ଅଟୋ ଚାଳକଙ୍କ ଉପରେ ଚଢ଼ଉ : ୧୦୫ ଅଟୋରୁ ୧ ଲକ୍ଷ ୫୨ ହଜାର ୪ଶହ ଟଙ୍କା ଜରିମାନା ଆଦାୟ

ଜଗା ରେଡ୍ଡୀ। ଘର ଖାରବେଳନଗର ଥାନା ଅଧୀନ ମାଳି କଲୋନିରେ। ପେସା ଅଟୋ ଚାଳକ। କିନ୍ତୁ ପ୍ରକୃତରେ ସେ ଜଣେ ଦୁର୍ଦାନ୍ତ ଅପରାଧୀ। ଲୁଟପାଟ୍‌, ରାହାଜାନି ତା’ର ମୁଖ୍ୟ ଧନ୍ଧା। ଏହାସହ ଜଣେ ଦେହ ଦଲାଲ ମଧ୍ୟ। ଗତକାଲି କ୍ୟାପିଟାଲ ଥାନା ପୁଲିସ ତାକୁ ଗିରଫ କରି ତା’ଠାରୁ ୪ଟି ବୋମା ଜବତ କରିଛି। ସେହିପରି ମଙ୍ଗଳ ଦାସ। ଘର ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ୍ ହଠାତ କଲୋନିରେ। ପେସାରେ ଅଟୋ ଚାଳକ। କିନ୍ତୁ କେବଳ ଲୋକଦେଖାଣିଆ। ଅସଲ ଧନ୍ଧା ବ୍ରାଉନ୍‌ସୁଗାର ବିକ୍ରି କରିବା। ଦୁଇ ଦିନ ତଳେ ଲକ୍ଷ୍ମୀସାଗର ଥାନା ପୁଲିସ ତାକୁ ଗିରଫ କରିଥିଲା।

ଗତ ୩ ଦିନ ମଧ୍ୟରେ ରାଜଧାନୀରେ ଦୁଇଜଣ ଅଟୋ ଚାଳକ ସଂଘାତିକ ଅପରାଧରେ ସଂପୃକ୍ତ ଥାଇ ଗିରଫ ହେବା ପରେ ଏବେ ଅଟୋ ଚାଳକମାନଙ୍କ ଉପରେ ପୁଲିସର ନଜର। କମିସନରେଟ ପୁଲିସ ଅଟୋ ଚାଳକଙ୍କ ଉପରେ ଚଢ଼ଉ ଅଭିଯାନକୁ ଆଜି ଜୋରଦାର କରିଛି। ଆଜି ଗୋଟିଏ ଦିନରେ ଟ୍ରାଫିକ୍‌ ପୁଲିସ ୧୦୫ଟି ଅଟୋକୁ ଧରପଗଡ଼ କରିବା ସହିତ ଚାଳକମାନଙ୍କଠାରୁ ୧ଲକ୍ଷ ୫୨ହଜାର ୪ଶହ ଟଙ୍କା ଜରିମାନା ଆଦାୟ କରିଛି। ଆହୁରି ପାଖାପାଖି ୮୫ଟି ଅଟୋକୁ ଏଜି ଛକ ଟ୍ରାଫିକ ଥାନାରେ ଅଟକ ରଖାଯାଇଛି। ସେମାନେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ଜରିମାନା ଦେବା ପରେ ଅଟୋଗୁଡ଼ିକୁ ହସ୍ତାନ୍ତର କରାଯିବ। ଆସନ୍ତାକାଲି ମଧ୍ୟ ଏଭଳି ଚଢ଼ଉ ହେବ ବୋଲି ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜଧାନୀକୁ ପ୍ରତିଦିନ ନୟାଗଡ଼, ଖୋର୍ଧା, ପିପିଲି ଓ ରାଜଧାନୀ ଉପକଣ୍ଠରୁ ଅଟୋଗୁଡ଼ିକ ଭୁବନେଶ୍ବର ଚାଲି ଆସୁଛନ୍ତି। ସେମାନେ ଏଠାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି। ସେହିପରି ରାଜଧାନୀରେ ଅଟୋ ଚଳାଉଥିବା ଏକାଧିକ ଅଟୋ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନାହିଁ। ଏତଦ୍‌ବ୍ୟତୀତ ଅଟୋର ବୀମା, ଫିଟ୍‌ନେସ, ଆରସି ବୁକ, ପ୍ରଦୂଷଣ ସାର୍ଟିଫିକେଟ, ଫାଷ୍ଟଏଡ୍‌ ବକ୍ସ ଆଦି ମଧ୍ୟ ନାହିଁ। ଏକାଧିକ ଅଟୋ ଚାଳକ ନିଶା ସେବନ କରି ଅଟୋ ଚଳାଉଥିବାରୁ ଦୁର୍ଘଟଣା ଘଟୁଛି। କିଛି ଅଟୋ ଚାଳକ ରାଜଧାନୀରେ ଘଟୁଥିବା କେତେକ ଅପରାଧ, ନିଶା ଦେଇ ଲୁଟ୍‌, ଛିନତାଇ ଭଳି ଅପରାଧରେ ମଧ୍ୟ ସଂପୃକ୍ତ ରହୁଛନ୍ତି। ଆଜି ଏହିଭଳି ଅଟୋ ଚାଳକମାନଙ୍କ ଉପରେ ଚଢ଼ଉ କରାଯାଇଥିଲା। ଡିସିପି ଅନୁପ ସାହୁ କହିଛନ୍ତି, ଗତ କିଛି ଦିନ ହେଲା ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଅହେତୁକ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେଉଛି। ଏହାର ମୁଖ୍ୟ କାରଣ ଅଟୋ। ପ୍ରଥମ ପଦକ୍ଷେପସ୍ବରୂପ ଆମେ ଅଟୋଗୁଡ଼ିକ ଉପରେ ଚଢ଼ଉ କରିଛୁ। ଏହାଛଡ଼ା ଦିନକୁ ଦିନ ଅଟୋ ଚାଳକଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଯାତ୍ରୀ ଉଠାଇବାକୁ ନେଇ ସେମାନେ ଯେଉଁଭଳି ଢଙ୍ଗରେ ଗାଡ଼ି ଚଳାଉଛନ୍ତି, ସେଥିରେ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଅଟୋ ଚାଳକ ଓ ଅନ୍ୟମାନଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଛି। ଏନେଇ କମିସନରେଟ୍‌ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଡିସିପି ଶ୍ରୀ ସାହୁ ରାଜଧାନୀରେ ଚାଲୁଥିବା ଅଟୋଗୁଡ଼ିକୁ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ଏଜି, ରାଜହମହଲ, ରସୁଲଗଡ଼, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଶିଶୁଭବନ, ଜାଗମରା, ପାୱାରହାଉସ ଛକରେ ଟ୍ରାଫିକ ପୁଲିସ ପକ୍ଷରୁ ଅଟୋ ଯାଞ୍ଚ ଆରମ୍ଭ ହୋଇଥିଲା। ପାଖାପାଖି ୧୦୫ଟି ଅଟୋ ଚାଳକ ଯାଞ୍ଚବେଳେ ଧରା ପଡ଼ିଥିଲେ। ସେମାନଙ୍କ ନିକଟରୁ ୧ଲକ୍ଷ ୨୫ ହଜାର ୭ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର