ପ୍ଲାଷ୍ଟିକ୍‌ମୁକ୍ତ ଭୁବନେଶ୍ବର ପାଇଁ ବିଏମ୍‌ସିର ପ୍ରଚାର ଜୋର୍‌ ଧରିଲା : ଲାଗିଲା ହୋର୍ଡିଂ, ରେଡିଓରେ ବାଜିଲା ଜିଙ୍ଗଲ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରକୁ ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ଓ ପଲିଥିନ୍ ମୁକ୍ତ ସହର ଘୋଷଣା କରାଯାଇଥିଲେ ହେଁ ଏବେବି ଅଧିକାଂଶ ସ୍ଥାନରେ ଏହା ବେଧଡ଼କ ବ୍ୟବହାର ହେଉଛି। କେତେକ ସ୍ଥାନରେ ଯଦିଓ ବ୍ୟବସାୟୀ ଓ ‌େଲାକମାନେ ସଚେତନ ହୋଇ ପଲିଥିନ୍ ବ୍ୟବହାର କରୁନାହାନ୍ତି କିନ୍ତୁ ଖୁଚୁରା ବ୍ୟବସାୟୀ ପଲିଥିନ୍‌ରେ ସାମଗ୍ରୀ ଦେଉଛନ୍ତି। ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀମା‌ନେ ବି ପ୍ଲାଷ୍ଟିକ୍ ଟିଫିନ୍ ଓ ପ୍ଲାଷ୍ଟିକ ବୋତଲ ବ୍ୟବହାର କରୁଛନ୍ତି। ଦୋକାନରେ ଏବେ ବି ୨୦୦ମିଲି ଲିଟରରୁ କମ୍ ପାଣି ବୋତଲ ବ୍ୟବହାର ହେଉଛି। ସରକାରୀ ନିଷେଧାଦେଶ ଲାଗୁ ହେବାର ୨୦ଦିନ ପରେ ବି ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଆଶାନୁରୂପ ନକମିବା ପରେ ଏବେ ବିଏମ୍‌ସି ପକ୍ଷରୁ ଏନେଇ ପ୍ରଚାର ଜୋରଦାର କରାଯାଇଛି।

ରାଜଧାନୀର ପ୍ରମୁଖ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଲଗାଇ ଲୋକଙ୍କୁ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଏଫ୍ଏମ୍‌ ରେଡିଓରେ ଜିଙ୍ଗଲ୍ ବାଜୁଛି, ଆଗାମୀ ଦିନରେ ସମସ୍ତ ସିନେମା ହଲ୍‌ରେ ବିଜ୍ଞାପନ ବଜାଇବା ସହ ଜନଗହଳି ସ୍ଥାନରେ ଲୋକଙ୍କୁ ଲିଫଲେଟ୍ ବାଣ୍ଟିବାକୁ ଯୋଜନା ହୋଇଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୧୯କୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ବରକୁ ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ସହର କରିବାକୁ ସବୁ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଅପରପକ୍ଷେ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ବ୍ୟବସାୟୀମାନଙ୍କୁ ମହଜୁଦ୍ ଥିବା ପଲିଥିନ୍ ସାମଗ୍ରୀ କରିବାକୁ ସମୟ ଦିଆଯାଇଥିବାରୁ ଏହା ପରେ ହିଁ ବଜାରରେ ପ୍ଲାଷ୍ଟିକ ଓ ପଲିଥିନ୍ ନିଷେଧର ପ୍ରଭାବ ଦେଖିବାକୁ ମିଳିବ। ଏହାସହ ବିଏମ୍‌ସି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ଲାଷ୍ଟିକ୍‌ ଓ ପଲିଥିନ୍ ଫ୍ୟାକ୍ଟ୍ରି ସିଲ୍ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର