ନୂଆ ବର୍ଷରୁ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା

ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ରେ ହେବ ସ୍ବଚ୍ଛତା କେନ୍ଦ୍ର

ଭୁବନେଶ୍ବର: ଜାନୁଆରି ୧ରୁ ରାଜଧାନୀର ୧୦ଟି ୱାର୍ଡର ପ୍ଲାଷ୍ଟିକ ଆବର୍ଜନା ବିଶୋଧନ ହେବ। ଏଥିପାଇଁ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ରେ ଏକ ‘ସ୍ବଚ୍ଛତା କେନ୍ଦ୍ର’ ଖୋଲାଯିବ। ଏଠାରେ ଦୈନିକ ୫ମେଟ୍ରିକ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ରହିବ। ଏଥିପାଇଁ ଆଜି ବିଏମ୍‌ସି ଏବଂ ୟୁଏନ୍‌ଡିପି ଓ ହିନ୍ଦୁସ୍ତାନ୍ କେ‌ା‌କାକୋଲା ବେଭେରେଜ୍‌ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଏଥିରେ ୬ବର୍ଷ ପାଇଁ ୟୁଏନ୍‌ଡିପି ପିପିପି ମୋଡରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା କରିବାକୁ ଥିବା ବେଳେ ଏହାପରେ ବିଏମ୍‌ସି ନିଜସ୍ବ ସମ୍ବଳରେ ଏହାକୁ ପରିଚାଳନା କରିବ। ଏମ୍‌ଓୟୁ ଅନୁଯାୟୀ, ଟିଟିଏସ୍ ପରିସରରେ ବିଏମ୍‌ସି ୬ ହଜାର ବର୍ଗଫୁଟ ଅଞ୍ଚଳ‌ ଯୋଗା‌ଇଦେବ। ଏଠାରେ ସେଡ୍ କରିବା ସହ ଆବଶ୍ୟକୀୟ ଯନ୍ତ୍ରପାତି କିଣିକି ଦେ‌ବ। ଏଥିପାଇଁ ପ୍ରାୟ ୩୬ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ କରିବ। ସେହିପରି ୟୁଏନ୍‌ଡିପି ପକ୍ଷରୁ ସ୍ଥାନୀୟ ସଂସ୍ଥା ଭାବେ ଶ୍ରୀ ଗଣେଶ ରିସାଇକେଲିଂ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦାୟିତ୍ବ ଦିଆଯାଇଥିବା ବେଳେ ଏହି ସଂସ୍ଥା ପ୍ଲାଷ୍ଟିକ୍ ବର୍ଜ୍ୟ ଗୋଟାଇବା, ଏହାକୁ ପରିଚାଳନା କରିବା ଏବଂ ଅନ୍ୟାନ୍ୟ ବାବଦକୁ ୯୭ ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ କରିବ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ପାଇଲଟ୍ ପ୍ରକଳ୍ପ ଭାବେ ଏବେ ୧୦ଟି ୱାର୍ଡ ଯଥା ୱାର୍ଡ ୧୨, ୧୩, ୧୬, ୨୫, ୨୭, ୩୦, ୩୪, ୪୧ ଏବଂ ୫୩ରେ କରାଯିବ।

ୟୁଏନ୍‌ଡିପି ସହ ଚୁକ୍ତି ସ୍ବାକ୍ଷର କଲା ବିଏମ୍‌ସି, ଦୈନିକ ୫ ମେଟ୍ରିକ ଟନ୍ ପ୍ଲାଷ୍ଟିକ୍ ବିଶୋଧନ ହେବ

୧୦ଟି ୱାର୍ଡରେ ପାଇଲଟ୍ ପ୍ରକଳ୍ପ, ୬ ବର୍ଷ ପରେ ବିଏମ୍‌ସି ନିଜେ କରିବ

୪ ବର୍ଷରେ ୬୮୦୦ ମେଟ୍ରିକ ଟନ୍ ବର୍ଜ୍ୟ ପରିଚାଳନା ଲକ୍ଷ୍ୟ

ପରେ ୬୭ଟି ଯାକ ୱାର୍ଡରେ ଏହାକୁ କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ୱାର୍ଡରୁ ସଫେଇ କର୍ମଚାରୀ ସଂଗ୍ରହ କରୁଥିବା ଆବର୍ଜନାରୁ ଜୈବ ଓ ଅଜୈବ ଆବର୍ଜନା ପୃଥକ କରିବେ। ଅଜୈବ ଆବର୍ଜନାକୁ ସେହି ୱାର୍ଡରେ ନିର୍ମାଣ ହୋଇଥିବା ଏକ ସେଡ୍‌ରେ ଜମା କରିବେ। ଏହାପରେ ତାହାକୁ ସଂଗ୍ରହ କରି ‘ସ୍ବଚ୍ଛତା କେନ୍ଦ୍ର’କୁ ଅଣାଯିବ। ସେଠାରେ ବିଭିନ୍ନ ଉପାୟରେ ଏହାକୁ ବିଶୋଧନ କରାଯିବ। ଏଥିପାଇଁ ଟିଟିଏସ୍‌ରେ ୧୦ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ ଆବର୍ଜନା ରହିବାର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଦିନ ୫ ମେଟ୍ରିକ୍ ଟନ୍ ଆବର୍ଜନା ବିଶୋଧନ ହେବ। ଏହି ପ୍ଲାଣ୍ଟରେ ପିଇଟି, ଏଚ୍‌ପିଡିଇ, ଏଲ୍‌ଡିପିଇ, ପିଭିସି, ପିପି, ପିଏସ୍‌ ଇତ୍ୟାଦି ବର୍ଗର ପ୍ଲାଷ୍ଟିକ୍ ବିଶୋଧନ ହୋଇପାରିବ। ଏଥିରେ କୁର୍‌କୁରେ ଜରିଠାରୁ ଆରମ୍ଭ କରି ଏକାଧିକ ଲେୟାରର ଜରି ବି ବିଶୋଧନ ହୋଇପାରିବ। ୪ ବର୍ଷରେ ପ୍ରାୟ ୬,୮୦୦ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ବିଶୋଧନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରୁ ବାହାରିବାକୁ ଥିବା ଶୁଦ୍ଧ ପ୍ଲାଷ୍ଟିକ୍‌କୁ ରାସ୍ତା ମରାମତିରେ ବ୍ୟବହାର କରିବା ସହ ବିଭିନ୍ନ ପ୍ଲାଷ୍ଟିକ୍ ସାମଗ୍ରୀ ପ୍ରସ୍ତୁତ କରୁଥିବା ସଂସ୍ଥା, ସିମେଣ୍ଟ କମ୍ପାନିକୁ ବିକ୍ରି କରିବାକୁ ବ୍ୟବସ୍ଥା କରାଯାଉଛି।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨୦ଜଣ ସ୍ବଚ୍ଛତା ସାଥୀ (ଜରିଗୋଟାଳି)ଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯିବ। ଆଉ ୭୦୦ଜଣଙ୍କୁ ପରୋକ୍ଷ ନିଯୁକ୍ତି ଦିଆଯିବ। ସେମାନଙ୍କ ପାଇଁ ବୀମା, ସ୍ବାସ୍ଥ୍ୟ ବୀମା, ଭତ୍ତା, ପୋଷାକ, ନିରାପତ୍ତା ସାମଗ୍ରୀ, ପରିଚୟପତ୍ର ଆଦି ଯୋଗାଇ ଦିଆଯିବ। ଆଜି ବିଏମ୍‌ସି ପକ୍ଷରୁ ଡେପୁଟି କମିସନର ଦୀପ୍ତିରାଣୀ ସାହୁ ଏବଂ ୟୁଏନ୍‌ଡିପି ପକ୍ଷରୁ ପ୍ରଦ୍ୟୋଷ ସୋଧି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଡେପୁଟି ମେୟର କେ.ଶାନ୍ତି, ବିଏମ୍‌ସି କମିସନର କ୍ରିଷନ କୁମାର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ (ପ୍ଲାନିଂ) ନବକିଶୋର ବେହେରା, ୟୁଏନ୍‌ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର