ସବୁ ଥାନାକୁ ମିଳିଲା କମ୍ପ୍ୟୁଟର୍‌, ବାଇକ୍‌

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ପଞ୍ଜୀକରଣ ଓ ସୁରକ୍ଷା ଦେବା ପାଇଁ କମିସନରେଟ ପୁଲିସ ଅଣ୍ଟା ଭିଡ଼ିଛି। ପଞ୍ଜୀକରଣ ପାଇଁ ଭୁବନେଶ୍ୱରର ୧୯ଟି ଥାନା ଓ କଟକର ୧୭ଟି ଥାନାକୁ କମ୍ପ୍ୟୁଟର୍‌, ସ୍କାନର୍‌, ପ୍ରିଣ୍ଟର୍‌ ଯୋଗାଇ ଦିଆଯାଇଛି। ସେହିପରି ନୋଡାଲ ଅଫିସରମାନଙ୍କୁ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଦିଆଯାଇଛି ବୋଲି ପୁଲିସ କମିସନର୍‌ ଓ୍ଵାଇବି ଖୁରାନିଆ କହିଛନ୍ତି।

ବିଭିନ୍ନ ସମୟରେ ବରିଷ୍ଠ ନାଗରିକମାନେ ପାରିବାରିକ ହିଂସା ଓ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କମିସନରେଟ୍‌ ପୁଲିସକୁ ଚିନ୍ତାରେ ପକାଇଥିଲା। ତେଣୁ ସେମାନଙ୍କୁ କିଭଳି ସୁରକ୍ଷା ଦିଆଯିବ ସେଥିପାଇଁ ପ୍ରଥମେ ୨୦୦୮ରେ କମିସନରେଟ୍‌ ପୁଲିସ ଅଫ୍‌ଲାଇନ୍‌ ନାମ ପଞ୍ଜୀକରଣ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ସମସ୍ତ ଥାନାଗୁଡ଼ିକୁ ଦାୟିତ୍ୱ ଦେଇଥିଲା। ନିଜ ନିଜ ଅଞ୍ଚଳରେ ଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନାମ ପଞ୍ଜୀକରଣ କରି ତାଙ୍କ ସହ ଯୋଡ଼ି ହେବାକୁ ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା।

ସେମାନେ ଯେଭଳି ଘରେ ବସି କମିସନରେଟ୍‌ ପୁଲିସରେ ନିଜର ନାମ ପଞ୍ଜୀକରଣ କରିପାରିବେ, କୌଣସି ସମସ୍ୟାର ସମ୍ମୁଖୀନ ହେଲେ ସଙ୍ଗେ ସଙ୍ଗେ ପୁଲିସ ସହ ଯୋଗାଯୋଗ କରି ସମସ୍ୟା ବିଷୟରେ ଜଣାଇ ପାରିବେ ସେ ନେଇ। କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଆପ ଓ ହେଲ୍ପ ଲାଇନ୍‌ର ବ୍ୟବସ୍ଥା କରାଗଲା। ହେଲେ ଥାନାଗୁଡ଼ିକରେ ନେଟ୍‌ଠାରୁ ଆରମ୍ଭ କରି କମ୍ପ୍ୟୁଟର ସିଷ୍ଟମ, ସ୍କାନର୍‌ ଓ ପ୍ରିଣ୍ଟର୍‌ରେ ସମସ୍ୟା ଥିବାରୁ ନାମ ପଞ୍ଜୀକରଣ କରିବା ସମ୍ଭବ ହୋଇପାରୁ ନଥିଲା। ଏନେଇ ଜୁନ୍‌ ୩ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପୁଲିସ କମିସନର ଶ୍ରୀ ଖୁରାନିଆ ଏହାକୁ ଗୁରୁତର ସହ ନେଇ ଏଭଳି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର