ପୁଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ୍‌

ଘରେ ପଶି ହାଣିଲେ, ଲୁଟିଲେ, ୪୮ ଘଣ୍ଟା ପରେ ବି ପୁଲିସ ହାତ ଖାଲି

ଚନ୍ଦ୍ରଶେଖରପୁର: ଗୋଟିଏ କି ଦୁଇଟି ନୁହେଁ, ଲଗାତାର ୬ଟି ବଡ଼ଧରଣର ଡକାୟତି କମିସନରେଟ୍‌ ପୁଲିସ ଜୋନ୍‌-୬ର ନିଦ ହଜାଇ ଦେଇଛି। ଅବଶ୍ୟ କାନନବିହର ଓ ବାରଙ୍ଗ ଅଞ୍ଚଳରୁ ଦୁଇଟି ଡକାୟତି ଗ୍ୟାଙ୍ଗ୍‌କୁ ନିକଟରେ ବାକୁ କରିଛି ପୁଲିସ। ହେଲେ ତାହା ସମୁଦ୍ରକୁ ଶଙ୍ଖେ। ଦୁଇଟି ସଫଳତା ପରେ ବି ପୁଲିସକୁ ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି ଲୁଟେରା। ରାତିରେ ପୁଲିସ ପେଟ୍ରୋଲିଂ ଢିଲା ସାଙ୍ଗକୁ ସଫଳତାରେ ବାହା ବାହା ନେଇ ଶୋଇ ପଡ଼ିଥିବା ଯୋଗୁଁ ସାଧାରଣ ଲୋକେ ଏହାର ଦଶା ଭୋଗୁଛନ୍ତି। ଆଜି କାର୍ଯ୍ୟରେ ଯୋଗ ଦେଇଥିବା ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତିଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଚିନ୍ତାର ବିଷୟ ହେଉଛି ଯେ ଗତ ବୁଧବାର ବିଳମ୍ବିତ ରାତିରେ ଇନ୍‌ଫୋସିଟି ଥାନା ଲକ୍ଷ୍ମୀବିହାରର ନରେଶ ପଣ୍ଡା ନାମକ ଅବସରପ୍ରାପ୍ତ ସେନା ଅଧିକରୀଙ୍କ ଘରେ ଲୁଟେରାଙ୍କ ରାଜୁତି ଦେଖିବାକୁ ମିଳିଥିଲା। ୪ରୁ ଅଧିକ ଡକାୟତ ମାରଣାସ୍ତ୍ର ଧରି ଝରକା ଗ୍ରିଲ୍‌ ତାଡ଼ି ଘରେ ପଶି ଆକ୍ରମଣ କରିଥିଲେ। ଘରେ ପଶିବା ପରେ ପ୍ରଥମେ ନରେଶଙ୍କ ପତ୍ନୀ ଲକ୍ଷ୍ମପ୍ରିୟାଙ୍କ ହାତ ଗୋଡ଼ ବାନ୍ଧି ଭୁଜାଲିରେ ଆକ୍ରମଣ କରିଥିଲେ। ବିରୋଧ କରିବାରୁ ନରେଶଙ୍କୁ ମଧ୍ୟ ଲୁଟେରାମାନେ ଭୁଜାଲିରେ ୬ ଚୋଟ ମାରି ଲହୁ ଲୁହାଣ କରି ଦେଇଥିଲେ। ନରେଶ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ଦମ୍ପତିଙ୍କଠାରୁ ସୁନା ଗହଣା, ଜିନିଷପତ୍ର ଲୁଟି ନେଇଥିଲେ। ୨୫ ମିନିଟ୍‌ ଭିତରେ ପୂରା ଘରେ କଳାକନା ବୁଲାଇ ଦେଇଥିଲେ। ଆହତ ନରେଶ ଏବେ ‘କିମସ୍‌’ର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବୁଧବାର ରାତିରେ ପୁଲିସକୁ ଖବର ଦିଆଯାଇଥିବା ବେଳେ ପିସିଆର୍‌ ଗୁରୁବାର ସକାଳେ ପହଞ୍ଚିଥିଲା। ଘଟଣାକୁ ଇତି ମଧ୍ୟରେ ୪୮ ଘଣ୍ଟାରୁ ଅଧିକ ବିତି ଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି।

ଜୋନ୍‌-୬ ଅଞ୍ଚଳର ବିଭିନ୍ନ ବରିଷ୍ଠ ନାଗରିକ ସଂଘ, ମହିଳା ସମିତି ଓ ଯୁବଗୋଷ୍ଠୀ ପକ୍ଷରୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ନେଇ ଦାବି ହେଉଥିଲେ ମଧ୍ୟ ପିସିଆର୍‌ ମୁଖ୍ୟ ରାସ୍ତାରେ ଚକ୍କର କାଟି ଚାଲିଯାଉଛି। ଗଳିକୁ ପଶୁନି। ବୁଦ୍ଧିଜୀବୀମାନେ କହିଛନ୍ତି ଯେ ଛୋଟ, ବଡ଼ ଗଳି ଅଞ୍ଚଳରେ ଯଦି ପୁଲିସ୍‌ ପାଦ ପକାନ୍ତା, ତେବେ କିଛିଟା ସୁରକ୍ଷା ମିଳନ୍ତା। ଏବେ ଲୁଟେରାମାନେ ରାସ୍ତା ପାର୍ଶ୍ୱ ଘରକୁ ଛାଡ଼ି କଲୋନି ଓ ନିଛାଟିଆ ଅଞ୍ଚଳରେ ରହିଥିବା ଘରକୁ ଟାର୍ଗେଟ୍‌ କରୁଛନ୍ତି। ପ୍ରାଣାନ୍ତକ ଆକ୍ରମଣ କରି ଖସି ପଳାଉଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କର ଟେର୍‌ ପାଉନି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର