ଆଜିଠୁ ଆହୁରି କଠୋର ହେବ ପୁଲିସ, ଲକ୍ ଡାଉନ୍ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କାନ ଧରି ଉଠବସ୍, ବାଇକ ଜବତ, ମୃଦୁ ଲାଠିଚାଳନା

ଭୁବନେଶ୍ବର : ରବିବାର ଜନତା କର୍ଫ୍ୟୁ ଓ ତିନି ଦିନର ଲକ୍ ଡାଉନରେ କମିସନରେଟ୍ ପୁଲିସ ଲୋକଙ୍କୁ ସଚେତନ କରି ଚାଲିଛି। ଅମାନିଆ ଯୁବକଙ୍କ ବିରୋଧରେ ପୁଲିସ ଆଜି କେତେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ୫୦ରୁ ଅଧିକ ଗାଡ଼ି ଜବତ କରିଥିବା ବେଳେ ରସୁଲଗଡ଼, ଜୟଦେବ ବିହାର, କଟକରୋଡ୍, ପୁରୁଣା ଭୁବନେଶ୍ବର ସମେତ କେତେକ ଅଞ୍ଚଳରେ ନିୟମ ଉଲ୍ଲଂଘନକାରୀଙ୍କୁ ମୃଦୁ ଲାଠି ଚାଳନା କରିଛି। ବାଣୀବିହାର, ରାଜଭବନ, ଏଜି ଛକ ସମେତ କେତେକ ଅଞ୍ଚଳରେ ଅମାନିଆ ଲୋକଙ୍କୁ କାନ ଧରି ବସ୍ ଉଠ କରାଇଛି ପୁଲିସ। ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ହେବା ପରେ ସମ୍ପୃକ୍ତ ଯୁବକଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି। ଖାଲି ସେତିକି ନୁହେଁ ବାଣୀବିହାରରେ କେତେକ ଯୁବକଙ୍କୁ ପୁଲିସ ରାସ୍ତା ଉପରେ ଆଣ୍ଠେଇ ଦେଇଥିଲା। ଏହି ଯୁବକମାନେ ବିନା କାରଣରେ ଘରୁ ବାହାରି ବାଇକ୍ ଧରି ରାସ୍ତାରେ ବେପରୁଆ ଗାଡ଼ି ଚଳାଇବା ସହ କାର୍ଯ୍ୟରତ ପୁଲିସକୁ କମେଣ୍ଟ ମାରିଥିଲେ। ଆଉ କେତେକ ଯୁବକ ଏୟାରପୋର୍ଟ ଫାଙ୍କା ରାସ୍ତାରେ ବାଇକ୍ ଧରି ଉତ୍ପାତ କରୁଥିବା ଦେଖିବାକୁ ମିଳିଥିଲା।

ତେଲେଙ୍ଗାନାରେ ଅମାନିଆ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇ ସାରିଥିବା ବେଳେ ଏବେ କମିସନରେଟ ପୁଲିସ ବି ତୟାର ହୋଇଯାଇଛି। ଆସନ୍ତାକାଲିଠାରୁ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଛି। ଏପରିକି ଲାଠିଚାର୍ଜ କରିବାକୁ ପୁଲିସ ନିଷ୍ପତ୍ତି ନେଇ ସାରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ଯେଉଁ ଭଳି ଭାବରେ ସାରା ବିଶ୍ବରେ କାୟା ମେଲାଇଛି ତା’ଠାରୁ ରକ୍ଷା ପାଇବା ଲାଗି ଏକମାତ୍ର ଉପାୟ ହେଉଛି ଲକ୍ ଡାଉନ୍, ସାମାଜିକ ଦୂରତ୍ବ। ତିନି ସପ୍ତାହ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ୍ ରହିବ ବୋଲି ଘୋଷଣା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ। ଏହାକୁ ଆଖି ଆଗରେ ରଖି ଲୋକଙ୍କୁ ବିନା କାମରେ ଘରୁ ନ ବାହାରିବା ଲାଗି ପୁଲିସ, ପ୍ରଶାସନ କିଛି ଦିନ ହେଲା ସଚେତନତା କରି ଚାଲିଛି। କିନ୍ତୁ ଏହା ସତ୍ତ୍ବେ ବି କିଛି ଲୋକ ନିୟମ ନ ମାନି ରାଜରାସ୍ତାକୁ ଆସି ବିନା କାମରେ ମନଇଚ୍ଛା ଗାଡ଼ି ଧରି ବୁଲୁଛନ୍ତି। ପୁଲିସ ଆଜି ବିଭିନ୍ନ ଜାଗାରେ ସେହି ଲୋକମାନଙ୍କୁ ବୁଝାଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ଆଉ କିଛି ଦୋକାନ ଖୋଲା ଥିବାରୁ ଲୋକଙ୍କର ପ୍ରବଳ ଗହଳି ଲାଗିଥିଲା। ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ପ୍ରାୟ ୧୦ଟି ଦୋକାନକୁ ପୁଲିସ ବନ୍ଦ କରିବା ସହ ଦୋକାନୀଙ୍କୁ ଚେତାବନୀ ଦେଇଛି। ଆଗକୁ ଦୋକାନ ଖୋଲିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫା ସଫା ଶୁଣାଇ ଦେଇଛି ପୁଲିସ। ବିଭିନ୍ନ ଥାନା ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ରାତି ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଦିନରେ ବି ଜୋରଦାର ପାଟ୍ରୋଲିଂ କରୁଛି କମିସନରେଟ ପୁଲିସ।

ସମ୍ବନ୍ଧିତ ଖବର