ଚା’ରେ ଜହର!

ଗାଢ଼ ଦେଖାଯିବାକୁ ମିଶାଯାଉଛି କୃତ୍ରିମ ରଂଗ

ଭୁବନେଶ୍ୱର: ବିଛଣା ଛାଡ଼ିବା ମାତ୍ରେ ପ୍ରାୟ ସମସ୍ତଙ୍କର ଗରମ ଚା’ ପିଇବାରେ ଅଭ୍ୟାସ। କେହି କେହି କଡ଼ା ଓ ଗାଢ଼ ରଙ୍ଗର ଚା’ର ମଜା ନେବା ପାଇଁ ରାସ୍ତାପାର୍ଶ୍ୱ, ଗଳିକନ୍ଦି ଓ ଛକମାନଙ୍କରେ ଥିବା ଚା’ ଷ୍ଟଲ୍‌ରେ ଭିଡ଼ ଜମାନ୍ତି। ସକାଳର କପେ ଗରମ ଚା’ ପୂରା ଦିନଟାକୁ ସତେଜ କରି ଦେଇଥାଏ। ହେଲେ ଏହି ଚା’ର ମଜା ନେବା ବେଳେ କେହି କେବେ ଭାବି ନଥିବେ ଯେ ସେମାନେ ତା ସହିତ ବିଷ ବି ପିଉଛନ୍ତି। ପ୍ରାୟ ସମସ୍ତଙ୍କ ଚା’ରେ ଏପରି ବିଷାକ୍ତ ସାମଗ୍ରୀ ରହିଥିବା ଜଣାପଡ଼ିଛି। ବଜାରରେ ବିକ୍ରି ହେଉଥିବା ଚା’ରେ ଭରି ରହିଛି କୃତ୍ରିମ ରଂଗ। କିଛି ଓମ୍‌ଫେଡ୍‌ ଷ୍ଟଲ୍‌ଠାରୁ ଆରମ୍ଭ କରି ଖୁଚୁରା ଦୋକାନୀମାନେ ଏହି ରଂଗମିଶା ଚା’ ବିକ୍ରି କରୁଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟବାସୀ ଏଭଳି ଅପମିଶ୍ରିତ ଚା’ ପିଇ ଚାଲିଛନ୍ତି। ଦୀର୍ଘଦିନ ଧରି ଏପରି ଚା’ ପିଇଲେ ପାକସ୍ଥଳୀ ଜନିତ ରୋଗ ଦେଖାଦେବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ବେଶ୍‌ କିଛିବର୍ଷ ଧରି ରାଜ୍ୟରେ ଏହି ଅପମିଶ୍ରିତ ଚା’ ବିକ୍ରି ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶିଲିଗୁଡ଼ି ଓ ଆସାମରୁ ଏଭଳି ରଂଗମିଶା ଚା’ ପତି ରାଜ୍ୟକୁ ଆସୁଛି।

ଶିଲିଗୁଡ଼ି ଓ ଆସାମରୁ ଆସୁଛି ରଂଗମିଶା ଚା’ ପତି

ଅତି ନିମ୍ନମାନର ଚା’ ପତ୍ରରୁ ଚା’ ପ୍ରସ୍ତୁତ ହେଉଥିବା ସମୟରେ ନଷ୍ଟ ହେଉଥିବା ଚା’ ପତିରେ ଏହି ରଂଗ ଦିଆଯାଉଛି। ବ୍ରାଣ୍ଡେଡ୍‌ ଚା’ରେ ଏଭଳି କୃତ୍ରିମ ରଂଗ ମିଶାଇବାର ସୁଯୋଗ ନ ଥିବାରୁ ଖୋଲା ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଚା’ରେ ଏହାକୁ ମିଶାଯାଉଛି। ଏହି ରଂଗ ଖାଲି ଆଖିକୁ ଦେଖା ଯାଇ ନ ଥାଏ। ଖୁବ୍‌ କମ୍‌ ପରିମାଣର ଚା’ ବ୍ୟବହାର କରି ଦୋକାନୀମାନେ ଆବଶ୍ୟକ ଗାଢ଼ ରଂଗ ପାଇବାରେ ସକ୍ଷମ ହେଉଛନ୍ତି। ଉଭୟ କ୍ଷୀର ଓ ନାଲି ଚା’ରେ ଏହାକୁ ବ୍ୟବହାର କରାଯାଉଛି। ଗତ ୨ବର୍ଷ ହେବ ରାଜ୍ୟରେ ଏଭଳି ବିଷାକ୍ତ ଚା’ର ବିକ୍ରି ବୃଦ୍ଧି ପାଇଥିବା ସୂଚନା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ବିକ୍ରି ଉପଯୋଗୀ ଚା’ ପାଇଁ କେତେକ ମାନକ ଧାର୍ଯ୍ୟ କରାଯାଇଛି। ଏଥିରେ କୌଣସି ପ୍ରକାର ବାହ୍ୟ ପଦାର୍ଥ ଓ ରଂଗ ମିଶି ନ ଥିବା ସହିତ ପାଉଁଶ ୪ପ୍ରତିଶତରୁ ଅଧିକ ମାତ୍ର ୮ପ୍ରତିଶତରୁ କମ୍‌ ରହିବ। ପାଣିରେ ମିଶି ପାରୁଥିବା ଦ୍ରବ୍ୟ ୪୫ପ୍ରତିଶତରୁ କମ୍‌ ହୋଇ ନ ଥିବା ଆବଶ୍ୟକ। ସେହିପରି ପାଣିରେ ମିଶୁଥିବା ଚା’ର କ୍ଷାର ପରିମାଣ ୧ପ୍ରତିଶତରୁ କମ୍‌ ନ ହେବା ସହିତ ୩ପ୍ରତିଶତରୁ ଅଧିକ ହୋଇ ନ ଥିବ, ଅମ୍ଳ ପରିମାଣ ୧ ପ୍ରତିଶତରୁ କମ୍‌ ହୋଇ ନ ଥିବ, ଓ୍ଵାଟର୍‌ ଏକ୍ସଟ୍ରାକ୍ଟ ୩୨ପ୍ରତିଶତରୁ କମ୍‌ ଓ ଫାଇବର୍‌ର ମାତ୍ରା ୧୬.୫ ପ୍ରତିଶତ ନ ହେବା ଆବଶ୍ୟକ। ତେବେ ଏହି ନିମ୍ନମାନର ଚା’ରେ ଫାଇବର ବା କୃତ୍ରିମ ରଂଗ ଯଥେଷ୍ଟ ଅଧିକ ପରିମାଣର ମିଶାଯାଉଛି। ରାଜଧାନୀର ୟୁନିଟ-୧ ଅଞ୍ଚଳରେ ଖୁଲମଖୁଲା ଭାବେ ଏହି ରଂଗମିଶା ଚା’ ପତି ବିକ୍ରି ହେଉଥିବା ନଜରକୁ ଆସିଛି। କେବଳ ରାଜଧାନୀ ନୁହେଁ ରାଜ୍ୟବ୍ୟାପୀ ଏହି ଚା’କୁ ଦୋକାନୀମାନେ ବ୍ୟବହାର କରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିକ୍ରି ଉପଯୋଗୀ ଚା’ ପତିକୁ ପାଣିରେ ପକାଇଲେ କୌଣସି ରଂଗ ଆସି ନ ଥାଏ। ରଂଗ ମିଶିଥିଲେ ତାହା ପାଣିରେ ଦେଖିବାକୁ ମିଳିବ। ସାଧାରଣତଃ ଖାଉଟିମାନେ ଚା’ର ରଂଗ ଓ ବାସ୍ନା ପାଇଁ ଦୋକାନରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ରାଜ୍ୟ ବାହାରୁ ଅଣ ବ୍ରାଣ୍ଡେଡ୍‌ ଚା’ ଆଣୁଥିବା ବ୍ୟବସାୟୀମାନେ ପ୍ୟାକେଟ୍‌ରେ କିଛି ମାତ୍ରାର ଛିଦ୍ର କରି ଦେଇଥାନ୍ତି। ଯାହାଫଳରେ ଚା’ ପ୍ୟାକେଟ୍‌ରେ ଆଦ୍ରତା ଯୋଗୁଁ ଚା’ ବାସ୍ନା ହୋଇଥାଏ। ତେବେ ବ୍ରାଣ୍ଡ୍‌ ଚା’ ପତିରେ କୃତ୍ରିମ ରଂଗ ମିଶୁଥିବା ଏ ପର୍ଯ୍ୟନ୍ତ ଅଭିଯୋଗ ଆସିନାହିଁ। ଅଭିଯୋଗ ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର