଫି’) ଟନ୍‌ ପିଛା ୨୪୮୦ଟଙ୍କା ମିଳୁଛି। ଏହା ସାଢ଼େ ତିନିବର୍ଷ ହେଲା ଜାରି ରହିଛି। ଯେତେବେଳେ କି ଶ୍ରମିକଙ୍କ ମଜୁରି ୭୦ଟଙ୍କା ବଢ଼ିଗଲାଣି। ଏସକାଲେସନ୍‌ ଫି’ ଆଉ ୪୦୦ଟଙ୍କା ବଢ଼ାଇବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିଲୁଣି। କିନ୍ତୁ କେହି ଶୁଣୁନାହାନ୍ତି। ଯେତେବେଳେ ସଫେଇ ବନ୍ଦ ହୋଇଯାଉଛି ସେତେବେଳେ ମେୟର ଓ ଅନ୍ୟ ଅଧିକାରୀମାନେ ତୁରନ୍ତ ଏହାର ସମାଧାନ ହେବ ବୋଲି କହୁଛନ୍ତି। କିନ୍ତୁ ଏହା ବାରମ୍ବାର ମିଥ୍ୟା ପ୍ରତିିଶ୍ରୁତିରେ ପରିଣତ ହେଉଛି। କେତେବେଳେ ଫାଇଲ୍‌ ସିଟି ହେଲ୍‌ଥ ଅଫିସରଙ୍କ ପାଖରେ ଅଟକି ଯାଉଛି ତ କେତେବେଳେ ଅତିରିକ୍ତ କମିସନରଙ୍କ ନିକଟରେ। ବହୁ ବାହନା ଦେଖାଇ ବିଏମ୍‌ସି ଆମକୁ ଠକି ଚାଲିଛି। କିନ୍ତୁ ଶ୍ରମିକମାନେ ତ ଏହା ବୁଝୁନାହାନ୍ତି। ସେମାନେ କାର୍ଯ୍ୟ ବନ୍ଦ କଲେ ଆମକୁ ସେମାନଙ୍କ ଦାବି ପୂରଣ କରିବାକୁ ପଡ଼ୁଛି। ୨୦୧୬ ମସିହାରୁ ଏହି ଧାରା ଚାଲିଥିବାବେଳେ ଏହା ମଧ୍ୟରେ ତିନି ଥର ଶ୍ରମିକଙ୍କ ମଜୁରୀ ମୋଟା ଅଙ୍କରେ ବଢ଼ିଛି। ଯଦି ବିଏମ୍‌ସି ତୁରନ୍ତ ଏସକାଲେସନ୍‌ ଫି’ ବୃଦ୍ଧି ନକରେ ତେବେ ଆମେ କୌଣସି ମୁହୂର୍ତ୍ତରେ ସଫେଇ ବନ୍ଦ କରିଦେବାକୁ ବାଧ୍ୟ ହେବୁ। ଏଥର ଆଉ ପ୍ରତିଶ୍ରୁତି ନୁହେଁ, ବିଏମ୍‌ସିର ନିର୍ଦ୍ଦେଶ ପାଇବା ପରେ ହିଁ କାମ କରିବୁ। ଚଳିତବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ତିନି ଥର ଅଳିଆ ଉଠା ବନ୍ଦ ହୋଇଥିବାବେଳେ ଏହି ସମୟରେ ପ୍ରାୟ ୧୫ଦିନ ଅଳିଆ ଉଠିନି। ଏନେଇ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସଫେଇ ସଂସ୍ଥାଗୁଡ଼ିକର ଦାବି ବିଚାର କରିବା ପାଇଁ ଡେପୁଟି କମିସନର (ପରିମଳ)ଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଛି। ଏଥିରେ ନଗର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଏମ୍‌ସିର ମୁଖ୍ୟ ବିତ୍ତ ଅଧିକାରୀ ସଦସ୍ୟ ଅଛନ୍ତି। ଏହି କମିଟି ରିପୋର୍ଟ ଦେବା ପରେ ଯାହା ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର