ଐତିହ୍ୟକୁ ସୁରକ୍ଷା ଦେଇପାରୁନି ପୁଲିସ, ନିଷିଦ୍ଧାଞ୍ଚଳରେ ନିର୍ମାଣ

ଭୁବନେଶ୍ବର: ଆର୍କୋଲୋଜିକାଲ ସାଇଟ୍‌ସ୍‌ ଆଣ୍ଡ ରିମେନ୍‌ସ୍‌ ରୁଲ୍‌ସ ମୁତାବକ, ସଂରକ୍ଷିତ ଘୋଷିତ ହୋଇଥିବା ଐତିହ୍ୟ ସ୍ଥଳଠାରୁ ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ନିର୍ମାଣ ହୋଇ ପାରିବ ନାହିଁ। ୨୦୦ ମିଟର ଭିତରେ ନିର୍ମାଣ କରିବାକୁ ହେଲେ କର୍ତ୍ତୃପକ୍ଷ (ଏଏସ୍‌ଆଇ)ଙ୍କଠାରୁ ଅନୁମତି ନେବାକୁ ପଡ଼ିବ। କେବଳ ନିର୍ମାଣ ନୁହେଁ, କୌଣସି ମରାମତି ବା ପୁନଃନିର୍ମାଣ ପାଇଁ ମଧ୍ୟ ସ୍ବୀକୃତିର ଆବଶ୍ୟକତା ରହିଛି। ହେଲେ ସଂରକ୍ଷିତ ଘୋଷିତ ହୋଇଥିବା ଐତିହ୍ୟକୁ ସୁରକ୍ଷା ଦେଇ ପାରୁନି ପୁଲିସ୍‌। ଐତିହ୍ୟ ଚତୁଷ୍ପାର୍ଶ୍ବ ନିଷିଦ୍ଧ ସ୍ଥାନରେ ଚାଲିଛି ବେଧଡ଼କ ନିର୍ମାଣ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ରାଜ୍ୟରେ‌ ୭୮ଟି ଐତିହ୍ୟକୁ ସଂରକ୍ଷିତ ଘୋଷିତ କରାଯାଇଛି। ଏଥିମଧ୍ୟରୁ କମିସନରେଟ୍‌ ପୁଲିସ୍‌ ଅଧୀନରେ ଭୁବନେଶ୍ବରରେ ୨୯ ଓ କଟକରେ ‌ଗୋଟିଏ ରହିଛି। ଏହି ୩୦ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ କମିସନରେଟ୍‌ ପୁଲିସ୍‌କୁ ଦାୟିତ୍ବ ଦିଆଯାଇଛି। ନିଷିଦ୍ଧାଞ୍ଚଳରେ ନିର୍ମାଣ ହେଉଥିଲେ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ଭାସ୍କରେଶ୍ବର, ବ୍ରହ୍ମେଶ୍ବର, ମେଘେଶ୍ବର ସମେତ ୭ରୁ ଊର୍ଦ୍ଧ୍ବ ସଂରକ୍ଷିତ ଘୋଷିତ ଐତିହ୍ୟ କଡ଼ରେ ନିର୍ମାଣ ଚାଲିଛି। ଏଯାବତ୍‌ ନିର୍ମାଣ ବନ୍ଦ କରାଯାଇ ନାହିଁ। ଅନ୍ୟପଟେ ୨୦୦ ମିଟର ଭିତରେ ହେଉଥିବା ନିର୍ମାଣ ପାଇଁ ଏଏସ୍‌ଆଇ କୌଣସି ସ୍ବୀକୃତି ଦେଇ ନଥିବା ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ ଯେ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ରାଜ୍ୟରେ‌ ୭୮ଟି ଐତିହ୍ୟକୁ ସୁରକ୍ଷିତ ଘୋଷଣା କରାଯାଇଛି। ସେଥିମଧ୍ୟରୁ ୩୦ଟି କମିସନରେଟ୍‌ ପୁଲିସ୍‌ ଅଧୀନରେ ରହିଛି। ଏହି ୩୦ଟି ମଧ୍ୟରୁ ଭୁବନେଶ୍ବରରେ ୨୯ଟି ରହିଥିବା ବେଳେ କଟକରେ କେବଳ ମାତ୍ର ‌ଗୋଟିଏ ରହିଛି। ଭୁବନେଶ୍ବରରେ ଥିବା ୨୯ଟି ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ପୁଲିସ୍‌ କମିସନର ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବଡ଼ଗଡ଼ ଥାନା ଅଧୀନରେ ଭାସ୍କରେଶ୍ବର, ବ୍ରହ୍ମେଶ୍ବର, ମେଘେଶ୍ବର, ନବକିଶୋର, ରାମେଶ୍ବର ଓ ରାଜାରାଣୀ ଏଭଳି ୬ଟି ମନ୍ଦିର ଥିବା ବେଳେ ଖଣ୍ଡଗିରି ଥାନା ଅଧୀନରେ ବାରଭୁଜି ଓ ତିଶୂଳ ଗୁମ୍ଫା ସାମ୍ନାରେ ଥିବା ମନ୍ଦିର ଏବଂ ପାହାଡ଼ ଉପରେ ଥିବା ପରଶନାଥ ମନ୍ଦିରକୁ ଛାଡ଼ିଦେଲେ ଖଣ୍ଡଗିରି ଓ ଉଦୟଗିରି ସହ ସମସ୍ତ ଗୁମ୍ଫା ଏହି ତାଲିକାଭୁକ୍ତ ହୋଇଛି। ସେହିଭଳି ବାଲିଅନ୍ତା ଥାନା ଅଧୀନ ବାଳକାଟି ହୀରାପୁରରେ ଥିବା ଚଉଷଠି ଯୋଗିନୀ ମନ୍ଦିର ଏହି ତାଲିକାରେ ଥିବା‌ ବେଳେ ଚନ୍ଦକା ଥାନା ଅଧୀନରେ ଚୁଡ଼ଙ୍ଗ ଗଡ଼ ସୁରକ୍ଷିତ ଐତିହ୍ୟ ଭାବେ ଘୋଷଣା କରାଯାଇଛି। ବାକି ସମସ୍ତ ୨୦ଟି ସ୍ଥଳ ଶ୍ରୀଲିଙ୍ଗରାଜ ଥାନା ଅଧୀନରେ ରହିଛି। ବଡ଼ଗଡ଼ ଥାନା ଅଧୀନରେ ରହିଥିବା ୬ଟି ସ୍ଥଳ କଡ଼ରେ ଅଧିକ ନିର୍ମାଣ ହୋଇଥିବା ପରିଲକ୍ଷିତ ହୋଇଛି। ଏହି ସ୍ଥଳଗୁଡ଼ିକର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ସମ୍ପୃକ୍ତ ଥାନାଧିକାରୀମାନଙ୍କୁ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାକୁ ପାଳନ କରାଯାଉ ନାହିଁ। ଏକ ସ୍ବତନ୍ତ୍ର ରେଜିଷ୍ଟର୍‌ରେ ଏହି ସବୁ ଐତିହ୍ୟର ତାଲିକା ରହିବା ସହ ସ୍ଥଳର ଗୁରୁତ୍ବ ଓ ଫଟୋ ରଖିବା ପାଇଁ ନିର୍ଦ୍ଦେଶ ରହିଛି। ଏକ ସାଇଟ୍‌ ମ୍ୟାପ୍‌ ପ୍ରସ୍ତୁତ କରି କେତେ ଦୂର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ରହିଛି ତାହା ଘୋଷଣା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ପ୍ରତ୍ୟେକ ଦିନ ସମ୍ପୃକ୍ତ ସ୍ଥଳମାନଙ୍କରେ ପାଟ୍ରୋଲିଂ କରିବା ସହ ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏଏସ୍‌ଆଇ ପକ୍ଷରୁ ସୂଚନା ପ୍ରଦାନ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନି‌‌ର୍ଦ୍ଦେଶ ଦିଆଯାଇଛି। ହେଲେ ଏ ସବୁ କେବଳ କାଗଜପତ୍ରରେ ରହିଛି। ଏ ସବୁ ଉପରେ ପୁଲିସ୍‌ ନଜର ରଖିଥିବା କହୁଥିଲେ ମଧ୍ୟ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ପ୍ରାୟ ସବୁଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପୁଲିସ ପାଇଁ କାଠିକର ପାଠ ହେଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର