ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିସନରେଟ ପୁଲିସର ଧରପଗଡ଼ : ସପ୍ତାହକ ମଧ୍ୟରେ ୩୬ ଗିରଫ, ୩ ମାଉଜର, ୨.୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର : ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହିତ ଶେଷ କରିବାକୁ କମିସନରେଟ ପୁଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପ୍ରଥମ ପଦକ୍ଷେପ ଭାବେ କମିସନରେଟ ପୁଲିସ ପକ୍ଷରୁ ଅପରାଧୀମାନଙ୍କୁ ଟାର୍ଗେଟ କରାଯାଇଛି। ଯେମିତି ନିର୍ବାଚନ ସମୟରେ ଅପରାଧୀମାନେ କୌଣସି ପ୍ରକାରର ଅଘଟଣ ନ ଘଟାଇବେ, କିମ୍ବା ଭୋଟରଙ୍କୁ ପ୍ରଭାବିତ ନ କରିବେ ସେଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ସ୍ପେସାଲ ଡ୍ରାଇଭ ଆରମ୍ଭ କରାଯାଇଛି। ପ୍ରତ୍ୟେକ ଥାନା ଅଧୀନରେ ଥିବା ଅପରାଧୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଗିରଫ କରାଯାଉଛି। ସେହିପରି ଯେଉଁମାନଙ୍କ ନାଁରେ ପୂର୍ବରୁ ମାମଲା ରହିଛି, ସେମାନଙ୍କୁ ୧୧୦ ଦଫା ବଳରେ ମଧ୍ୟ ଗିରଫ କରାଯାଉଛି। ଗତ ସପ୍ତାହକ ମଧ୍ୟରେ କମିସନରେଟ ପୁଲିସ ଅପରାଧୀମାନଙ୍କ ବିରୋଧରେ ୧୩ଟି ମାମଲା ରୁଜୁ କରିବା ସହିତ ୩୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨.୩ ଲକ୍ଷ ଟଙ୍କା, ୩ଟି ମାଉଜର, ୬୧ଟି ମୋବାଇଲ ଫୋନ୍, ୪୧ ଗ୍ରାମ ବ୍ରାଉନସୁଗାର, ୨୧୩ ଗ୍ରାମର ସୁନାଗହଣା, ୧୦୫ ଗ୍ରାମର ରୁପା ଗହଣା ଆଦି ଜବତ ହୋଇ ଯାଇଛି। ଆଗାମୀ ଦିନରେ ଚଢ଼ଉକୁ ଆହୁରି ଜୋରଦାର କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଡିସିପି ଶ୍ରୀ ସାହୁ କହିଛନ୍ତି, କମିସନରେଟ ପୁଲିସ ପକ୍ଷରୁ ସ୍ପେସାଲ ଡ୍ରାଇଭ ଆରମ୍ଭ କରାଯାଇଛି। ଏଥିରେ ରାଜଧାନୀର ବଛାବଛା ଅଫିସରଙ୍କୁ ସାମିଲ କରାଯାଇଛି। ଅଫିସରମାନେ ବାଲିଅନ୍ତା, ମଞ୍ଚେଶ୍ବର, ଖାରବେଳନଗର, ସହିଦନଗର, ଖଣ୍ଡଗିରି, କ୍ୟାପିଟାଲ, ଇନଫୋସିଟି ଥାନା ଅଧୀନରେ ଚଢ଼ଉ କରି ଅସାମାଜିକ ଯୁବକମାନଙ୍କୁ ଗିରଫ କରିଛନ୍ତି। ଏଭଳି ଚଢ଼ଉ ଆଗାମୀ ଦିନରେ ଆହୁରି ଜୋରଦାର ହେବ। ସେହିପରି ରାଜଧାନୀରେ ନିଶା କାରବାର କାରଣରୁ ଅପରାଧ ବଢ଼ି ଚାଲିଛି। ତେଣୁ ରାଜଧାନୀରେ ଚାଲୁଥିବା ବେଆଇନ ମଦ କାରବାର ଓ ବ୍ରାଉନସୁଗାର କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର