ଜଗିବ ପୁଲିସ, ଗଡ଼ିବ ବସ୍‌: ଭୁବନେଶ୍ୱର-ପୁରୀ ବସ୍‌ ମାଲିକ ସଂଘ ବିବାଦ ତୁଟିଲା

ଭୁବନେଶ୍ୱର: ପ୍ରଶାସନର ହସ୍ତକ୍ଷେପ ଫଳରେ ଭୁବନେଶ୍ୱର ଓ ପୁରୀ ଘରୋଇ ବସ୍‌ ମାଲିକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଆଶା ଉଜ୍ଜ୍ୱଳ ହୋଇଛି। ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ପୁଲିସ ଉପସ୍ଥିତିରେ ଭୁବନେଶ୍ୱରରୁ ପୁରୀକୁ ବସ୍‌ ଗଡ଼ିବ। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମେତ କଳ୍ପନା ଛକ ଏବଂ ପୁରୀ ବସ୍‌ଷ୍ଟାଣ୍ଡରେ ପୁଲିସ ନିୟୋଜିତ ହୋଇ ବସ୍‌ଗୁଡ଼ିକ କିଭଳି ସୁଚାରୁରୂପେ ଚାଲିବ ତାହା ଉପରେ ତଦାରଖ କରିବେ। ୩୦ ତାରିଖ ମଧ୍ୟରେ ବିବାଦର ସ୍ଥାୟୀ ସମାଧାନ ଲାଗି ୭ ଜଣିଆ କମିଟି ଗଠନ କରାଯାଇଛି। କମିଟି ଦ୍ୱାରା ସମୟ ସାରଣୀ ପ୍ରସ୍ତୁତ କରାଯାଇ ପରିବହନ କମିସନରଙ୍କୁ ଦିଆଯିବ ବୋଲି ଆଜି ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ରେ ବସିଥିବା ବୈଠକରେ ନିଷ୍ପତ୍ତିି ହୋଇଛି।

ନିଷ୍ପତ୍ତି ଅନୁଯାୟୀ ରବିବାରଠାରୁ ପୁଣିଥରେ ନିୟମିତ ଭାବେ ଭୁବନେଶ୍ୱରୁ ପୁରୀକୁ ବସ୍‌ ଗଡ଼ିବ। ସ୍ଥାୟୀ ସମାଧାନ ପର୍ଯ୍ୟନ୍ତ ପୁରୀ ବସ୍‌ଷ୍ଟାଣ୍ଡରୁ ପ୍ରତି ୫ ମିନିଟ୍‌ ବ୍ୟବଧାନରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଭିମୁଖେ ବସ୍‌ ଛାଡ଼ିବ। ସେହି ଅନୁଯାୟୀ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ପ୍ରତି ୪ ମିନିଟ୍‌ରେ ଗୋଟିଏ ଲେଖାଏ ବସ୍‌ ପୁରୀ ଅଭିମୁଖେ ଯିବ। ବସ୍‌ ଚଳାଚଳ ସମୟରେ ଯାତ୍ରୀଙ୍କ ସୁବିଧା ତଥା ସମୟ ଅନୁଯାୟୀ ବସ୍‌ ଛାଡ଼ିବା ଲାଗି ବରମୁଣ୍ଡା, କଳ୍ପନା ଛକ, ପୁରୀ ବସ୍‌ଷ୍ଟାଣ୍ଡରେ ପୁଲିସ ମୁତୟନ ହେବେ। କଟକର ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ବି ପୁଲିସ ଉପସ୍ଥିତ ପୁରୀକୁ ବସ୍‌ ଯିବ। ସ୍ଥାୟୀ ସମାଧାନ ଲାଗି ଭୁବନେଶ୍ୱର ଆରଟିଓଙ୍କ ସମେତ ଭୁବନେଶ୍ୱର, କଟକ ଏବଂ ପୁରୀ ଘରୋଇ ବସ୍‌ ମାଲିକ ସଂଘର ସଭାପତି, ସାଧାରଣ ସମ୍ପାଦକଙ୍କୁ ନେଇ ୭ ଜଣିଆ କମିଟି ଗଠନ କରାଯାଇଛି।

ଭୁବନେଶ୍ୱର ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ବିବାଦର ସମାଧାନ ହୋଇଛି। ୩୦ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି ରବିବାରଠାରୁ ଭୁବନେଶ୍ୱରରୁ ପୁରୀକୁ ବସ୍‌ ଗଡ଼ିବ। ପୁଲିସ ଜଗିବାକୁ ସମସ୍ତ ସଂଘ ସହମତି ପ୍ରକାଶ କରିଛନ୍ତି। ପରିମିଟ୍‌ ବିବାଦର ସମାଧାନ ଲାଗି ଗଠିତ ହୋଇଥିବା କମିଟି ଯେଉଁ ନିଷ୍ପତ୍ତି ନେବେ ତାହାକୁ ପାଳନ କରାଯିବ।

ଭୁବନେଶ୍ୱର-୧ର ଆରଟିଓ ପ୍ରଦୀପ କୁମାର ମହାନ୍ତିଙ୍କ କହିବାନୁଯାୟୀ, ଦୁଇ ସଂଘ ମଧ୍ୟରେ ପରମିଟ୍‌ ବିବାଦର ସ୍ଥାୟୀ ସମାଧାନ କରାଯିବ। ୩୦ ତାରିଖ ସୁଦ୍ଧା ପୂର୍ବ ନିୟମ ଅନୁଯାୟୀ ପୁଲିସ ଉପସ୍ଥିତିରେ ବସ୍‌ଗୁଡ଼ିକ ଚାଲିବ। ଏହାରି ଭିତରେ ଚୂଡ଼ାନ୍ତ ପରମିଟ୍‌ ପ୍ରସ୍ତୁତ କରାଯାଇ ପରିବହନ କମିସନରଙ୍କୁ ଦିଆଯିବ। ଖୁବ୍‌ଶୀଘ୍ର ବୈଠକ ବସି ଏନେଇ ଆଲୋଚନା ହେବ। ୫ ଦିନ ହେଲା ଭୁବନେଶ୍ୱରରୁ ପୁରୀକୁ ବସ୍‌ ବନ୍ଦ ହେବା ନେଇ ଖବର ପ୍ରକାଶ ପାଇବା ପରେ ଆଜି ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ଭୁବନେଶ୍ୱର, ପୁରୀ ଏବଂ କଟକ ଆରଟିଓ, ପୁରୀ ଓ ଭୁବନେଶ୍ୱରର ଏମ୍‌ଭିଆଇ, କଟକର ଅତିରିକ୍ତ ଆର୍‌ଟିଓ, ୩ ସହରର ଘରୋଇ ବସ ମାଲିକ ସଂଘର ସଭାପତି, ସାଧାରଣ ସମ୍ପାଦକଙ୍କ ସମେତ ଅନ୍ୟ କର୍ମକର୍ତା ସାମିଲ ହୋଇଥିଲେ। ପ୍ରାୟ ୩ ଘଣ୍ଟା ଧରି ମାନସମନ୍ଥନ କରାଯିବା ପରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ବିବାଦର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତାରେ ଯେପରି କୌଣସି ଅସୁବିଧା ନ ହୁଏ ସେଦିଗରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର