‌ଖୋର୍ଧା ବେଆଇନ ଖଣି କାରବାର : ବିକ୍ରମଙ୍କ ପତ୍ତା ମିଳୁନି, ଏସ୍‌ଟିଏଫ ସ୍କାନର୍‌‌ରେ ବନ୍ଧୁ, ପରିବାର

ଭୁବନେଶ୍ୱର : ଗତ ମାସ ୨୫ତାରିଖରୁ ଫେରାର୍‌ ଥିବା ଖୋର୍ଧା ସଦର ଥାନା ପୂର୍ବତନ ଇନ୍ସପେକ୍ଟର୍‌ ବିକ୍ରମ ଜେନାଙ୍କୁ ଧରିବା ଲାଗି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଜାଲ ବିଛାଇଛି। ସେ ଆତ୍ମଗୋପନ କରିଥିବା ସମ୍ଭାବ୍ୟ ସ୍ଥାନରେ ଚଢ଼ଉ କରିବା ସହ ପୁଲିସ ବିଭାଗରେ କାର୍ଯ୍ୟରତ ତାଙ୍କର କିଛି ଅନ୍ତରଙ୍ଗ ସହଯୋଗୀଙ୍କ ଉପରେ ମଧ୍ୟ ନଜର ରଖିଛି। ଖାଲି ସେତିକି ନୁହେଁ, ବିକ୍ରମଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ମଧ୍ୟ ସ୍କାନର୍‌ରେ ରଖିଛି। ତେବେ ଆଗୁଆ ଜାମିନ୍‌ ପାଇଁ ବିକ୍ରମ ହାଇକୋର୍ଟରେ ଆବେଦନ କରିଥିବାରୁ ଶୁଣାଣି ପୂର୍ବରୁ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି।

ଗତ ଅଗଷ୍ଟ ୧୮ ତାରିଖ ଦିନ ବିକ୍ରମ ଜେନାଙ୍କ ସହ ଏସ୍‌ଟିଏଫ ଜେରାର ସମ୍ମୁଖୀନ ହୋଇଥିବା ଖୋର୍ଧା ତହସିଲଦାର ମଧ୍ୟ ଏସ୍‌ଟିଏଫ୍‌ ନଜରରେ ରହିଛନ୍ତି। କେତେକ ତଳତଳିଆ କର୍ମଚାରୀ ମଧ୍ୟ ଏସ୍‌ଟିଏଫ୍‌ ଟାର୍ଗେଟ୍‌ରେ ରହିଛନ୍ତି। ଏହି ବଡ଼ବଡ଼ିଆଙ୍କୁ ଧରିବା ପରେ ତଳିଆଙ୍କ ପାଳି ପଡ଼ିବ ବୋଲି କୁହାଯାଉଛି। ସୂଚନା ମୁତାବକ, ବିକ୍ରମଙ୍କ ସହ ଟାଉନ୍‌ ଥାନାରେ ଗାଡ଼ି ଚାଳକ ଭାବେ କାମ କରୁଥିବା ହୋମ୍‌ଗାର୍ଡ ଚିତ୍ତରଞ୍ଜନଙ୍କୁ ଅକ୍ଟୋବର ୨୩ ତାରିଖରେ ଏସ୍‌ଟିଏଫ୍‌ ଗିରଫ କରିବା ପରେ ବିକ୍ରମଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା।

ଅପରପକ୍ଷେ ଏହି ବେଆଇନ କାରବାରରେ ସଂପୃକ୍ତି ଅଭିଯୋଗରେ ବର୍ତ୍ତମାନର ବାଲେଶ୍ୱର ପୁଲିସ ମୁଖ୍ୟାଳୟରେ ଥିବା ରଣଜିତ୍‌ ସାହୁ ମଧ୍ୟ ଏସ୍‌ଟିଏଫ ସ୍କାନର୍‌କୁ ଆସିଛନ୍ତି। ସେ ଖୋର୍ଧା ଟାଉନ୍‌ ଥାନାରେ ଇନ୍ସପେକ୍ଟର୍‌ ଭାବେ କିଛି ଦିନ କାର୍ଯ୍ୟ କରିଥିଲେ। ତାଙ୍କର ମଧ୍ୟ ଏହି ବେଆଇନ ପଥର ଖାଦାନ କାରବାରରେ ସମ୍ପୃକ୍ତି ରହିଛି। ଗରଫଦାରୀ ଭୟରେ ସେ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅକ୍ଟୋବର ୨୨ ତାରିଖରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଛୁଟିରେ ଅଛନ୍ତି। ଜେରା କରିବା ପାଇଁ ଏସ୍‌ଟିଏଫ୍‌ ତାଙ୍କୁ ଏକାଧିକବାର ନୋଟିସ୍‌ ଜାରି କରି ବିଫଳ ହୋଇଛି। ଜେରାର ସମ୍ମୁଖୀନ ହେବାକୁ ଆସି ଗିରଫ ହୋଇଯିବା ଆଶଙ୍କା କରି ସେ ଏସ୍‌ଟିଏଫ୍‌ ସହ ଲୁଚକାଳି ଖେଳୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ରଣଜିତ୍‌ ସାହୁ ୨୦୧୭ ମସିହାରୁ ଖୋର୍ଧା ଟାଉନ ଥାନାରେ ଥିବା ବେଳେ ବିକ୍ରମ ସଦର ଥାନାରେ ଥିଲେ। ଉଭୟ ମିଳିମିଶି ମାଫିଆଙ୍କୁ ସହଯୋଗ କରୁଥିଲେ। ଗତ ଫେବ୍ରୁଆରି ମାସରେ ରଣଜିତ୍‌ ଏଠାରୁ ବଦଳି ହୋଇ ବାଲିଆପାଳ ଯାଇଥିଲେ। ରଣଜିତ୍‌ ବାଲିଆପାଳ ଯିବା ପରେ ସେଠାରେ ଏକ ଘଟଣାରେ ଚର୍ଚ୍ଚାକୁ ଆସିଥିଲେ। ଏକ ମୃତ୍ୟୁ ମାମଲାର ତଦନ୍ତ ବେଳେ ସାଧାରଣ ଜନତାଙ୍କର ପ୍ରବଳ ବିରୋଧର ଶିକାର ହୋଇଥିଲେ। ଲୋକମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି କାରଣରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର