ପଲିଥିନ୍ ବ୍ୟବହାର ବନ୍ଦ, ତଥାପି ଖୁଲମଖୁଲା ବ୍ୟବହାର

ବିଏମ୍‌ସିର ଚଢ଼ଉ, ୧୬ କେଜି ପଲିଥିନ୍ ଜବତ

ଭୁବନେଶ୍ବର: ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବାର ମାସକ ପରେ ବିଏମ୍‌ସି ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ନିଷେଧାଦେଶ ସତ୍ତ୍ବେ ଏବେବି ବଜାରରେ ଗଦା ଗଦା ପଲିଥିନ୍ ମହଜୁଦ୍ ଥିବାବେଳେ ବ୍ୟବସାୟୀମାନେ ଖୁଲମଖୁଲା ପଲିଥିନ୍‌ରେ ସାମଗ୍ରୀ ବିକ୍ରି କରୁଛନ୍ତି। ଏପରିସ୍ଥଳେ ପଲିଥିନ୍‌ରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଆଜି ବିଏମ୍‌ସିର ତିନିଟି ଜୋନ୍‌ର ଡେପୁଟି କମିସନରମାନେ ସେମାନଙ୍କ ଅଞ୍ଚଳରେ ଚଢ଼ଉ କରିଛନ୍ତି। ଗୋଟିଏ ଦିନରେ ୧୬କେଜି ପଲିଥିନ୍ ବି ଜବତ ହୋଇଛି। ସାରା ରାଜଧାନୀରେ ପଲିଥିନ୍ ବ୍ୟବହାର ଖୁଲମଖୁଲା ହେଉଥିବାବେଳେ ବିଏମ୍‌ସି ଅଧିକାରୀମାନେ ମାତ୍ର ୧୬କେଜି ପଲିଥିନ୍ ଜବତ କରିବା ଏବଂ ଗୋଟିଏ ବି ସ୍ଥାନରେ ଜରିମାନା ଆଦାୟ ନକରିବା ସମସ୍ତଙ୍କୁ ଚକିତ କରିଛି। ଯେତେବେଳେ କି କଟକ ମହାନଗର ନିଗମ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫୪୦କେଜି ପଲିଥିନ୍ ଜବତ କରାଯାଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏବେ ଚଢ଼ଉ ସମୟରେ କେବଳ ପଲିଥିନ୍ ଓ ପ୍ଲାଷ୍ଟିକ୍ (ନିଷେଧ ହୋଇଥିବା) ସାମଗ୍ରୀ ଜବତ କରାଯିବ। ଏହାକୁ ପରବର୍ତ୍ତୀ ସମୟରେ ରିସାଇକେଲିଂ କରାଯିବ। ଏବେ କିଛି ଦିନ କାହାଠାରୁ ଜରିମାନା ଆଦାୟ କରାଯିବନି। ଖୁବ୍ ଶୀଘ୍ର ପଲିଥିନ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀରେ ଜିନିଷ ବିକୁଥିବା ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନର ଆଜି ୟୁନିଟ-୧ ହାଟ, ରାଜମହଲ ଛକରୁ ଏଜି ଛକ ମଧ୍ୟରେ ଥିବା ଉଠା ଦୋକାନୀ, ଭେଣ୍ଡିଂ ଜୋନ୍, ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ମଧ୍ୟରେ ବିଭିନ୍ନ ଦୋକାନ ଉପରେ ଚଢ଼ଉ କରିଛନ୍ତି। ସେହିପରି ଦକ୍ଷିଣ ପଶ୍ଚିମ ଜୋନାଲ ଡେପୁଟି କମିସନର ଲଲାଟେନ୍ଦୁ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଡେଲ୍‌ଟା ଛକ, ଫାୟାର ଷ୍ଟେସନ ଛକ, ସିଆରପି ଛକ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ଉ କରି ୫କେଜି ପଲିଥିନ୍ ଜବତ କରିଛନ୍ତି। ଉତ୍ତର ଜୋନ୍‌ର ଡେପୁଟି କମିସନର ପ୍ରମୋଦ ପ୍ୃଷ୍ଟିଙ୍କ ନେତୃତ୍ବରେ ଜୟଦେବ ବିହାର ଛକରୁ ଚନ୍ଦ୍ରଶେଖରପୁର ଅଞ୍ଚଳ ମଧ୍ୟରେ ୪୫ଟି ସ୍ଥାନରେ ଚଢ଼ାଉ କରି ୫କେଜି ପଲିଥିନ୍ ଏବଂ ୫୦୦ ପ୍ଲାଷ୍ଟିକ୍ ଗ୍ଲାସ୍ ଜବତ କରିଛି।

ପଲିଥିନ୍ ବ୍ୟବହାର ନକରିବାକୁ ଶପଥ ପାଠ
ଆମେ ପଲିଥିନ୍‌ ଓ ପ୍ଲାଷ୍ଟିକ୍ ବ୍ୟବହାର କରିବାନି କି ଆମ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ବ୍ୟବହାର କରିବାକୁ ଦେବାନି। ଏହିଭଳି ଶପଥ ନେଇଛନ୍ତି ରଘୁନାଥପୁରସ୍ଥିତ ସାଇ ସନ୍ଥ ଆଶ୍ରମ ଓ ଜରାଶ୍ରମର ଅନ୍ତେବାସୀ ଏବଂ ସ୍ଥାନୀୟ ବାସିନ୍ଦା। ଆଜି ସାଇ ସନ୍ଥ ଆଶ୍ରମ ଓ ଜରାଶ୍ରମ ଏବଂ ରାଜଧାନୀ ଶାନ୍ତି କମିଟିର ମିଳିତ ଆନୁକୂଲ୍ୟରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବର୍ଜନ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଶାନ୍ତି କମିଟିର ସଭାପତି ମଧୁମାଧବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଶ୍ରମର ଟ୍ରଷ୍ଟି ବିଜୟ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଶାନ୍ତି କମିଟିର ସମ୍ପାଦକ ନବକିଶୋର ବେହେରା ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାତ୍ର, ମାୟାଧର ନନ୍ଦ, ଆଶିଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମଦନ ମୋହନ ଭୂୟାଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶତାଧିକ ଲୋକଙ୍କୁ କପଡ଼ା ବ୍ୟାଗ୍ ବଣ୍ଟା ଯାଇଥିଲା।

ସମ୍ବନ୍ଧିତ ଖବର