ଠକିଦେ‌ଲା ଠିକାଦାର : ମାନବିକତା ଦେଖାଇଲା ପୁଲିସ, ୧୮ ଶ୍ରମିକଙ୍କୁ ଉଦ୍ଧାର କରି ଖାଦ୍ୟ ଦେଲେ

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ଅଧୀନରେ ଏକ ନିର୍ମାଣାଧୀନ ବିଲ୍ଡିଂରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ୧୮ଜଣ ଶ୍ରମିକଙ୍କୁ ଦୁଇ ମାସର ଦରମା ନଦେଇ ଠକି ଫେରାର ହୋଇଯାଇଛି ଠିକାଦାର। ୩ ଦିନହେବ ଖାଦ୍ୟ ନପାଇ ଭୋକ ଉପାସରେ ବସ୍ତିରେ ଖାଦ୍ୟ ମାଗୁଥିବା ଏହି ଶ୍ରମିକଙ୍କୁ ଠାବ କରି ଗଣମାଧ୍ୟମ ପ୍ରତିନିଧି ପୁଲିସକୁ ସୂଚନା ଦେଇଥିଲେ। ଆଜି ସେହି ଶ୍ରମିକଙ୍କୁ ଉଦ୍ଧାର କରି ଶିଖରଚଣ୍ଡୀ ପୀଠରେ ରହିବା ଓ ଖାଇବା ସୁବିଧା କରାଇଛନ୍ତି ଇନ୍‌ଫୋସିଟି ଥାନା ଅଧିକାରୀ ବିଶ୍ବଜିତ ମହାନ୍ତି ଓ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକ। ବର୍ତମାନ ଶ୍ରମିକମାନଙ୍କ ସେବା ଦାୟିତ୍ବରେ ଅଛନ୍ତି ଶିଖରଚଣ୍ଡୀ ଠାକୁରାଣୀଙ୍କ ପୂଜକ ଚନ୍ଦନ।

ସୂଚନା ଅନୁଯାୟୀ ରାମଚନ୍ଦ୍ର ଘଡ଼େଇ ଓ ରାମଚନ୍ଦ୍ର ବାଗ୍ ବାଲେଶ୍ବର ଜିଲ୍ଲା ନୀଳଗିରିରୁ ୧୮ଜଣ ପୁରୁଷ ଓ ମହିଳା ଶ୍ରମିକଙ୍କୁ ଆଣି ଭୁବନେଶ୍ବର ବିମଳ ସାହୁ ନାମକ ଠିକାଦାରଙ୍କ କାମ କରିବା ପାଇଁ ପ୍ରଶାନ୍ତିବିହାର ଆସିଥିଲେ। ସେମାନଙ୍କ ସହ କେନ୍ଦୁଝର ଓ ଝାଡ଼ଖଣ୍ଡର କିଛି ଶ୍ରମିକ ମଧ୍ୟ କାମ କରୁଥିଲେ। କିଛିଦିନ କାମ କରିବା ପରେ ଠିକାଦାର ସେମାନଙ୍କୁ ଏକ ଟିଣ ଅସ୍ଥାୟୀ ଘର ଓ ଖାଇବା ପାଇଁ ତେଜରାତି ଜିନିଷ ଦେଇଥିଲେ। ହେଲେ ପ୍ରତିମାସରେ ଦରମା ନଦେଇ ଠିକାଦାର ଜଣକ କରୋନା ଆଳରେ କାମ ବନ୍ଦ କରି ‌ଫେରାର ହୋଇଯାଇଛି। ଶ୍ରମିକମାନେ ମୋବାଇଲ୍ ଯୋଗେ ଠିକାଦାରଙ୍କୁ ବାରମ୍ବାର ଯୋଗାଯୋଗ କରି ସମସ୍ୟା କହିବାରୁ ସେ ତାଙ୍କ ମୋବାଇଲ୍ ବନ୍ଦ କରି ଦେଇଥିଲେ। ଫଳରେ ଲକ୍‌ଡାଉନ୍ ପ୍ରଭାବରୁ ଭୋକ ଉପାସରେ ଶ୍ରମିକମାନେ ଭିକ୍ଷାବୃତ୍ତି ଆରମ୍ଭ କରିଦେଇଥିଲେ। ବ୍ୟତିବ୍ୟସ୍ତ ହୋଇ କେନ୍ଦୁଝର ଓ ଝାଡ଼ଖଣ୍ଡରୁ ଆସିଥିବା ୬ଜଣ ଶ୍ରମିକ କେଉଁଆଡ଼େ ଚାଲିଯିବା ପରେ ବାଲେଶ୍ବରର ଶ୍ରମିକଙ୍କୁ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଆଇଆଇସି ଉଦ୍ଧାର କରି ଶିଖରଚଣ୍ଡୀ ପୀଠରେ ଥଇଥାନ କରିଛନ୍ତି। ଏଥିସହିତ ଠିକାଦାରକୁ ଖୋଜିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର