ପୁଲିସ ବାବୁଙ୍କ ପରକୀୟା ପ୍ରୀତି

ଆତ୍ମହତ୍ୟାରୁ ଅଳ୍ପକେ ବର୍ତିଗଲେ ସ୍ତ୍ରୀ

ଖଣ୍ଡଗିରି: ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରି ବିଫଳ ହେବା ପରେ ଜଣେ ପୁଲିସ କର୍ମଚାରୀଙ୍କ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିନ୍ତୁ ସୌଭାଗ୍ୟକୁ ମହିଳାଜଣଙ୍କ ଅଳ୍ପକେ ବର୍ତି ଯାଇଛନ୍ତି। ଘଟଣାଟି ନୂଆପଲ୍ଲୀ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଜଣଙ୍କ ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ନୂଆପଲ୍ଲୀ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ପଚରାଉଚରା କରି ଛାଡ଼ିଦେଇଛି। ମହିଳାଜଣଙ୍କ ସୁସ୍ଥ ହେବା ପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।

ସୂଚନାନୁସାରେ ନୂଆପଲ୍ଲୀ ଅଞ୍ଚଳରେ ରହୁଛନ୍ତି ଜଣେ ପୁଲିସ କର୍ମଚାରୀ। ସେ କମିସନରେଟ୍‌ ଥାନାରେ କାମ କରୁଛନ୍ତି। ତାଙ୍କ ଘର ନିକଟରେ ରହୁଛନ୍ତି ଜଣେ ଶିକ୍ଷୟିତ୍ରୀ। ପୁଲିସ କର୍ମଚାରୀ ଓ ଶିକ୍ଷୟିତ୍ରୀଙ୍କ ଭିତରେ ଗତ କିଛି ଦିନ ହେଲା ଗଢ଼ି ଉଠିଛି ଅନୈତିକ ସମ୍ପର୍କ। ସେମାନଙ୍କ ଭିତରିଆ ପ୍ରେମ ଏବେ ଆଉ ଗୋପନ ହୋଇ ରହିନାହିଁ। ତେବେ ଏକଥା ପ୍ରଘଟ ହେବା ପରେ ପୁଲିସ କର୍ମଚାରୀଙ୍କ ସ୍ତ୍ରୀ ପ୍ରତିବାଦ କରିବା ଆରମ୍ଭ କଲେ। ଫଳରେ ତାଙ୍କୁ ମାଡ଼ ଗାଳି ଖାଇବାକୁ ପଡ଼ିଲା ସିନା କିଛି ଲାଭ ହେଲା ନାହିଁ। ଏମିତିକି ସେହି କଲୋନିର ବାସିନ୍ଦାମାନେ ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣକୁ ବିରୋଧ କଲେ ବି କିଛି ଫଳ ମିଳି ନଥିଲା। ଏ ଭିତରେ ପୁଲିସ କର୍ମଚାରୀ ଜଣଙ୍କ ତାଙ୍କ ସ୍ତ୍ରୀଙ୍କ ସହ କଥାବାର୍ତା ବନ୍ଦ କରିଦେଇଥିଲେ। ଗୋଟିଏ ଘରେ ଏକାଠି ରହୁଥିଲେ ବି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଥାବାର୍ତା ନଥିଲା। ଗତକାଲି ସନ୍ଧ୍ୟାରେ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗିଥିଲା। ରାଗରେ ମହିଳାଜଣଙ୍କ ତାଙ୍କ ବେଡ୍‌ ରୁମ୍‌ରେ ପଶି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବେକରେ ଶାଢ଼ି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ସ୍ୱାମୀ ଏ କଥା ଜାଣିପାରି ତୁରନ୍ତ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ମହିଳାଜଣଙ୍କ ଅଧାମୃତ ଅବସ୍ଥାରେ ପହଞ୍ଚି ଯାଇଥିଲେ।

ସମ୍ବନ୍ଧିତ ଖବର