ଶୋଇଥିଲେ, ଚେଇଁ ଉଠିଲେ: ଦ୍ୱିତୀୟ କ୍ୟାମ୍ପସକୁ ନେଇ ରମାଦେବୀରେ ରାଜନୀତି ସରଗରମ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ଲାଗି ଉଚ୍ଚଶିକ୍ଷା ବିଭାଗ ଜମି ଚିହ୍ନଟ ଲାଗି କମିଟି ଗଠନ କରିସାରିଥିବା ବେଳେ ଏବେ ଫାଇଦା ଉଠାଇବାକୁ ରାଜ୍ୟର ଦୁଇ ଛାତ୍ର ସଙ୍ଗଠନ ଆଗେଇ ଆସିଛନ୍ତି। ଏଠାକାର ଛାତ୍ର ସଂସଦକୁ କବ୍‌ଜା କରିଥିବା ଛାତ୍ର ବିଜେଡିର ନେତ୍ରୀମାନେ ହଠାତ୍‌ ଚେଇଁ ଉଠିଛନ୍ତି। ୫ ମାସ ହେଲା ଛାତ୍ର ସଂସଦକୁ କବ୍‌ଜା କରିସାରିଥିଲେ ମଧ୍ୟ ଦ୍ୱିତୀୟ କ୍ୟାମ୍ପସ ନେଇ ମୁହଁ ଖୋଲୁ ନ ଥିଲେ କି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି କରୁ ନ ଥିଲେ। ଫେବ୍ରୁଆରି ୮ରେ ଏବିଭିପି ପକ୍ଷରୁ ଏହି କ୍ୟାମ୍ପସରେ ଛାତ୍ର ଅଧିକାର ରାଲି ଅନୁଷ୍ଠିତ ହେବାକୁ ଥିବାରୁ ଆଜି ହସ୍ତଖତ ଅଭିଯାନ କରାଯାଇଛି। ଏହା ଦେଖିବା ପରେ ଛାତ୍ର ସଂସଦର ସଦସ୍ୟମାନେ ମଧ୍ୟ ଏକ ଦାବିପତ୍ର ୩ ଦିନ ତଳେ କୁଳପତିଙ୍କୁ ଦେଇଥିବା ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଛାତ୍ର ସଂସଦ ସଭାପତି ସୌଭାଗ୍ୟ ସୌମ୍ୟାଶ୍ର୍ରୀ ସାମଲ, ସାଧାରଣ ସମ୍ପାଦିକା ଦେବସ୍ମିତା ଦାସ, ଉପସଭାପତି ସିମ୍‌ରନ୍‌ ପଣ୍ଡା ଗତ ଶନିବାର କୁଳପତିଙ୍କୁ ଦାବିପତ୍ର ଦେଇଥିଲେ। ଏଥିରେ ଉଲ୍ଲେଖ କରିଛନ୍ତି ଯେ ରମାଦେବୀ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହୋଇଥିବାରୁ ଦ୍ୱିତୀୟ କ୍ୟାମ୍ପସର ଆବଶ୍ୟକତା ରହିଛି। ପର୍ଯ୍ୟାପ୍ତ କ୍ୟାମ୍ପସ ନ ଥିବାରୁ ସମ୍ପ୍ରସାରଣ ହୋଇପାରୁନି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠନ କରାଯାଇଥିବା କମିଟିକୁ ସ୍ୱାଗତ କରୁଛୁ। ଏଥିସହ ଜମି ଚିହ୍ନଟ ସମୟରେ ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଏଥିରେ ଉଲ୍ଲେଖ ହୋଇଛି। ବୁଧବାର ଏନେଇ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ କହିଛନ୍ତି।

ଏହି କ୍ୟାମ୍ପସକୁ କବ୍‌ଜା କରିଥିବା ଛାତ୍ର ବିଜେଡିର ନିଷ୍ପତ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ଉତ୍କଳ ଓ ରମାଦେବୀ କ୍ୟାମ୍ପସକୁ ନେଇ ଛାତ୍ର ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରୁ ନାହିଁ। ଗୋଟିଏ ପଟେ ଉତ୍କଳରୁ ରମାଦେବୀକୁ ଜମି ନ ଦେବା ଲାଗି ଛାତ୍ର ବିଜେଡି ଦାବି କରୁଥିବା ବେଳେ ଅନ୍ୟପଟେ ଉତ୍କଳରୁ ଜମି ଚିହ୍ନଟ କରି ଦେବା ଲାଗି ଗଠିତ କମିଟିକୁ ରମାଦେବୀର ଛାତ୍ର ସଂସଦ ପକ୍ଷରୁ ସ୍ୱାଗତ କରାଯାଉଛି। ଏହି କ୍ୟମ୍ପସର ଛାତ୍ର ସଂସଦ ଏବେ ଛାତ୍ର ବିଜେଡି କବ୍‌ଜାରେ ରହିଛି। ୩୦ ଏକର ପରିମିତ ଜମିରେ କିଭଳି ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିବ ତାହାକୁ ନେଇ ଛାତ୍ରୀ ପ୍ରତିନିଧିଙ୍କ ଦୂରଦୃଷ୍ଟି ଅଭାବକୁ ପଦାରେ ପକାଉଛି ବୋଲି ଏବିଭିପି ପ୍ରଶ୍ନ କରିଛି। ଏବିଭିପି ପକ୍ଷରୁ ଆଜି କରାଯାଇଥିବା ହସ୍ତଖତ ଅଭିଯାନରେ ଦ୍ୱିତୀୟ କ୍ୟାମ୍ପସକୁ ଉତ୍କଳ କ୍ୟାମ୍ପସରେ କରା ନ ଯାଇ ସ୍ୱତନ୍ତ୍ର ଭାବେ କରିବା, ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ବିଶ୍ୱବିଦ୍ୟାଳୟ ନାମରେ ଜମିକୁ କରିବା, ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌)କୁ ସରଳୀକରଣ କରାଯିବା ସହ ପାଠାଗାରରେ ପର୍ଯ୍ୟାପ୍ତ ପରିମାଣର ପୁସ୍ତକ ରଖିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର