ପ୍ରଦୂଷଣ ଚିନ୍ତା : ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର ଅଭିନବ ପ୍ରୟାସ, ଶୁକ୍ରବାର ଗାଡ଼ି ମନା, କର୍ମଚାରୀ ଆସିବେ ସାଇକେଲରେ କିମ୍ବା ଚାଲିଚାଲି

ଭୁବନେଶ୍ବର : ଏଣିକି ପ୍ରତି ଶୁକ୍ରବାର ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କର୍ମଚାରୀମାନେ ସାଇକେଲ୍‌ରେ କିମ୍ବା ଚାଲି ଚାଲି ଅଫିସ୍‌ ଆସିବେ। ଏହା ଆସନ୍ତା ଶୁକ୍ରବାରଠାରୁ କଡ଼ାକଡ଼ି ଲାଗୁ ହେବ। ଏହି ତିନିଟି ସଂସ୍ଥାର ସମସ୍ତ ନିୟମିତ କର୍ମଚାରୀ ଓ ଆଉଟ୍‌ସୋର୍ସିଂ କର୍ମଚାରୀ ବି ଏହି ନିୟମ ମାନିବେ। ଏନେଇ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜଧାନୀର ପ୍ରଦୂଷଣ ମାତ୍ରା ଚିନ୍ତାଜନକ ହୋଇ ପଡ଼ିଥିବାରୁ ଏହାର ମୁକାବିଲା ପାଇଁ ରାଜଧାନୀର ତିନି ପ୍ରମୁଖ ସଂସ୍ଥାର କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ଏପରିକି ତିନିଟି ସଂସ୍ଥାର କ୍ୟାମ୍ପସକୁ କୌଣସି କର୍ମଚାରୀ କି ଅଧିକାରୀଙ୍କ ଗାଡ଼ି ଛଡ଼ା ଯିବନି। କେବଳ ଜରୁରୀକାଳୀନ ଗାଡ଼ି ଚଳାଚଳ କରିବ।

ଏନେଇ ଶ୍ରୀ ଚୌଧରୀ କହିଛନ୍ତି ଯେ ପାଣିପାଗ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ଯୋଗୁଁ ପରିବେଶ ଉପରେ ଏହାର କୁ-ପ୍ରଭାବ ବଢ଼ିବାରେ ଲାଗିଛି। ତେଣୁ ରାଜଧାନୀର ତିନିଟି ପ୍ରମୁଖ ସରକାରୀ ସଂସ୍ଥା ପକ୍ଷରୁ ଏହି ଛୋଟ ପଦକ୍ଷେପ ନିଆଯାଇଛି। କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ୍‌ ରହିବେ ଏବଂ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିବାରେ ସହାୟକ ହେବେ। ସେହିପରି ଆଗାମୀ ଦିନରେ ଅଧିକରୁ ଅଧିକ ଲୋକ ଯେପରି ସାଇକେଲ୍‌ ଚଲାଇବେ, ସେ ନେଇ ବଡ଼ଧରଣର ପଦକ୍ଷେପ ନିଆଯିବ। ଏନେଇ ଯୋଜନା ପ୍ରସ୍ତୁତ ହେଉଛି।

ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡରେ ପ୍ରାୟ ୮୦୦ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଗୋଟିଏ ଦିନ ଗାଡ଼ି ଚଳାଚଳ ବନ୍ଦ କଲେ ଏହାର ପ୍ରଭାବ ନିଶ୍ଚିତ ରାଜଧାନୀର ପରିବେଶ ଉପରେ ପଡ଼ିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୧ ଜନଗଣନା ଅନୁଯାୟୀ ରାଜଧାନୀରେ ୧୦ଲକ୍ଷ ଲୋକ ବାସ କରୁଥିବା ବେଲେ ପ୍ରାୟ ୧୪ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି।

ସମ୍ବନ୍ଧିତ ଖବର