ପ୍ରସ୍ତୁତ ହେବ ଗ୍ରାମୀଣ ଲୋକକଳାର ପ୍ରାମାଣିକ ଚିତ୍ର

ଭୁବନେଶ୍ୱର: ଲୋକକଳାକୁ ତୃଣମୂଳ ସ୍ତରରୁ ପ୍ରୋତ୍ସାହନ ପାଇଁ ଲୋକକଳା ଗ୍ରାମ ଗଠନ ପାଇଁ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ କଳାକାର ଲୋକକଳା ପ୍ରଦର୍ଶନ କରିବେ। ଦୂରଦର୍ଶନରେ ଏହାର ପ୍ରସାରଣ କରାଯିବ। ଏଥିସହିତ ଏହି କଳାର ଆଧାରରେ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯିବ। ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନ ପରିସରରେ ସମୀକ୍ଷା କର୍ମଶାଳାରେ ଏମିତି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରାମାଣିକ ଚିତ୍ରକୁ ସୋସିଆଲ୍‌ ମିଡିଆରେ ପ୍ରସାରଣ କରାଯିବ। ଏଥିସହିତ ସଫଳ କାହାଣୀକୁ ନେଇ କ୍ଷୁଦ୍ର ପ୍ରାମାଣିକ ଚିତ୍ର ଓ ବୃତ୍ତଚିତ୍ର ମଧ୍ୟ ପ୍ରସ୍ତୁତ କରାଯିବ।

ଏଥିସହିତ ନଗର କଳା ସଂସ୍କୃତି ସଂଘ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଔପଚାରିକ ଭାବେ ଲୋକାର୍ପିତ ହୋଇ ସାରିଥିବା ବେଳେ ଆସନ୍ତା ମାସରେ ନଗର କଳା ସଂସ୍କୃତି ସଂଘର ବାସ୍ତବ ଶୁଭାରମ୍ଭ କରାଯିବ। ଏଇ ଉଦ୍ଦେଶ୍ୟ ନେଇ ଆଜି ୯ଟି ନଗର କଳା ସଂସ୍କୃତି ସଂଘକୁ ଆବର୍ତନ ପାଣ୍ଠି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସଂଘକୁ ୩ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ବାରିପଦା, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାକୁ ଏହି ଆବର୍ତନ ପାଣ୍ଠି ପ୍ରଦାନ କରାଯାଇଛି। ଏଥିସହିତ ୧୦ଟି ଜିଲ୍ଲାରେ ଲୋକକଳା ମହୋତ୍ସବ ଆୟୋଜନ କରାଯିବ। ଖୋର୍ଧା, ଜଗତସିଂହପୁର, ପୁରୀ, ଗଂଜାମ, କୋରାପୁଟ, ନୂଆପଡ଼ା, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର, କଳାହାଣ୍ଡିରେ ଜିଲ୍ଲା ଲୋକକଳା ମହୋତ୍ସବ ଚଳିତ ବର୍ଷ ଆୟୋଜନ କରାଯିବ।ଏଥିସହିତ ୧୧୭ଟି ବ୍ଲକ୍‌ ଏବଂ ୩୧୪ ବିଡିଓଙ୍କୁ ନେଇ ୪ଦିନିଆ ସଚେତନତା ଶିବିର କରାଯିବ। ଲୋକକଳାର ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ ହେବ। କଳାକାର ସଂଘକୁ ଏକାଠି କରିବା ପାଇଁ ଏକ ଆର୍ଟିଷ୍ଟ୍‍ ଫେଡେରେସନ୍‌ ଗଠନ କରାଯିବ। ଆସନ୍ତା ୫ ବର୍ଷ ପାଇଁ ୟୁନିସେଫ୍‌ ଏ ଦିଗରେ ସଂସ୍କୃତି ବିଭାଗକୁ ସହାୟତା ଯୋଗାଇ ଦେବ ବୋଲି ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା କର୍ମଶାଳାରେ ବିଭାଗୀୟ ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ୟୁନିସେଫ୍‌ କାର୍ଯ୍ୟକ୍ରମ ଅଧିକାରୀ ଲୋପାମୁଦ୍ରା ତ୍ରିପାଠୀ ଏବଂ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ପ୍ର୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର