ରାଜଧାନୀର ସବୁ ସ୍ପା’କୁ ହେବ ନୋଟିସ୍‌

ରାଜଧାନୀରେ ଥାଇଲାଣ୍ଡ ସେବା

ଭୁବନେଶ୍ୱର: ଖାରବେଳନଗର ଥାନା ପୁଲିସ ‘ହେଭେନ୍‌ ଥାଇ ସ୍ପା’ ଉପରେ ଚଢ଼ଉ କରି ୩ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ରାଜଧାନୀରେ ଆଉ କେଉଁଠି କେଉଁଠି ଓ କେତେ ସଂଖ୍ୟାରେ ସ୍ପା ଅଛି, ସ୍ପାରେ କେତେ ଜଣ ଯୁବତୀ କାମ କରୁଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣ ବିଦେଶୀ, ଏସବୁ ନେଇ ତଥ୍ୟ ସଂଗ୍ରହ କରିବାକୁ ସମସ୍ତ ଥାନାକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ରାଜଧାନୀରେ ଥିବା ସମସ୍ତ ସ୍ପା’କୁ କମିସନରେଟ ପୁଲିସ ପକ୍ଷରୁ ଖୁବ ଶୀଘ୍ର ନୋଟିସ୍‌ କରାଯିବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।

ପୁଲିସ କମିସନର ଖୁରାନିଆଙ୍କ ସୂଚନା ଅନୁଯାୟୀ, ଥାଇ ହେଭେନ ସ୍ପା’ରୁ ୩ ଜଣ ଉଦ୍ଧାର ହୋଇଥିବା ଥାଇ ଯୁବତୀମାନେ ଟୁରିଷ୍ଟ ଭିସାରେ ଆସି ଏଠାରେ ସ୍ପାରେ କାମ କରୁଥିଲେ। ଯାହାକି ପାସପୋର୍ଟ ଆଇନର ଖିଲାପ। ଏହା ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ତାରକା ହୋଟେଲରୁ ଜଣେ ଋଷୀୟ ଯୁବତୀ ଏବଂ ଇନଫୋସିଟି ଥାନା ଅଧୀନ ଏକ ଆର୍ପାଟମେଣ୍ଟ୍‌ରୁ କାଜାକିିସ୍ତାନ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିଲା। ଜୁଲାଇ ୨୩ ତାରିଖରେ ଖାରବେଳନଗର ଥାନା ପୁଲିସ ଜଣେ ଉଜ୍‌ବେକିସ୍ତାନ ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା।
ସେବେଠାରୁ ରାଜଧାନୀର ଚାଲୁଥିବା ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟ୍‌ରେ ବିଦେଶୀ ଯୁବତୀମାନେ ସଂପୃକ୍ତ ଥିବା ପ୍ରମାଣ ମିଳିଥିଲା। ରାଜଧାନୀରେ ଥିବା ଅନ୍ୟ କେତେକ ପ୍ରମୁଖ ସ୍ପାରେ ବିଦେଶୀ ଯୁବତୀମାନେ କାମ କରୁଛନ୍ତି ଏବେ ସନ୍ଦେହ ଦୃଢ଼ ହୋଇଛି। ତେଣୁ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଏବେ କମିସନରେଟ ପୁଲିସ ଯୋଜନା କରିଛି। କାରଣ ରେଜିଷ୍ଟ୍ରେସନ୍‌ ଅଫ୍‌ ପାସପୋର୍ଟ ଆକ୍ଟ-୧୩୯ ଅନୁଯାୟୀ ବିଦେଶୀମାନେ ଯେ କୌଣସି ହୋଟେଲ, ମେଡିକାଲ, ଗେଷ୍ଟ ହାଉସ କିମ୍ବା ଶିକ୍ଷାନୁଷ୍ଠାନରେ ରହିଲେ ଏହାର ମାଲିକମାନେ ତୁରନ୍ତ ଏ ନେଇ ବିଦେଶୀମାନଙ୍କ ସମ୍ପର୍କରେ ଥାନାକୁ ଅବଗତ କରାଇବେ। ମାତ୍ର ଏଯାଏ କୌଣସି ସ୍ପା ମାଲିକ କାମ କରୁଥିବା ବିଦେଶୀମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପୁଲିସକୁ ପ୍ରଦାନ କରି ନାହାନ୍ତି। ଏଥିପାଇଁ ଥାନା କର୍ମଚାରୀମାନେ ବୁଲି ବୁଲି ନିଜ ନିଜ ଥାନା ଅଧୀନରେ ଆସୁଥିବା ସମସ୍ତ ସ୍ପା’ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। କେଉଁ ସ୍ପାରେ କେତେ ଜଣ ଯୁବତୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ବିଦେଶୀ କେତେ ଜଣ ଏ ସମ୍ପର୍କରେ ସମସ୍ତ ବିବରଣୀ ଆଣିବାକୁ କୁହାଯାଇଛି।

ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ଏବେ ରାଜଧାନୀରେ ୧୫ରୁ ୨୦ଟି ସ୍ପା ରହିଛି। ସେଥିରେ ୩୫ ଜଣ ପାଖାପାଖି ବିଦେଶୀ ଯୁବତୀ କାମ କରୁଛନ୍ତି। ଏହି ଯୁବତୀମାନେ କାଜାକିସ୍ତାନ ଓ ଥାଇଲାଣ୍ଡର ବୋଲି ଜଣାପଡ଼ିଛି।

ଯୁବତୀଙ୍କ ସମ୍ପର୍କରେ ତଥ୍ୟ ଦେଲା ଥାଇଲାଣ୍ଡ ଦୂତାବାସ

ନିକଟରେ ରାଜଧାନୀର ଥାଇ ହେଭେନ୍‌ ସ୍ପାରୁ ଉଦ୍ଧାର ହୋଇଥିବା ୩ ଥାଇଲାଣ୍ଡ ଯୁବତୀଙ୍କ ସମ୍ପର୍କରେ ଦିଲ୍ଲୀରେ ଥିବା ଥାଇଲାଣ୍ଡ ଦୂତାବାସରେ କମିସନରେଟ୍‌ ପୁଲିସର ସ୍ପିଡ୍‌ ପୋଷ୍ଟ ଚିଠି ପହଂଚି ଯାଇଛି। ଆଜି ସକାଳୁ ଦୂତାବାସ କର୍ମଚାରୀମାନେ ଖାରବେଳନଗର ଥାନା ଇନ୍ସପେକ୍ଟର ଅନୁପ କାନୁନଗୋଙ୍କ ସହିତ ଯୋଗାଯୋଗ କରି ଯୁବତୀମାନଙ୍କ ସମ୍ପର୍କରେ ବୁଝାବୁଝି କରିବା ସହିତ ତଥ୍ୟ ସଂଗ୍ରହ କରିଛନ୍ତି। ସେହିପରି ଦୂତାବାସ କର୍ମଚାରୀମାନେ ଯୁବତୀମାନଙ୍କ ବିଭିନ୍ନ ସମୟରେ ଭାରତ ଗସ୍ତ ସମ୍ପର୍କରେ କେତେକ ତଥ୍ୟ ପୁଲିସକୁ ପ୍ରଦାନ କରିଛନ୍ତି।
ଖାରବେଳନଗର ଥାନା ପୁଲିସ ଏହି ସ୍ପା’ ଉପରେ ଚଢ଼ଉ କରିବାବେଳେ ସେଠାରେ ଲାଗିଥିବା ସିସି କ୍ୟାମେରାର ହାର୍ଡଡିସ୍କ ଜବତ କରିଥିଲା। ଏହା ଛଡ଼ା ପୁଲିସ ସ୍ପା ଭିତରୁ ଏକ ରେଜିଷ୍ଟର ମଧ୍ୟ ପାଇଥିଲା। ଯେଉଁଥିରେ ସ୍ପାକୁ ଆସୁଥିବା ଗ୍ରାହକମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ନାଁ ଓ ମୋବାଇଲ୍‌ ଫୋନ ନମ୍ବର ଥିଲା। ପୁଲିସ ଏବେ ସେହି ସବୁ ମୋବାଇଲ୍‌ ନମ୍ବରକୁ ଯାଂଚ କରିବା ଆରମ୍ଭ କରିଛି।

ଏଠାରେ ପ୍ରକାଶଥାଉକି, ଗତ ଶୁକ୍ରବାର ଖାରବେଳନଗର ଥାନା ପୁଲିସ ୟୁନିଟ-୩ ଖାରବେଳନଗରରେ ଥିବା ଥାଇ ହେଭେନ୍‌ ସ୍ପା’ରେ ଚଢ଼ଉ କରିବାବେଳେ ୩ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୪ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର