ଆଜି ମୋଦୀ, ୧୮ରେ ନବୀନଙ୍କ ରୋଡ୍‌ ସୋ’

ଗାଡ଼ି ଚଳାଚଳ ଉପରେ କଟକଣା

ଭୁବନେଶ୍ବର : ମଙ୍ଗଳବାର ଅପରାହ୍‌ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ। ଭୁବନେଶ୍ବରରେ ଆସନ୍ତା ୨୩ତାରିଖରେ ନିର୍ବାଚନ ହେବା ପୂର୍ବରୁ ମୋଦୀ ରୋଡ୍‌ ସୋ’ କରୁଥିବାରୁ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ରାଜଧାନୀରେ ନିର୍ବାଚନ ପୂର୍ବରୁ ଯେପରି ମୋଦୀ ହାୱା ବହିବ ସେଥିପାଇଁ ବିଜେପି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ମୋଦୀ ଅପରାହ୍ଣ ୫ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ରୋଡ୍‌ ସୋ’ କରି ବରମୁଣ୍ଡା ଯିବେ। ସେ ବିମାନବନ୍ଦରରୁ ବାହାରି ନୂଆ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଶିରିପରୁ ଛକ, ସିଟି ଓମେନ୍ସ ଛକ, ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର, ଓୟୁଏଟି ଫାର୍ମ ହାଉସ୍‌ ରାସ୍ତା ଦେଇ ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ପହଞ୍ଚିବେ। ସେଠାରୁ ରଙ୍ଗରୁଟ୍‌ରେ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ଯିବେ। ‌ଏହାପରେ ମୋଦୀ ବରମୁଣ୍ଡା ପଡ଼ିଆରେ ଆୟୋଜିତ ସା‌ଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି କେତେକ ସ୍ଥାନରେ ମୋଦୀ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ସହ ହାତ ମିଳାଇବା ସହ କଥାବାର୍ତ୍ତା ହୋଇପାରନ୍ତି। ଏପରି କି ସେ କିଛି ବାଟ ଚାଲି ଚାଲି ଯାଇପାରନ୍ତି ବୋଲି କୁହାଯାଉଛି।

ମୋଦୀଙ୍କର ଏହି କାର୍ଯ୍ୟକ୍ରମ ଭୁବନେଶ୍ବରର ବିଜେପି ଲୋକସଭା ପ୍ରାର୍ଥୀ ଏବଂ ଭୁବନେଶ୍ବରର ତିନି ବିଧାୟକ ପ୍ରାର୍ଥୀଙ୍କର ଭୋଟ୍‌ ବଢ଼ାଇବାରେ ସହାୟକ ହେବ ବୋଲି ବିଜେପି କର୍ମୀ କହୁଛନ୍ତି। ଏପରିକି ଏହି କାର୍ଯ୍ୟକ୍ରମ ଦ୍ବାରା ରାଜଧାନୀରେ ମୋଦୀ ହାୱା ବଢ଼ିଯିବ ବୋଲି ବିଜେପି ପ୍ରାର୍ଥୀମାନେ ଆଶା ରଖିଛନ୍ତି।

ଅପରପକ୍ଷେ ମୋଦୀଙ୍କ ରୋଡ୍‌ ସୋ’ର ଦିନକ ପରେ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ। ପ୍ରାୟ ୪ଘଣ୍ଟା କାଳ ତାଙ୍କ ହାଇଟେକ୍ ପ୍ରଚାର ବସ୍‌ରେ ପ୍ରଚାର କରିବେ। ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ରୋଡ୍‌ ସୋ’ ହେବ। ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ରୋଡ୍‌ ସୋ’ ହେବ। ଏହି ରୋଡ ସୋ’ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ବାହାରି ଭୁବନେଶ୍ବର ମଧ୍ୟ ହୋଇ ଭୁବନେଶ୍ବର ଉତ୍ତରକୁ ଯିବ। ଏଥିପାଇଁ ଭୁବନେଶ୍ବରରେ ବିଜେଡିର ଲୋକସଭା ପ୍ରାର୍ଥୀ, ତିନି ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଏବଂ ଦଳର ଅନ୍ୟ ପଦାଧିକାରୀମାନଙ୍କୁ ପ୍ରସ୍ତୁତି କରିବାକୁ କୁହାଯାଇଛି। ନବୀନଙ୍କ ରୋଡ୍‌ ସୋ’ ସମୟରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୨ରୁ ୩ଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ନବୀନ ବସ୍‌ ଭିତରେ ଛିଡ଼ା ହୋଇ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ।

ନବୀନଙ୍କ ଆଗରେ ଏକ ବାଇକ୍ ‌ଶୋଭାଯାତ୍ରା ଯିବ। ଏହାସହ ତିନି ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ବି ମୁଖ୍ୟମନ୍ତ୍ରୀଙ୍କ ଆଗରେ ପଛରେ ଯିବେ। କେଉଁ ନିର୍ବାଚନ ମଣ୍ଡଳୀର କେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି କେତେ ସମୟ ଅଟକିବ ଓ ସେ ସମ୍ବୋଧନ କରିବେ ତାହା ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଦଳର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି।

ନବୀନ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ବୋଲି ଜାଣିବା ପରେ ବିଜେଡି କର୍ମୀମାନେ ଉତ୍ସାହିତ ହୋଇଯାଇଛନ୍ତି। ବିଜେଡି କର୍ମୀ କହିଛନ୍ତି ଯେ, ନବୀନଙ୍କ କ୍ରେଜ୍‌ ଆଗରେ ମୋଦୀ ହାୱା ଫିକାପଡ଼ିବ। ନିର୍ବାଚନର ମାତ୍ର ୪ଦିନ ପୂର୍ବରୁ ନବୀନ ରୋଡ୍‌ ସୋ’ ମାଧ୍ୟମରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ନିଷ୍ପତ୍ତି ନେବା ବିଜେଡି ପ୍ରାର୍ଥୀମାନେ ଖୁବ୍ ଉତ୍ସାହିତ ହୋଇଯାଇଛନ୍ତି। ନବୀନଙ୍କ ଏହି ରୋଡ୍‌ ସୋ’ ତାଙ୍କ ବିଜୟ ବ୍ୟବଧାନକୁ ଅଧିକ ବଢ଼ାଇବ ବୋଲି ପ୍ରାର୍ଥୀମାନେ କହିଛନ୍ତି। ଅପରପକ୍ଷେ ମୋଦୀଙ୍କ ରୋଡ୍‌ ସୋ’ ପାଇଁ ରାଜଧାନୀରେ ୬୦ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର, ୧୨ଜଣ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଆଜି ସଂଧ୍ୟାରେ କାରକେଡ୍‌ ଅଭ୍ୟାସ ହୋଇଥିଲା। କାରକେଡ୍‌ର ଗାଡ଼ିଗୁଡ଼ିକ ବହୁତ ଧୀରେ ଧୀରେ ଅଭ୍ୟାସ କରୁଥିବାରୁ ଏବଂ କେତୋଟି ସ୍ଥାନରେ ରହିଥିବାରୁ ମୋଦି ପ୍ରାୟ ଅଧଘଣ୍ଟାରୁ ୪୫ମିନିଟ ପର୍ଯ୍ୟନ୍ତ ରୋଡ୍‌ ସୋ’ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଗାଡ଼ି ଚଳାଚଳ ଉପରେ କଟକଣା

ଭୁବନେଶ୍ବରା : ମୋଦୀଙ୍କ ଗସ୍ତ ସମୟରେ ଟ୍ରାଫିକ୍‌କୁ ନେଇ ଯେଭଳି କୌଣିସ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଅପରାହ୍‌ଣ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ରେ ଗାଡ଼ି ଚଳାଚଳକୁ ନେଇ କଟକଣା ଲଗାଯାଇଛି।

ଖୋର୍ଦ୍ଧାରୁ ଜାତୀୟ ରାଜପଥ-୧୬ରେ ଭୁବନେଶ୍ବର ଅଭିମୁଖେ ଆସୁଥିବା ଭାରୀଯାନ, ପରିବହନ ଯାନଗୁଡ଼ିକ ପିତାପଲ୍ଲୀ ଛକ ନିକଟରେ ଗାଡ଼ି ପାର୍କିଂ କରିବେ। ସେହିପରି କଟକପଟୁ ଜାତୀୟ ରାଜପଥରେ ଭୁବନେଶ୍ବର ଆସୁଥିବା ଭାରୀଯାନଗୁଡ଼ିକ ମଙ୍ଗୁଳି ଓ ଏହା ପୂର୍ବରୁ ପାର୍କିଂ କରିବେ।

କଟକରୁ ଭୁବନେଶ୍ବର ଅସୁଥିବା ଦୁଇଚକିଆ ଓ ଚାରିଚକିଆ ଗାଡ଼ିଗୁଡ଼ିକୁ ବାଲିକୁଦା ଛକରୁ ପିତାପଲ୍ଲୀ ଆଡ଼କୁ ଭାୟା ତ୍ରିଶୂଳିଆ, ବାରଙ୍ଗ ଓ ଚନ୍ଦକା ଛକକୁ ଗତିପଥ ବଦଳାଇ ଦିଆଯିବ। ସେହିପରି ଖୋର୍ଦ୍ଧାରୁ କଟକ ଆସୁଥିବା ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକୁ ସମାନ ଭାବରେ ଗତିପଥ ବଦଳାଇ ଦିଆଯିବ। କଟକରୁ ବରମୁଣ୍ଡା ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ ଜାତୀୟ ରାଜପଥ ଫ୍ଲାଏ ଓଭର-୧୬ ଦେଇ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ଡାହାଣକୁ ମୋଡ଼ି ସର୍ଭିସ ରୋଡ୍‌ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯିବେ। ସେହିପରି ଖୋର୍ଦ୍ଧାରୁ ବରମୁଣ୍ଡା ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ ସର୍ଭିସ୍‌ ରୋଡ୍‌ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯିବେ। ବରମୁଣ୍ଡାରୁ କଟକ ଯାଉ ଥିବା ସମସ୍ତ ବସ୍‌ ବାଣୀବିହାର ପର୍ଯ୍ୟନ୍ତ ସର୍ଭିସ ରୋଡ୍‌କୁ ବ୍ୟବହାର କରିବେ। ବାଣୀବିହାରରୁ ଜାତୀୟ ରାଜପଥ-୧୬ ଫ୍ଲାଏ ଓଭର୍‌କୁ ବ୍ୟବହାର କରିବେ।

ସମ୍ବନ୍ଧିତ ଖବର