ଫ୍ଲାଏଓଭର୍‌ ତଳ ପାର୍କିଂରେ ଚଢ଼ଉ, ଟ୍ରାଫିକ ପୁଲିସ ଉପରେ କମିସନର୍‌ ଖପା

୨ଟି କାର୍ ଉଠାଇ ନେଲା ପୁଲିସ, ୧୫ଟି ଗାଡ଼ିରୁ ଜରିମାନା ଆଦାୟ

ଭୁବନେଶ୍ବର: ଲକ୍ଷ୍ମୀସାଗର, ବମିଖାଲ ଓ ରସୁଲଗଡ଼ ଫ୍ଲାଏଓଭର୍‌ ତଳେ ହେଉଥିବା ବେଆଇନ ପାର୍କିଂ ଉପରେ ଆଜି ପୁଣି ଥରେ ଖବର ପ୍ରକାଶ ପାଇବା ପରେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଟ୍ରାଫିକ୍‌ ପୁଲିସ ଉପରେ ଖପା ହୋଇଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରାଫିକ୍‌ ଏସିପିଙ୍କୁ ନିର୍ଦ୍ଦେଶ ଦେବା ପରେ ଆଜି ଗୋଟିଏ ଟିମ୍‌ ସେହି ସବୁ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଟ୍ରାଫିକ୍‌ ପୁଲିସ ଆଜି ୨ଟି ଗାଡ଼ିକୁ ସେଠାରୁ ଉଠାଇ ଆଣିବା ସହ ୧୫ଟି ପାଖାପାଖି ଗାଡ଼ିରୁ ଜରିମାନା ଆଦାୟ କରିଛି। ସେହିପରି ରସୁଲଗଡ଼ ଓ ବମିଖାଲ ଫ୍ଲାଏଓଭର୍‌ ତଳେ ପାର୍କିଂ ହୋଇଥିବା କେତେକ ଅଟୋକୁ ନୋଟିସ୍‌ ମଧ୍ୟ ହୋଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଅଧିକ କରାଯିବ ବୋଲି ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଏହି ସବୁ ଫ୍ଲାଏଓଭର୍‌ ତଳେ ବର୍ଷ ବର୍ଷ ଧରି ଭଙ୍ଗାଦଦରା ଗାଡ଼ି ଟ୍ରକ୍‌ ଓ କାର୍‌ଗୁଡିକ ପାର୍କିଂ ହୋଇଆସୁଥିଲା। ଏହି କାରଣରୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଥିଲା। ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପୁଲିସ କମିସନର ଶ୍ରୀ ମହାନ୍ତି ଫ୍ଲାଏଓଭର୍‌ ତଳେ ଚାଲିଥିବା ବେଆଇନ ପାର୍କିଂ ହଟାଇବାକୁ ନିର୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଏଭଳି ବେଆଇନ ପାର୍କିଂ ହଟାଇବା କାମ କେବଳ ଟ୍ରାଫିକ ପୁଲିସ ନୁହେଁ, ବିଏମସି ଚାହିଁଲେ ମଧ୍ୟ ହଟାଇ ପାରିବ। ଏହାଛଡ଼ା ଲକ୍ଷ୍ମୀସାଗର ଓ ବମିଖାଲ ଫ୍ଲାଏଓଭର୍‌ ପୂର୍ତ ବିଭାଗ ଅଧୀନରେ ଆସୁଛି, ସେହିପରି ରସୁଲଗଡ଼ ଫ୍ଲାଏଓଭର ଜାତୀୟ ରାଜପଥ କତୃର୍ପକ୍ଷ ଅଧୀନରେ ଆସୁଛି, ସେମାନେ ଚାହିଁଲେ ଫ୍ଲାଏଓଭର ତଳଗୁଡ଼ିକୁ ତା’ରବାଡ଼ ବୁଲାଇ ଆବଦ୍ଧ କରିପାରିବେ। ତେଣୁ କମିସନରେଟ୍‌ ପୁଲିସ ଖୁବ୍‌ଶୀଘ୍ର ପୂର୍ତ ବିଭାଗ ଓ ଜାତୀୟ ରାଜପଥ ଅଧିକାରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବ ବୋଲି ଟ୍ରାଫିକ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର