‘ସମ୍ବାଦ’ ପକ୍ଷରୁ ଆୟୋଜିତ +୨ କଳା ଓ ବାଣିଜ୍ୟ ଚାମ୍ପୟନ୍‌ସ : ଜତେନା ଗାଁ’ର ରତ୍ନ

ଭୁବନେଶ୍ୱର : ସେ ୮୯ ପ୍ରତିଶତ ନମ୍ବର ରଖି +୨ କଳାରେ ଉତ୍ତୀର୍ଣ୍ଣ ହେଲେ। ରାଜ୍ୟରେ ୬ଷ୍ଠ ସ୍ଥାନ ଅଧିକାର କଲେ। ହେଲେ ତାଙ୍କ ଗାଁରେ କହିଲେ, ତୁ ତ ଫାଷ୍ଟ୍‌ ହୋଇଛୁ, ଏ ଟପର ପୁଣି କ’ଣ? ବାସ୍ତବରେ ଯୋଉ ଗାଁରେ ଶିକ୍ଷା ଓ ଲୋକଙ୍କ ମାନସିକ ସ୍ତର ଏଭଳି ଧରଣର ସେଠି ସେ ଏଭଳି କୃତିତ୍ବର ଅଧିକାରୀ ହୋଇଛନ୍ତି। ଦାରିଦ୍ରୢର ତାଡ଼ନା ସହ ଅଧା ଗଢ଼ା ଘରେ ମାଟି ଚଟାଣରେ ପଢ଼ି ପରୀକ୍ଷା ଦେଇ ରାଜ୍ୟର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ଦଖଲ କରି ପାଲଟି ଯାଇଛନ୍ତି ଗାଁର ରତ୍ନ। ନାଁ ତାଙ୍କର ସସ୍ମିତା ଜେନା। ଘର ବାଲିପାଟଣାର ଜତେନା ଗ୍ରାମ। ଆଜି ‘ସମ୍ବାଦ’ ପକ୍ଷରୁ ଆୟୋଜିତ +୨ କଳା ଓ ବାଣିଜ୍ୟ ଚାମ୍ପୟନ୍‌ସ ସମ୍ବର୍ଧନା କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ବେଳେ ତାଙ୍କର ଏଇ ସଫଳତାର କାହାଣୀ ସାଉଁଟିଥିଲୁ।

ରାଜା ମଧୁସୂଦନ ଦେବ କଲେଜ୍‌ରେ ପଢ଼ୁଥିବା ବେଳେ ଯେବେ ସମସ୍ତ ଛାତ୍ରଛାତ୍ରୀ ନିଜର ବିଷୟବସ୍ତୁକୁ ଓଡ଼ିଆରେ ପଢ଼ୁଥିଲେ ସେତେବେଳେ ଇଂରାଜୀରେ ସମସ୍ତ ବିଷୟରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ ସସ୍ମିତା। ସେଥିପାଇଁ ସେ କଲେଜ୍‌ରେ ଓଡ଼ିଆରେ ପଢ଼ିଥିଲେ ହେଁ ଇଂରାଜୀରେ ପରୀକ୍ଷା ଦେଇଥିଲେ। ସସ୍ମିତା ବଡ଼ ଝିଅ ହୋଇଥିବା ବେଳେ ତାଙ୍କ ବାପା ଚନ୍ଦ୍ରଶେଖର ଜେନା ଜଣେ ଚାଷୀ। ତେଣୁ ଚନ୍ଦ୍ରଶେଖର ଦାରିଦ୍ରୢ ଯୋଗୁ ଯେବେ ପାଠପଢ଼ା ଓ ଟ୍ୟୁସନ୍‌ ଖର୍ଚ ଭରିପାରିବାକୁ ଅକ୍ଷମତା ପ୍ରକାଶ କରିଥିଲେ ସେତେବେଳେ ସସ୍ମିତାଙ୍କ ପାଖେ ଦେବଦୂତ ଭାବେ ଛିଡ଼ା ହୋଇଥିଲେ ସମ୍ପର୍କୀୟ ଭଉଣୀ ମାନସୀ ସାମଲ। ସସ୍ମିତା ବି କୃତିତ୍ବ ଅର୍ଜନ କରିବାର ସଂକଳ୍ପ ନେଇ ପଢ଼ି‌ଲେ ଏବଂ କରି ଦେଖାଇଲେ। ଯଦିଓ ଗ୍ରାମବାସୀ ଧରିନେଇଛନ୍ତି କଲେଜ୍‌ରେ ସସ୍ମିତା ପ୍ରଥମ ହୋଇଛି ମାତ୍ର ଲୋକେ ତାଙ୍କ ଝିଅ ପୁଅମାନଙ୍କୁ ପାଠ ପଢ଼ିବା ପାଇଁ ଆକଟ କରିବା ବେଳେ କହୁଛନ୍ତି ପାଠ ପଢ଼ିବ ତ ସସ୍ମିତା ଭଳି ପଢ଼। ଦାରିଦ୍ରୢ ଯେ କେବେ ମେଧା ପ୍ରଦର୍ଶନରେ ବାଧକ ହୁଏନି ତାହା କରି ଦେଖାଇଛନ୍ତି ସସ୍ମିତା। ତାଙ୍କ ଇଚ୍ଛା ସେ ସିଭିଲ୍‌ ସର୍ଭିସ ପରୀକ୍ଷା ଦେବେ। ଯେଉଁ ଗାଁରେ ତାଙ୍କ ଟପର ହେବାର ମହତ୍ତ୍ବକୁ ଲୋକେ ବୁଝିପାରିନାହାନ୍ତି ସେଭଳି ଅନେକ ଗାଁରେ ସେ ଶିକ୍ଷାର ଦିଗବାରେଣୀ ସାଜିବେ।

ସମ୍ବନ୍ଧିତ ଖବର