ଡମଣାରେ ଜବତ ହେଲା ଅଢେଇ ଟନ୍ ପଲିଥିନ୍: ଗୋଦାମ ସିଲ୍‌, ୫୦ହଜାର ଟଙ୍କା ଜରିମାନା

ଭୁବନେଶ୍ବର: ୨୦୧୮ ଅକ୍ଟୋବର ୨ ତାରିଖରୁ ରାଜଧାନୀରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ଓ ୫୦ ମାଇକ୍ରନରୁ କମ୍‌ ପଲିଥିନ୍ ନିଷିଦ୍ଧ ହେଲାଣି। କିନ୍ତୁ ଏବେବି ରାଜଧାନୀରେ ଏହା ଉପଲବ୍ଧ ହେଉଛି ବା ବ୍ୟବହାର ହେଉଛି। ନିକଟରେ ସହିଦନଗରରେ ‌ଏହିପରି ଏକ ଗୋଦାମକୁ ବିଏମ୍‌ସି ସିଲ୍‌ କରିଥିଲା। ଆଜି ଡମଣା ହାଟ ନିକଟରେ ଥିବା ଏକ ଗୋଦାମକୁ ବି ସିଲ୍‌ କରିଛି। ଡମଣା ଛକ ନିକଟରେ ଥିବା ଏହି ଗୋଦାମରେ ପ୍ରାୟ ୫ଟ୍ରକ୍ ନିଷିଦ୍ଧ ପ୍ଲାଷ୍ଟିକ ଥିଲା। ଏଥିରେ ୨.୫ଟନ୍‌ର ନିଷିଦ୍ଧ ପଲିଥିନ୍ ବ୍ୟାଗ୍ ସମେତ ଥର୍ମୋକୁଲ୍‌ କପ୍‌, ଥର୍ମୋକୁଲ୍‌ ଓ ପ୍ଲାଷ୍ଟିକ୍ ଗ୍ଲାସ୍‌, ପଲିଥିନ୍ ଥିଲା ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହି ଗୋଦାମରେ ଟୁକୁନା ସାହୁ ନାମକ ବ୍ୟକ୍ତି ନିଷିଦ୍ଧ ପ୍ଲାଷ୍ଟିକ ରଖିଥିଲେ। ଡମଣା ହାଟରେ ତେଜରାତି ଦୋକାନ ଦେଇଥିବା ଟୁକୁନା ଏଠାରେ ଏହି ଗୋଦାମ ଚଳାଇ ଥିଲେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ପକ୍ଷରୁ ପ୍ଲାଷ୍ଟିକ୍ ସାମଗ୍ରୀ ସିଲ୍‌ ହେବା ପରେ ଏହାକୁ ଯାତ୍ରୀନିବାସ ପରିସରରେ ରଖାଯାଇଛି। ଏହାସହ ଟୁକୁନା ସାହୁଙ୍କୁ ୫୦ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ବିଏମ୍‌ସି ଅମିନ ଦ୍ବାରା ଏହି ଘରର ମାପଚୁପ କରାଯାଇଛି। ଖୁବ୍‌ଶୀଘ୍ର ଏହି ବେଆଇନ ଘରକୁ ଭଙ୍ଗାଯିବ ବୋଲି ବିଏମ୍‌ସିର ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ କହିଛନ୍ତି। ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା।

ସମ୍ବନ୍ଧିତ ଖବର