ବିକ୍ଷୋଭକାରୀ-ପୁଲିସ ଖଣ୍ଡଯୁଦ୍ଧ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଧସେଇ ପଶିଲେ

ଖୋର୍ଧା: ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଜି ରଣକ୍ଷେତ୍ର ପାଲଟିଥିଲା। ଟାଙ୍ଗୀ ବ୍ଲକ୍‌ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆସିଥିବା ଅଞ୍ଚଳବାସୀ ଦାବିପତ୍ର ଦେବା ଉଦ୍ଦେଶ୍ୟରେ କାର୍ଯ୍ୟାଳୟକୁ ଧସେଇ ପଶିବାରୁ ଏଭଳି ସ୍ଥିତି ଉପୁଜିଥିଲା। ବିକ୍ଷୋଭକାରୀଙ୍କୁ ପୁଲିସ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ପୁଲିସ୍‌ର ମାଡ଼ରେ ୬ଜଣ ବିକ୍ଷୋଭକାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ହୋଇ ପଡ଼ିଥିବା ବାଲିପାଟପୁର ୱାର୍ଡ ସଭ୍ୟା ବୁଲେଇ ବେହେରାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ, ବିକ୍ଷୋଭକାରୀଙ୍କ ଉପରେ ପୁଲିସର ଆକ୍ରମଣକୁ ବିରୋଧ ଏବଂ ସେମାନଙ୍କ ଦାବିକୁ ପ୍ରଶାସନ ଅଣଦେଖା କରିବା ପ୍ରତିବାଦରେ ୧୨ଜଣ ପଞ୍ଚାୟତ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

ସୂଚନା ଥାଉ କି, ଟାଙ୍ଗୀ ବ୍ଲକ୍‌ରେ ବିଡିଓଙ୍କର ମନମୁଖୀ କାର୍ଯ୍ୟ, ବିନା ପଲ୍ଲୀ ସଭାରେ କାର୍ଯ୍ୟାଦେଶ, ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରି ଅନେକ ଥିଲାବାଲାଙ୍କୁ ଖାଉଟି କାର୍ଡ ପ୍ରଦାନ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ପାତରଅନ୍ତର ନୀତି ସମେତ ବିଭିନ୍ନ ପ୍ରକାର ଦୁର୍ନୀତି ସାଙ୍ଗକୁ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଅଣଦେଖା ଯୋଗୁଁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଉପୁଜିଥିବା ଅଭିଯୋଗ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଟାଙ୍ଗୀ ଜନଜାଗରଣ ମହାମେଣ୍ଟ ପକ୍ଷରୁ ଜିଲ୍ଲାପାଳଙ୍କୁ ଗତ ମାସ ୨୩ ତାରିଖରେ ଏକ ଦାବିପତ୍ର ଦିଆଯାଇଥିଲା। ୧୫ଦିନ ଭିତରେ ପଦକ୍ଷେପ ନିଆନଗଲେ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ନ୍ୟାୟ ନ ମିଳିଲେ, ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା। ଏହା ମଧ୍ୟରେ ୧୫ ଦିନ ବିତି ଯାଇଥିଲେ ମଧ୍ୟ କୋଣସି ସୁଫଳ ନ ମିଳିବାରୁ ମଙ୍ଗଳବାର ଟାଙ୍ଗୀ ବ୍ଲକ୍‌ ଜନଜାଗରଣ ମହାମେଣ୍ଟ ପକ୍ଷରୁ ପଞ୍ଚାୟତର ବିଭିନ୍ନ ଜନ ପ୍ରତିନିଧିଙ୍କ ସମେତ ହଜାରେରୁ ଅଧିକ ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ଖୋର୍ଧା ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାକୁ ଯିବା ସମୟରେ ସେଠାରେ ମୁତୟନ ଥିବା ପୁଲିସ ବାଧା ଦେବାରୁ ବିକ୍ଷୋଭକାରୀଙ୍କ ସହ ମୁହାଁମୁହିଁ ହୋଇଥିଲା। ପୁଲିସ ସହ ଧସ୍ତାଧସ୍ତି ବେଳେ ୬ ଜଣ ବିକ୍ଷୋଭକାରୀ ଆହତ ହୋଇଥିଲେ। ଏହି ଘଟଣାକୁ ବିରୋଧ କରି ନିରାକାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ ବିପିନ କୁମାର ଜୟସିଂହଙ୍କ ନେତୃତ୍ୱରେ ଟାଙ୍ଗୀ ବ୍ଲକ୍‌ର ୧୨ଜଣ ସମିତି ସଭ୍ୟ ଓ ୫ଜଣ ସରପଞ୍ଚଙ୍କ ସହ ଜଣେ ଜିଲ୍ଲା ପରିଷଦ ସଭ୍ୟା ଗଣଧାରଣାରେ ବସିଛନ୍ତି। ପୁଲିସର ଏଭଳି ଅମାନୁଷିକ କାର୍ଯ୍ୟ, ଜିଲ୍ଲା ପ୍ରଶାସନର ପାତରଅନ୍ତର ନୀତି ଏବଂ ଲୋକମାନଙ୍କ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରତିନିଧିମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ, ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଫୁଲକୁଣ୍ଡ ଭାଙ୍ଗିବା ସହ ପ୍ରଥମେ ଗଣ୍ଡଗୋଳ କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର