ଭୁବନେଶ୍ୱର: ଉଚ୍ଚ ସ୍ବରରେ ଡିଜେ ବାଜିବା ଯୋଗୁଁ ରାଜଧାନୀରେ ଶବ୍ଦ ପ୍ରଦୂଷଣ ବଢ଼ୁଛି। ଏହାଦ୍ବାରା ହୃଦ୍ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଏଥିସହ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ତେଣୁ ଏଥର ଦୁର୍ଗାପୂଜା, ରାବଣ ପୋଡ଼ି କିମ୍ବା ଭସାଣି ଉତ୍ସବରେ କୌଣସି କମିଟି ଡିଜେ ବଜାଇପାରିବେ ନାହିଁ। ଗତ ବର୍ଷଗୁଡ଼ିକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଅଧିକାଂଶ ପୂଜା କମିଟି ଏହି ନିୟମ ପାଳନ କରିବାରେ ଖିଲାପ କରୁଥିବା ଦେଖାଯାଇଥିଲା। କିନ୍ତୁ ଏଥରକ ଏହାକୁ କଡ଼ାକଡ଼ି ପାଳନ କରାଯିବ। ନିୟମ ଖିଲାପ କଲେ ଡିଜେ ଜବତ କରାଯିବା ସହ ଉକ୍ତ କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ଦୁର୍ଗାପୂଜା ପାଇଁ ମଙ୍ଗଳବାର କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଏହା କହିଛନ୍ତି। ତେବେ କେବଳ ୪ଟି ଚୁଙ୍ଗା ଓ ୪ଟି ବକ୍ସ ବଜାଇବା ପାଇଁ ଅନୁମତି ଦିଆଯିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଏହି ବୈଠକରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ରାଜଧାନୀର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ହୋଇଥିବା ଅନ୍ୟ ନିଷ୍ପତ୍ତିଗୁଡ଼ିକ ହେଲା...
ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ଉଦ୍ବେଗ
ଦୁର୍ଗାପୂଜାକୁ ଆଉ ମାସକରୁ କମ୍ ସମୟ ଥିବା ବେଳେ ରାଜଧାନୀର ବହୁ ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି। ଏହାକୁ ନେଇ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା। ପୂଜା ପୂର୍ବରୁ ଯେଭଳି ସେଗୁଡ଼ିକର ମରାମତି ହେବ ବା ଚାଲିଥିବା ବିଭିନ୍ନ ଭୂତଳ କାମ ସରିବ, ସେ ନେଇ ଚିନ୍ତା କରାଯିବା ଜରୁରି ବୋଲି କମିଟିଗୁଡ଼ିକ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ବିଭିନ୍ନ ସରକାରୀ ବିଭାଗମାନଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତା’ ଛଡ଼ା ଟ୍ରାଫିକ୍ ଜନିତ ଶୃଙ୍ଖଳା ପାଇଁ ଏସ୍ପ୍ଲାନେଡ୍ ପଛପଟ ରାସ୍ତାକୁ ପୂଜା ପୂର୍ବରୁ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ବିଭାଗ ସହ ଆଲୋଚନା ହେବାକୁ ଯାଉଥିବା କମିସନର୍ ସୂଚନା ଦେଇଛନ୍ତି। ବିଭିନ୍ନ ଥାନାର ଆଇଆଇସି ପର୍ଯ୍ୟାୟକ୍ରମେ ସ୍ଥାନୀୟ କମିଟିମାନଙ୍କ ସହ ଆଲେଚାନା କରି ଛୋଟ ଛୋଟ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।
ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ନେଇ କଟକଣା
ରାଜଧାନୀବାସୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରାତି ୧୨ଟା ପରେ କୌଣସି ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଦେଖି ଘରକୁ ଫେରୁଥିବା ଲୋକେ ଅନେକ ସମୟରେ ଚୋରି, ରାହାଜାନି, ଲୁଟ୍, ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି। ତେଣୁ ରାତି ୧୨ଟା ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଶେଷ କରିବାକୁ ପୂଜା କମିଟିମାନଙ୍କୁ କୁହାଯାଇଛି।
ରାବଣ ପୋଡ଼ି ବେଳେ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ବାରୋପ
ବୈଠକରେ ନିରାପଦ ରାବଣ ପୋଡ଼ି ଉପରେ ଗୁରୁତ୍ବାରୋପ କରାଯାଇଛି। ଗତବର୍ଷ ଅମୃତସର ରାବଣ ପୋଡ଼ି ଅଘଟଣକୁ ଆଲୋଚନାକୁ ନିଆଯିବା ସହ ଏଠାରେ କିଭଳି ନିରାପଦ ରାବଣ ପୋଡ଼ି ହୋଇପାରିବ, ସେ ନେଇ ବିଭିନ୍ନ କମିଟି ତଥା ଲୋକ ପ୍ରତିନିଧିଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଛି। ଯଥା ସମ୍ଭବ ଖୋଲା ଜାଗା କିମ୍ବା ଅଧିକ ବାଣ ଯେଭଳି ନ ଫୁଟିବ, ତାହା ଉପରେ ଧ୍ୟାନ ଦେବା ପାଇଁ କୁହାଯାଇଛି। ଆଗକୁ ବସିବାକୁ ଥିବା ପ୍ରସ୍ତୁତି ବୈଠକରେ ଏହା ଉପରେ ବିସ୍ତୃତ ଭାବେ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି। ତେବେ ଗତଥର ୫ଟି ମଣ୍ଡପ ନିକଟରେ ରାବଣପୋଡ଼ି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
ଟ୍ରାଫିକ୍ ନିୟନ୍ତ୍ରଣ କରିବେ ସ୍ବେଚ୍ଛାସେବୀ
ପୂଜା ଓ ଭସାଣି ସମୟରେ ସହରର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼ ଟ୍ରାଫିକ୍ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ସୀମିତ ସଂଖ୍ୟକ ଟ୍ରାଫିକ୍ କର୍ମଚାରୀଙ୍କୁ ନେଇ ରାଜଧାନୀର ପ୍ରତି ମଣ୍ଡପରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପୁଲିସ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଟ୍ରାଫିକ୍ କର୍ମଚାରୀଙ୍କୁ ମଣ୍ଡପର ସ୍ବେଚ୍ଛାସେବୀମାନେ ସହାୟତା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂଜା କମିଟି ପକ୍ଷରୁ ସ୍ବେଚ୍ଛାସେବୀମାନଙ୍କ ଏକ ତାଲିକା କମିସନରେଟ୍ ପୁଲିସକୁ ଦିଆଯିବ। ଉକ୍ତ ସ୍ବେଚ୍ଛାସେବୀମାନଙ୍କୁ ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣର ସ୍ବତନ୍ତ୍ର ତାଲିମ୍ ଦିଆଯିବ। ପ୍ରଶିକ୍ଷଣ ପାଇବା ପରେ ପୂଜା ସମୟରେ ସେମାନେ ସ୍ବତନ୍ତ୍ର ପୁଲିସ ଅଫିସର (ଏସ୍ପିଓ) ଭାବରେ ଚିହ୍ନିତ ହେବେ। ଏହି ଏସ୍ପିଓମାନେ ଟ୍ରାଫିକ୍ ସମ୍ଭାଳିବେ। ଟ୍ରାଫିକ୍ ଶୃଙ୍ଖଳାକୁ ନେଇ କେହି ଏମାନଙ୍କୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ।
ପୂଜା ମଣ୍ଡପରେ ଖଞ୍ଜାଯିବ ସିସି କ୍ୟାମେରା
ସହରର ସମସ୍ତ ବଡ଼ ପୂଜା ମଣ୍ଡପରେ ସିସି କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ କୌଣସି ପ୍ରକାରର ବିଶୃଙ୍ଖଳା, ଚୋରି, ରାହାଜାନି ବା ଲୁଟ୍ ଭଳି ଘଟଣା ଘଟିଲେ, ପୁଲିସ ସହଜରେ ଅପରାଧୀଙ୍କୁ ଠାବ କରିପାରିବ।