ଅନନ୍ତ ଓ ଜଗା ପ୍ରଧାନଙ୍କୁ ଆକ୍ରମଣ ଘଟଣା : ‘ଖୁବ୍ ଶୀଘ୍ର ଗିରଫ ହେବେ ଅଭିଯୁକ୍ତ’

ମଧ୍ୟ ନିର୍ବାଚନମଣ୍ଡଳୀରେ ପୁଲିସର ଫ୍ଲାଗମାର୍ଚ

ଭୁବନେଶ୍ବର : ରବିବାର ସଂଧ୍ୟାରେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ଜଗନ୍ନାଥ ପ୍ରଧାନଙ୍କ କାର ଉପରକୁ ବୋମାମାଡ଼ ଓ ଆକ୍ରମଣ ଘଟଣାରେ ଏଯାଏ ପୁଲିସ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ। କେବଳ ଏହି ଘଟଣା କାହିଁକି ପୂର୍ବରୁ ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା ଓ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କେହି ଗିରଫ ହୋଇ ନାହାନ୍ତି। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ସମଥର୍କମାନେ ପରସ୍ପର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟାଇବା, ମାର୍‌ପିଟ ଲାଗିବା ଘଟଣାକୁ ନେଇ କମିସନରେଟ ପୁଲିସର କ୍ୟାପିଟାଲ, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଥାନା ପୁଲିସ ପାଖାପାଖି ୧୧ଟି ମାମଲା ରୁଜୁ କରି ସାରିଲାଣି। କେବଳ ଚନ୍ଦ୍ରଶେଖରପୁର ଥାନା ପୁଲିସ ବିଜେପିର ଉତ୍ତର ବିଧାୟକ ପ୍ରାର୍ଥିନୀ ତଥା ଅପରାଜିତା ମହାନ୍ତିଙ୍କ ସହଯୋଗୀଙ୍କୁ ଆକ୍ରମଣ ଘଟଣାରେ ଜଣକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର। ରାଜଧାନୀରେ ଥିବା ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଭୁବନେଶ୍ବର ମଧ୍ୟ ଓ ଉତ୍ତର ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ଏଠାରେ ପ୍ରାର୍ଥୀଙ୍କ ସହଯୋଗୀମାନେ ମଧ୍ୟ ଛକପଂଝା ଅବସ୍ଥାରେ ଅଛନ୍ତି। ଏପରିକି ପ୍ରାର୍ଥୀମାନଙ୍କ ଜୀବନପ୍ରତି ବିପଦ ମଧ୍ୟ ରହିଛି। ଏଭଳି ପରିସ୍ଥିତି‌ରେ ମଙ୍ଗଳବାର ଭୋଟ ଗ୍ରହଣବେଳେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏସବୁକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ଆସନ୍ତାକାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏ ସମ୍ପର୍କରେ ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ବିଧାୟକ ପ୍ରାର୍ଥୀ ଅନନ୍ତ ଓ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ଘଟଣାରେ କମିସନରେଟ ପୁଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଓ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରା ଉଚରା ଆରମ୍ଭ କରିଛି। ଏ ନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିବାରୁ ପୁଲିସ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଅନୁସନ୍ଧାନ ଚଲାଇଛି। ଖୁବ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି। ଏହା ଛଡ଼ା ପ୍ରାର୍ଥୀମାନଙ୍କୁ ମଧ୍ୟ ଅଧିକ ସୁରକ୍ଷା ଯୋଗାଇ ଦିଆ ଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଅନନ୍ତ ଓ ଜଗନ୍ନାଥଙ୍କୁ ଆଜିଠାରୁ ଏସକର୍ଟ ଯୋଗାଇ ଦିଆଯାଇଛି। ସେମାନେ ଯେଉଁ ଆଡ଼େ ଯିବେ ଏସକର୍ଟ ଟିମ ସେମାନଙ୍କ ସହିତ ରହିବ। ଏହା ଛଡ଼ା ଦୁଇ ବିଧାୟକ ପ୍ରାର୍ଥୀଙ୍କ ଘର, ପାର୍ଟି ଅଫିସ ନିକଟରେ ମଧ୍ୟ ସୁରକ୍ଷାକର୍ମୀ ରହିବେ।

ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ଉଭୟଙ୍କୁ କମିସନେରଟ ପୁଲିସ ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା କର୍ମୀ( ପିଏସଓ) ଯୋଗାଇ ଦିଆଯାଇଥିଲା। ଗତକାଲିର ଘଟଣାବେଳେ ଦୁହେଁ ଉପସ୍ଥିତ ନ ଥିଲେ। କାହିଁକି ଓ କେଉଁ କାରଣ ପାଇଁ ସେମାନେ ଉପସ୍ଥିତ ନ ଥିଲେ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଡ୍ୟୁଟିରେ ଅବହେଳା କରିଥିବା ରିପୋର୍ଟ ଆସିଲେ ସେହି ଦୁଇ ପିଏସ୍‌ଓଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ଅବାଧ କରିବାକୁ କମିସନରେଟ ପୁଲିସ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଏଥିପାଇଁ ଭୋଟ ଗ୍ରହଣ କେନ୍ଦ୍ର ଓ ବୁଥ୍‌ ନିକଟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ରାତିରେ ନିେଜ ପୁଲିସ କମିସନର ଶ୍ରୀ ମହାନ୍ତି ଓ ଡିସିପି ଅନୁପ ସାହୁ ରାଜଧାନୀର ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ ଓ କେନ୍ଦ୍ରଗୁଡ଼ିକ ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଆଜି ଅପରାହ୍‌ଣରେ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀରେ ଆସୁଥିବା କେତେକ ସ୍ଥାନରେ ଫ୍ଲାଗମାର୍ଚ ମଧ୍ୟ କରାଯାଇଛି। ରାତିରେ ରାଜଧାନୀରେ ପ୍ରବେଶପଥ କୁହାଯାଉଥିବା ପିତାପଲ୍ଲୀ, ଧଉଳି, ହଂସପାଳ ଆଦି ଛକ ଓ ସହର ଭିତରେ ଜୋରଦାର ଚେକିଂ କରାଯିବ। ସହର ମଧ୍ୟରେ ପୁଲିସ ଛାଉଣି କରାଯାଇଛି। ନିଜେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଚେକିଂ ସମୟରେ ଉପସ୍ଥିତ ରହୁଛନ୍ତି। ଶ୍ରୀ ମହାନ୍ତି ଆଜି ରାତିରେ ସାଲିଆସାହି, ରେଲ୍‌ୱେ ବସ୍ତି, ଶାନ୍ତିପଲ୍ଲୀ, ହଳଦୀପଡ଼ିଆ, ବଡ଼ଗଡ଼, ବ୍ରହ୍ମେଶ୍ବର, ରବି ଟକିଜ୍‌ ଛକ ଓ ଲିଙ୍ଗିପୁର ଆଦି ଅଞ୍ଚଳ ଯାଇ ଯାଞ୍ଚ ପ୍ରକ୍ରିୟାକୁ ସମୀକ୍ଷା କରିଥିଲେ। ପ୍ରକାଶଥା‌ଉକି, ଭୁବନେଶ୍ବରରେ ୪୯୫ ଭୋଟ ଗ୍ରହଣ କେନ୍ଦ୍ର ରହିଛି। ଯେଉଁଥିରେ ୧୧୫୬ଟି ବୁଥ ରହିଛି। ଏଥି ମଧ୍ୟରୁ ୧୮୧ ବୁଥ ସମ୍ବେଦନଶୀଳ ଅଟେ। ଏହି ୧୮୧ଟି ସମ୍ବେଦନଶୀଳ ବୁଥ୍‌ ମଧ୍ୟରୁ ୪୪ରୁ ୫୦ଟି ପାଖାପାଖି ବୁଥ ଅତ୍ୟନ୍ତ ସମ୍ବେଦନଶୀଳ। ବିଶେଷକରି ଏହି ସବୁ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଖଣ୍ଡଗିରି, ଜଟଣୀ, ଶ୍ରୀଲିଙ୍ଗରାଜ, ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଆସୁଛି।

ଉଲ୍ଲେଖଯୋଗ୍ୟକି, ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଅନ୍ତିମ ଦିବସରେ ମଧ୍ୟ ଭୁବନେଶ୍ବରରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ୟୁନିଟ୍‌-୮ ଅଞ୍ଚଳରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଝାରପଡ଼ା କେନାଲ ରୋଡ୍‌ରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆକ୍ରମଣର ଶିକାର ହୋଇଥିଲେ। ଏ ନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର