‘ଦୀର୍ଘଶ୍ୱାସ’ ଓ ‘ମାୟାମେଘ’ ଲୋକାର୍ପିତ

ଦେବଦାସ-ଅଜୟ ଯୁଗଳବନ୍ଦୀ: ଗୀତରେ ଗୀତରେ କବିତା ସନ୍ଧ୍ୟା

ଭୁବନେଶ୍ୱର: ଦେବଦାସ ଛୋଟରାୟଙ୍କ ପାଇଁ କଟକ ସହର ଯେମିତି ଝୁରି ହୁଏ ଅନୁରୂପ କଟକ ପାଇଁ ଦେବଦାସଙ୍କ ପ୍ରେମ ଓ ପ୍ରେମିକପଣ ମଧ୍ୟ ସ୍ମରଣୀୟ। ଅଜୟ ସ୍ୱାଇଁଙ୍କ ନଈକୂଳ ଗାଁ ଓ ମାୟାର ମେଘ ପାଠକଙ୍କୁ ଯେମିତି ବାନ୍ଧି ରଖେ, ସେ ଯେତେ ପ୍ରେମ ବାଣ୍ଟନ୍ତି ତାହା ସେତେ ବଢ଼ି ବଢ଼ି ଯାଏ। ସେଥିପାଇଁ ଅଜୟ ସ୍ୱାଇଁ ପ୍ରେମ ବାଣ୍ଟିବାରେ କାର୍ପଣ୍ୟ କରନ୍ତି ନାହିଁ। ଏଭଳି ସ୍ୱୀକାରୋକ୍ତି କରିଥିଲେ କବି ଦେବଦାସ ଛୋଟରାୟ ଓ କବି ଅଜୟ ସ୍ୱାଇଁ। ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷର ଆଜି ସନ୍ଧ୍ୟାଟି ବିଶିଷ୍ଟ କବି ଦେବଦାସ ଛୋଟରାୟ ଏବଂ କବି ଅଜୟ ସ୍ୱାଇଁଙ୍କ କବିତାର ଯୁଗଳବନ୍ଦୀ ପାଠକଙ୍କ ବିମୋହିତ କରିଥିଲା। ବାସ୍ତବରେ ଆଜି ସନ୍ଧ୍ୟାରେ ବିଶିଷ୍ଟ କବି ଦେବଦାସ ଛୋଟରାୟଙ୍କ କବିତା ପୁସ୍ତକ ‘ଦୀର୍ଘଶ୍ୱାସ’ ଏବଂ ଅଜୟ ସ୍ୱାଇଁଙ୍କ କବିତା ପୁସ୍ତକ ‘ମାୟାମେଘ’ର ଲୋକାର୍ପଣ ଉତ୍ସବ କାର୍ଯ୍ୟ ଥିଲା, ମାତ୍ର ନିଆରା ଶୈଳୀରେ। କେବଳ ହାଲୁକା ଢଙ୍ଗରେ କବିତା ଆବୃତ୍ତି ଓ କଣ୍ଠଶିଳ୍ପୀଙ୍କ କଣ୍ଠରେ ସେମାନଙ୍କ କବିତା ପାଠକଙ୍କୁ ବିମୋହିତ କରିଥିଲା। ଦେବଦାସ ଛୋଟରାୟ ଓ ଅଜୟ ସ୍ୱାଇଁଙ୍କ ଗୀତ ଓ କବିତାକୁ କଣ୍ଠଶିଳ୍ପୀ ସୁସ୍ମିତା ଦାଶ, ଅଶୋକ ପୁହାଣ, ଛନ୍ଦା ମିଶ୍ର, ଆରୋହୀ ଅଜିତା ପ୍ରମୁଖ ଗାନ କରିଥିବା ବେଳେ ଉଭୟଙ୍କ ଅନେକ କବିତାକୁ ଭାସ୍ୱତୀ ବସୁ, ମମତା ଦାଶ, ଅକ୍ଷାଂଶର ସଂପାଦକ ସୁରେଶ ନାୟକ, ଦେବଦତ୍ତ, ମନୁଆ ଦାସ, ପ୍ରଜ୍ଞା ପାରମିତା ପ୍ରମୁଖ ଆବୃତ୍ତି କରିଥିଲେ। ସେହିଭଳି ଦେବଦାସ ଓ ଅଜୟଙ୍କ ସଂପର୍କରେ ପ୍ରଖ୍ୟାତ କବି ରମାକାନ୍ତ ରଥ, କବି ଓ ଚିନ୍ତକ ହରପ୍ରସାଦ ଦାସ, କବି ରାଜେନ୍ଦ୍ର କିଶୋର ପଣ୍ଡା, ପୌରୁଷର ସଂପାଦକ ଅସିତ ମହାନ୍ତି, କବି ମମତା ଦାଶ ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କ ପୁରୁଣା ଦିନର ସ୍ମୃତି ଓ ଅନୁଭୂତି ବଖାଣିଥିଲେ। ପୁସ୍ତକ ଦୁଇଟିର ପ୍ରକାଶକ ‘ପକ୍ଷୀଘର’ର ସଂପାଦକ ବନୋଜ ତ୍ରିପାଠୀ ଆଜିର କାର୍ଯ୍ୟକ୍ରମକୁ ବେଶ୍‌ ଚମତ୍କାର ଢଙ୍ଗରେ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର