ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ ଆବେଦନ କରିବେ ପୁଲିସ କମିସନର

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କ ଜେଲ୍‌ରୁ ମୁକୁଳିବା ସହଜ ହେବ ନାହିଁ। ତାଙ୍କ ଜାମିନ ଆବେଦନକୁ ଖାରଜ ପାଇଁ ପୁଲିସ କମିସନର କୋର୍ଟରେ ଆବେଦନ କରିବେ ବୋଲି ସୂଚନା ଦେବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ବହୁଚର୍ଚ୍ଚିତ ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲା ଓ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଘଟଣାରେ ୧୦ବର୍ଷ ଧରି ଜେଲ୍‌ ଚାରି କାନ୍ଥ ଭିତରେ ଥିବା ଗ୍ୟାଙ୍ଗଷ୍ଟାର ରାଜାଙ୍କୁ ଶୁକ୍ରବାର ହାଇକୋର୍ଟରୁ ଜାମିନ୍‌ ମିଳିଥିଲା। ହେଲେ ଜଣେ ଗ୍ୟାଙ୍ଗଷ୍ଟର୍‌କୁ ଖୋଲାଖୋଲି ଭାବେ ଛଡ଼ାଯିବ ନାହିଁ ବୋଲି ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ କହିଛନ୍ତି। ଏଥିପାଇଁ ଆଇନ ବିଶାରଦଙ୍କ ପରାମର୍ଶ ନିଆଯିବ। ହାଇକୋର୍ଟରୁ ତାଙ୍କ ସମ୍ବନ୍ଧରେ ସମସ୍ତ ଡକ୍ୟୁମେଣ୍ଟ ମିଳିବା ପରେ ଆବେଦନ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ କହିଛନ୍ତି।

ସେହିପରି ରାଜାଙ୍କ ଜାମିନ ପରେ ବିରଞ୍ଚିଙ୍କ ପତ୍ନୀ ଅଞ୍ଜଳି ଦାସ ଅସୁରକ୍ଷିତ ମନେ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ପୂର୍ବରୁ ତାଙ୍କ ସୁରକ୍ଷା ପାଇଁ ୨ଜଣ ପିଏସ୍‌ଓ ଦିଆଯାଇଥିଲା। ହେଲେ ଗତ କିଛି ଦିନ ତଳେ ଜଣେ ପିଏସ୍‌ଓଙ୍କୁ ଅପସାରଣ କରି ନିଆଯାଇଥିଲା। ଏହାଛଡ଼ା ଗତ ୩ ଦିନ ତଳେ କେହି ଦୁର୍ବୃତ୍ତ ତାଙ୍କ ପୁତୁରାଙ୍କୁ ମଧ୍ୟ ଧମକ ଚମକ ଦେଇଥିଲା। ତେଣୁ ତାଙ୍କୁ ଆଉ ଜଣେ ପିଏସ୍‌ଓ ଦିଆଯାଉ ବୋଲି ସେ କହିଛନ୍ତି। ଏପଟେ ଅଞ୍ଜଳିଙ୍କ ଅଭିଯୋଗ, ସେପଟେ ପୁଲିସ କମିସନରଙ୍କ ଜାମିନ ଖାରଜ ନେଇ ଆବେଦନ ରାଜାଙ୍କୁ ଜେଲରୁ ମୁକୁଳିବାରେ ପ୍ରତିବନ୍ଧକ ସୃଷ୍ଟି କରିବା ନେଇ ଚର୍ଚା ହେଉଛି।

ସମ୍ବନ୍ଧିତ ଖବର