ପୂଜା ପୂର୍ବରୁ କମିସନରେଟ୍‌ ପୁଲିସର ୫୨୦ ଅପରାଧୀଙ୍କ ଉପରେ ନଜର, ବନ୍ଧା ହେଲେଣି ୧୪୩

ଭୁବନେଶ୍ବର: ଆଉ ମାତ୍ର କେଇଟା ଦିନ ପରେ ଦୁର୍ଗାପୂଜା। ପୂଜା ଓ ଭସାଣିକୁ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ କରିବା ଲାଗି କମିସନରେଟ୍‌ ପୁଲିସ ପ୍ରସ୍ତୁତି ଜୋରଦାର କରିଛି। ପୂଜା ସମମୟରେ ଯେଭଳି କୌଣିସ ବିଶୃଙ୍ଖଳା ନଘଟେ ସେଥି ପାଇଁ ଟ୍ରାଫିକ୍‌ଠାରୁ ଆରମ୍ଭ କରି ଅପରାଧୀଙ୍କ ଗତିବିଧି ସମସ୍ତ ଦିଗକୁ କମିସନରେଟ୍‌ ପୁଲିସ ଗୁରୁତର ସହ ନେଇଛି। ବିଶେଷ କରି ସୁରକ୍ଷାକୁ ଦୃଷ୍ଟିରେ ରଖି ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପୁଲିସ କମିସନର୍‌ ସତ୍ୟଜିତ୍ ମହାନ୍ତି। ପୂଜା ପୂର୍ବରୁ ଅପରାଧୀଙ୍କୁ ଖୋଜି ଖୋଜି ବାନ୍ଧିବା ପାଇଁ ସେ ଥାନାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

ଏଥିପାଇଁ ରାଜଧାନୀର ୫୨୦ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସରିଛି। ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ନିକଟସ୍ଥ ଥାନାଗୁଡ଼ିକୁ ପଠା ଯାଇଛି। ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସେହିପରି ଯେଉଁ ଅପାରାଧୀମାନେ ୨-୩ଟି ମାମଲାରେ ଜେଲ୍‌ରୁ ଫେରୁଛନ୍ତି ସେମାନଙ୍କ ଉପରେ ମଧୢ ନଜର ରଖିବା ପାଇଁ କୁହାଯାଇଛି। ପ୍ରତି ସପ୍ତାହରେ କେତେଜଣ ଏନ୍‌ବିଡବ୍ଲ୍ୟ, ୧୧୦(ଟାଉନ୍‌ ଟାଇଗର)ତାଲିକାଭୁକ୍ତ ଅପରାଧୀଙ୍କୁ ବନ୍ଧାଯିବ ତାହାର ଏକ ତାଲିକା ସରିଛି। ଏହାଛଡ଼ା ଚୋରା ମଦ କାରବାର, ବ୍ରାଉନ୍‌ସୁଗାର, ଅପରାଧୀ ଆଡାସ୍ଥଳ ଓ ଖଟି ଉପରେ ମଧୢ କଡ଼ା ନଜର ରଖିବାକୁ ପୁଲିସ କମିସନର ଶ୍ରୀ ମହାନ୍ତି ନିର୍ଦେଶ ଦେଇଛନ୍ତି। ଗତ ୨୩ ତାରିଖରେ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁଲିସ କମିସନର୍‌ ଶ୍ରୀ ମହାନ୍ତି ଏସିପି ଓ ଆଇଆଇସିଙ୍କୁ ଏଭଳି ନିର୍ଦେଶ ଦେଇଥିଲେ।। ତେବେ ଗତ ୨୩ ତାରିଖଠାରୁ ୨୯ ତାରିଖ ସପ୍ତାହକ ମଧ୍ୟରେ କମିସନରେଟ୍ ପୁଲିସ ପକ୍ଷରୁ କରାଯାଇଥିବା ସ୍ପେସାଲ୍ ଡ୍ରାଇଭ୍‌ରେ ୧୪୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଭୁବନେଶ୍ବର କମିସନରେଟ୍ ଅଞ୍ଚଳର ୭୮ ଓ କଟକ କମିସନରେଟ୍ ଅଞ୍ଚଳର ୬୫ ଜଣ ଅପରାଧୀ ସମ୍ପୃକ୍ତ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୫୩ଜଣ ଅଭ୍ୟାସଗତ ଅପରାଧୀଙ୍କୁ ସିଆର୍‌ପିସି ୧୧୦ରେ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବର ୟୁପିଡିର ୩୪ ଜଣ ଅପରାଧୀ ଥିବା ବେଳେ କଟକ ୟୁପିଡିର ୧୯ଜଣ ଅଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର