ଧାରଣା ଦେବା ପୂର୍ବରୁ ମହିଳାଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର : ଗୁରୁବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଘର ସମ୍ମୁଖରେ ଧାରଣା ଦେବାକୁ ଯାଇଥିବା ଜଣେ ମହିଳାଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଉଠାଇ ନେଇଥିଲା। ଉକ୍ତ ମହିଳା ଜଣଙ୍କ ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରିଛନ୍ତି। ନ୍ୟାୟ ପାଇଁ ଏଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି।

ମହିଳାଙ୍କ କହିବା ଅନୁଯାୟୀ, ୨୦୧୫ ଏପ୍ରିଲ ୫ ତାରିଖରେ ସେ ବ୍ରଜଙ୍କୁ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ବିବାହ କରିଥିଲେ। ପରେ ବ୍ରଜଙ୍କ ସରକାରୀ କ୍ୱାର୍ଟର୍ସରେ ଉଭୟେ ରହିଥିଲେ। ବାଙ୍କୀରେ ଚାକିରି କରିଥିବାରୁ ପରେ ସେ ସେଠାକୁ ଫେରି ଯାଇଥିଲେ। ଗତ ଜୁଲାଇ ୨୦୧୬ରେ ବିଧାୟକ ବ୍ରଜ ପ୍ରଧାନଙ୍କ ସହିତ ଅନ୍ୟ ଜଣେ ମହିଳାଙ୍କ ସମ୍ପର୍କ ଥିବା ସେ ଗଣମାଧ୍ୟମରୁ ଖବର ପାଇଥିଲେ। ଏନେଇ ସେ ବ୍ରଜଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା। ପରେ ସେ ବ୍ରଜଙ୍କ ସରକାରୀ ଘରେ ରହି ବାଙ୍କୀ ଯିବାଆସିବା କରିବେ ବୋଲି କହିଥିଲେ। ଏକଥା ଶୁଣିବା ପରେ ତାଙ୍କ ସରକାରୀ କ୍ୱାର୍ଟର୍ସକୁ ନଆସିବାକୁ ବ୍ରଜ ମହିଳାଙ୍କୁ ସିଧାସଳଖ କହିଥିଲେ। ଏପରିକି ତାଙ୍କ ସହ କିଛି ସମ୍ପର୍କ ନଥିବା ମଧ୍ୟ ସେ କହିଥିଲେ। ଏହା ଶୁଣିବା ପରେ ମହିଳା ଜଣଙ୍କ ନ୍ୟାୟ ପାଇଁ ବିଭିନ୍ନ ମହଲକୁ ଯାଇଥିଲେ। ହେଲେ କିଛି ଫଳ ମିଳି ନଥିଲା। ଶେଷରେ ବାଧ୍ୟ ହୋଇ ଆଜି ପାଣ୍ଡିଆନ୍‌ଙ୍କ ଘର ଆଗରେ ଧରଣା ଦେବାକୁ ସ୍ଥିର କରିଥିଲେ। ହେଲେ ମହିଳା ଜଣଙ୍କ ଏଭଳି କରିବା ପୂର୍ବରୁ ପୁୁଲିସ୍‌ ତାଙ୍କୁ ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର