ଭୁବନେଶ୍ୱର: ‘କଦମ’ ପକ୍ଷରୁ ‘ପ୍ଲାଣ୍ଟ ଫର ପିସ୍’ ଆଜି ରାଜଧାନୀର ୬ଟି ସ୍କୁଲରେ ଅନୁଷ୍ଠିତ ହୋଇଥିଲା। ଗତ ଜୁଲାଇ/ଅଗଷ୍ଟ ମାସରେ ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ମଞ୍ଜିର ଗଛକୁ ଆଜି ଛାତ୍ରଛାତ୍ରୀମାନେ ସ୍କୁଲକୁ ଆଣିଥିଲେ। ୬ଟି ସ୍କୁଲର ୬ଶହ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଂସ୍ଥା ପକ୍ଷରୁ ଆସନ୍ତାବର୍ଷ ମେ’ମାସରେ ଦିଲ୍ଲୀଠାରେ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲ ପାଇଁ ଆଜି ୨୧ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ସମୁଦାୟ ୨ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଦିଲ୍ଲୀ ସମାବେଶରେ ରାଜ୍ୟର ଏହି ଛାତ୍ରଛାତ୍ରୀମାନେ ଯୋଗ ଦେବେ ବୋଲି ‘କଦମ’ ସଂସ୍ଥାର କର୍ମକର୍ତା ଯୋଗେଶ ଗନୌରେ ସୂଚନା ଦେଇଛନ୍ତି।
ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧, କ୍ୟାପିଟାଲ ହାଇସ୍କୁଲ, ସେଣ୍ଟ ଯୋଶେଫ ହାଇସ୍କୁଲ, ୟୁନିଟ୍ ୪ସ୍ଥିତ ଭିଇଏମ୍ଏସ୍, ୟୁନିଟ-୯ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୯୯୫ ମସିହାରୁ ମଧ୍ୟପ୍ରଦେଶର ଜବଲପୁରରେ ‘କଦମ’ର ଆରମ୍ଭ ହୋଇଛି। ୨୦୦୪ ମସିହାରୁ ପ୍ରତିଦିନ ବିଶ୍ୱ ଶାନ୍ତି ପାଇଁ ଗଛ ଲଗାଇବା କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତ୍ୟେକ ଦିନ କେଉଁଠି କେଉଁଠି ଗୋଟିଏ ଗଛ ଲଗାଯାଇଥାଏ। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ଗଛ ପ୍ରତି ଦୁର୍ବଳତା ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍କୁଲରେ ଗଛର ମଞ୍ଜି ବଣ୍ଟା ଯାଇଥାଏ। ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ମଞ୍ଜି ବଣ୍ଟନ କରାଯାଉଛି।