୨ ବର୍ଷରେ ପିଏମ୍‌ଜିଏସ୍‌ୱାଇ ସଡ଼କ ନଷ୍ଟ, ବିଭାଗ ଚିଠିକୁ ଠିକାଦାରଙ୍କ ବେଖାତିର

ଖଣ୍ଡଗିରି: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନବୀକରଣ କାମ ସରୁ ସରୁ ଲାଗିଗଲା ୭ ବର୍ଷ। ଦେଢ଼ କୋଟିରୁ ଅଧିକ ଟଙ୍କା ବ୍ୟୟ ହେଲେ ବି ଅଧାପନ୍ତରିଆ ହୋଇ ରାସ୍ତା ନବୀକରଣ ହେଲା। ମାତ୍ର ଦୁଃଖର କଥା ୩ଟା ବର୍ଷ‌ରେ ପିଚୁ ମେଟାଲ ଉଠିଗଲା ଓ ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇଗଲା। ଯାହା ଥିଲା ବାତ୍ୟା ତିତ୍‌ଲିରେ ବେଶି କ୍ଷତିଗ୍ରସ୍ତ ହୋଇପଡ଼ିବାରୁ ସେହିଦିନଠାରୁ ରାସ୍ତା ପାଲଟି ଯାଇଛି ମରଣଯନ୍ତା। ଏଣେ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କୁ କେବଳ ଚିଠି ଲେଖି ହାତବାନ୍ଧି ବସିଛି। ଅନ୍ୟପକ୍ଷରେ ବିଭାଗୀୟ ଚିଠିକୁ ବେଖାତିର୍ କରି ଜବାବ ଦେଉନାହାନ୍ତି ଠିକାଦାର। ଏ ହେଉଛି ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ-୨ର ରେତଙ୍ଗ ରୋଡ୍‌ର ଅବସ୍ଥା। ୧୬ ନମ୍ବର ଜାତୀୟ ରାଜପଥରୁ ରେତଙ୍ଗ ରେଲୱେ ଷ୍ଟେସନ୍‌କୁ ଲମ୍ବିଥିବା ଏହି ୫ କିଲୋମିଟର ରାସ୍ତା ଉପରେ ଭୁବନେଶ୍ବର ବ୍ଲକର ନଁପୁଟ ଓ ଜଟଣୀ ବ୍ଲକର ପଞ୍ଚୁପଲ୍ଲୀ ଏମିତି ଦୁଇଟି ପଞ୍ଚାୟତବାସୀ ନିର୍ଭର କରନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ୱାଇ)ରେ ଏହି ରାସ୍ତା ନବୀକରଣ ପାଇଁ ୨୦୧୦ ମସିହାରେ ଦେଢ଼କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ଠିକାଦାରଙ୍କ ମନମାନୀ ଓ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା କାରଣରୁ ନବୀକରଣ କାମ ସରୁସରୁ ୭ ବର୍ଷ ଲାଗିଗଲା। ମାତ୍ର ରାସ୍ତାକାମ ବଡ଼ ନିମ୍ନମାନର ହୋଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଖୁବ୍ କମ୍ ଦିନରେ ବହୁ ସ୍ଥାନରୁ ପିଚୁ ଉଠିଗଲା। ପରେ ତିତ୍‌ଲି ବାତ୍ୟାଜନିତ ବର୍ଷାରେ ଏହି ରାସ୍ତା ନଷ୍ଟ ହୋଇଗଲା। ପିଚୁ ପରେ ଡଷ୍ଟ ଓ ମେଟାଲ ସ୍ତର (ଡବ୍ଲ୍ୟୁବିଏମ୍‌) ମଧ୍ୟ ଉଠିଗଲା। ଫଳରେ ଏବେ ଦୁଇ ପଞ୍ଚାୟତର ହଜାର ହଜାର ଲୋକଙ୍କ ସହ ଏହି ଅଞ୍ଚଳରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା କଥା ସମ୍ପୃକ୍ତ ଠିକାଦାରକୁ ବାରମ୍ବାର ତାଗିଦ୍ କରି ଚିଠି କରାଯାଇଛି। ୫ ବର୍ଷ ପର୍ଯ୍ୟନ୍ତ ଠିକାଦାର ରାସ୍ତା ମରାମତି ଦାୟିତ୍ବରେ ଥିବାରୁ ବିଭାଗ ପକ୍ଷରୁ ରିମାଣ୍ଡର୍‌ ଲେଟର ମଧ୍ୟ ଦିଆଯାଇଛି। କିନ୍ତୁ କିଛି ଲାଭ ହୋଇନାହିଁ। ତେଣୁ ବାଧ୍ୟ ହୋଇ ରାସ୍ତା ମରାମତି ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର