ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ପରେ ତନାଘନା, ସ୍କ୍ରିନିଂ ଆରମ୍ଭ

ଘରେ ରହି କାମ କରିବେ ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀ

ଭୁବନେଶ୍ବର: କମିସନରେଟ୍‌ ପୁଲିସରେ କାମ କରୁଥିବା ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ‌ ହୋଇଛି। ଫଳରେ କରୋନାରେ ଅନ୍ୟ କେହି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେ ଆଶଙ୍କାରେ ଆଜି ଜୋନ୍‌-୬, ଡିସିପି ଅଫିସ୍‌ ଓ ବାରାକ୍‌ରେ ସମସ୍ତଙ୍କର ସ୍କ୍ରିନିଂ କରାଯାଇଛି। ‌ସନ୍ଦେହ ଥିବା ସ୍ଥାନରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ଏ ପରିପ୍ରେକ୍ଷୀରେ ବର୍ତ୍ତମାନ ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ କାମ ସବୁ ଘରେ ବସି କରିହେବ ସେହି କାମ ବାଛି ସେମାନଙ୍କୁ ଦେବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। କୋଭିଡ-୧୯ ମୁକାବିଲାରେ ପୁଲିସ ଯୋଦ୍ଧା ସାଜିଛି। ପୁଲିସ ବାହିନୀର ଅକ୍ଲାନ୍ତ ପରିଶ୍ରମରେ କୋଭିଡ୍‌-୧୯ ମୁକାବିଲା ଜୋର୍‌ସୋର୍‌ରେ ଚାଲିଛି। ଏଭଳି ସ୍ଥିତିରେ ରାଜ୍ୟରେ ପ୍ରଥମ ଥର ଜଣେ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆକ୍ରାନ୍ତ ଜଣକ ୩୬ ବର୍ଷୀୟ କନଷ୍ଟେବଳ ବୋଲି ଜଣାପଡ଼ିଥିଲା। ଗତ ତିନି ଦିନ ତଳେ ଆକ୍ରାନ୍ତ ଜଣକ ଛୁଟିରୁ ଫେରିଥିଲେ। ବାହାରୁ ଆସିଥିବାରୁ ନିୟମ ମୁତାବକ ତାଙ୍କର ସ୍ବାବ୍ ନମୁନା ପରୀକ୍ଷା ହେବା ପରେ କରୋନା ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେ ଛୁଟିରେ ଥିବା ବେଳେ କେଉଁ କେଉଁମାନଙ୍କ ସହ ମିଶିଥିଲେ, ରାଜଧାନୀକୁ ଆସିବା ପରେ ଆଉ କାହା ସହ ମିଶିଛନ୍ତି ସେ ନେଇ ତନାଘନା ଚାଲିଛି। ଏହାକୁ ନେଇ ଅନେକ ସନ୍ଦେହ ବଢ଼ିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଅନ୍ୟପଟେ ଯେଉଁମାନେ ତାଙ୍କ ସହ ମିଶିଥିଲେ ସେମାନଙ୍କ ମଧ୍ୟରୁ ଅନେକେ ନିଜେ ନିଜେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଗେଇ ଆସିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର